ପ୍ରଥମ ଥର ଶୀର୍ଷରେ ନ୍ୟୁଜିଲାଣ୍ଡ୍‌, ପାକିସ୍ତାନକୁ ୨-୦ରେ ମୂଳପୋଛ କଲା

ଜାମିସନ୍‌ଙ୍କୁ ୬ ୱିକେଟ୍‌: ଦ୍ବିତୀୟ ଟେଷ୍ଟ୍‌ରେ ପାକିସ୍ତାନର ପାଳି ପରାଜୟ

ଖ୍ରିଷ୍ଟଚର୍ଚ୍ଚ: ଅଷ୍ଟ୍ରେଲିଆକୁ ଗାଦିଚ୍ୟୁତ କରି ନ୍ୟୁଜିଲାଣ୍ଡ୍‌ ଆଇସିସି ଟେଷ୍ଟ୍‌ ଦଳଗତ ମାନ୍ୟତାରେ ଏକ ନମ୍ବର ସ୍ଥାନ ଦଖଲ କରିନେଇଛି। ଗୁରୁବାର ଏଠାରେ ପାକିସ୍ତାନ ବିପକ୍ଷ ଦ୍ବିତୀୟ ଟେ‌ଷ୍ଟ୍‌ ସହିତ ଶୃଙ୍ଖଳାକୁ ୨-୦ରେ ମୂଳପୋଛ କରିବା ପରେ ଆଇସିସି ମାନ୍ୟତାର ଶୀର୍ଷ ସ୍ଥାନକୁ ଲମ୍ଫ ମାରିଛି। ନ୍ୟୁଜିଲାଣ୍ଡ୍‌ ଏବେ ୧୧୮ ରେଟିଂ ପଏଣ୍ଟ୍‌ ସହ ପ୍ରଥମ ଥର ପାଇଁ ଆଇସିସି ମାନ୍ୟତାର ଶୀର୍ଷ ସ୍ଥାନରେ ପହଞ୍ଚି ଯାଇଥିଲା ବେଳେ ଅଷ୍ଟ୍ରେଲିଆ (୧୧୬) ଦ୍ବିତୀୟ ସ୍ଥାନକୁ ଖସିଯାଇଛି। ଭାରତ (୧୧୪), ଇଂଲଣ୍ଡ (୧୦୬) ଏବଂ ଦକ୍ଷିଣ ଆଫ୍ରିକା (୯୬) ଯଥାକ୍ରମେ ତୃତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି। ସେହିପରି ପାକିସ୍ତାନ ବିପକ୍ଷ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ମଧ୍ୟ ଟେଷ୍ଟ୍‌ ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତା ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ତାଙ୍କ ପଏଣ୍ଟ୍‌ ୮୯୦ ରହିଥିଲା ବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି (୮୭୯), ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ (୮୭୭) ଓ ମାର୍ନସ ଲବୁସାନ୍‌ (୮୫୦) ହିଁ କେବଳ ଅନ୍ୟ ତିନି ବ୍ୟାଟ୍‌ସମ୍ୟାନ୍‌ ଭାବେ ୮୦୦ ପଏଣ୍ଟ୍‌ ସଂଖ୍ୟା ଉପରେ ରହିଛନ୍ତି।

‌ଅନ୍ୟପକ୍ଷରେ ପାକିସ୍ତାନ ବିପକ୍ଷ ଶୃଙ୍ଖଳାରେ ୨-୦ର ମୂଳପୋଛ ବିଜୟ ମଧ୍ୟ ନ୍ୟୁଜିଲାଣ୍ଡ୍‌ ସ୍ଥିତିକୁ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ତାଲିକାରେ ଦୃଢ଼ କରିଛି। ନ୍ୟୁଜିଲାଣ୍ଡ୍‌ ଏବେ ୪୨୦ ପଏଣ୍ଟ୍‌ ସହ ଭାରତ (୩୯୦) ଏବଂ ଅଷ୍ଟ୍ରେଲିଆ (୩୨୨) ଉପରକୁ ରହିଛି। ତେବେ କରୋନା ଯୋଗୁଁ ନୂଆ ପ୍ରଚଳିତ ପିସିଟି (ପ୍ରତିଶତ) ଅନୁଯାୟୀ ଅଷ୍ଟ୍ରେଲିଆ (୦.୭୬୭) ଓ ଭାରତ (୦.୭୨୨) ପଛକୁ ତୃତୀୟ ସ୍ଥାନରେ ରହିଛି। ନ୍ୟୁଜିଲାଣ୍ଡର ପ୍ରତିଶତ ୦.୭୦ ରହିଛି।

ଜାମିସନ୍‌ଙ୍କୁ ୬ ୱିକେଟ୍‌: ଦ୍ବିତୀୟ ଟେଷ୍ଟ୍‌ରେ ପାକିସ୍ତାନର ପାଳି ପରାଜୟ
ପାକିସ୍ତାନ ବିପକ୍ଷ ଚଳିତ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାକୁ ଘରୋଇ ନ୍ୟୁଜିଲାଣ୍ଡ୍‌ ୨-୦ରେ ଜିତି ନେଇଛି। ପ୍ରଥମ ଟେଷ୍ଟ୍‌କୁ ୧୦୧ ରନ୍‌ରେ ଜିତିବା ପରେ ଦ୍ବିତୀୟ ତଥା ଶେଷ ଟେଷ୍ଟ୍‌କୁ ଏକ ପାଳି ଓ ୧୭୬ ରନ୍‌ରେ ଜିତିଛି ନ୍ୟୁଜିଲାଣ୍ଡ୍‌। ଏହି ଟେଷ୍ଟ୍‌ରେ ବିଶେଷକରି ଦ୍ରୁତ ବୋଲର କାଇଲ ଜାମିସନ୍‌ ହିଁ ପାକିସ୍ତାନ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ। ପ୍ରଥମ ପାଳିରେ ୫ ୱିକେଟ୍‌ ଦଖଲ କରିଥିବା ଜାମିସନ୍‌ ଦ୍ବିତୀୟ ପାଳିରେ ୬ ୱିକେଟ୍‌ ନେବାରୁ ପାକିସ୍ତାନ ପାଳି ୧୮୬ରେ ସଫା ହୋଇଯାଇଥିଲା। ମଙ୍ଗଳବାର ତୃତୀୟ ଦିବସ ସ୍କୋର୍‌ ୧/୮ରୁ ‌‌ଖେଳିଥିବା ପାକିସ୍ତାନ ବୁଧବାର ଆଉ ୧୭୮ ରନ୍ ଯୋଡ଼ି ଅବଶିଷ୍ଟ ୯ ୱିକେଟ୍‌ ହରାଇଥିଲା। ଜାମିସନ୍‌ଙ୍କ ୬ ବ୍ୟତୀତ ଟ୍ରେଣ୍ଟ୍‌ ବୋଲ୍‌ଟ ୩ ୱିକେଟ୍‌ ନେଇଥିଲେ। ପାକିସ୍ତାନର ଉଭୟ ପାଳି ସ୍କୋର୍‌ (୨୯୭ ଓ ୧୮୬) ମିଶି ନ୍ୟୁଜିଲାଣ୍ଡ୍‌ର ପ୍ରଥମ ପାଳି ସ୍କୋର୍‌ (୬୫୯/୬, ଘୋଷିତ)ଠାରୁ ୧୭୬ ରନ୍‌ ପଛରେ ରହିଯାଇଥିଲା। ଏହା ପୂର୍ବରୁ ଜାମିସନ୍‌ ମଧ୍ୟ ପ୍ରଥମ ଟେଷ୍ଟ୍‌ରେ ୫ (୩+୨) ୱିକେଟ୍‌ ଦଖଲ କରିଥିଲେ। ଜାମିସନ୍‌ (୧୧୭ ରନ୍‌ରେ ୧୧ ୱିକେଟ୍‌ ଏବଂ ୩୦* ରନ୍‌) ମଧ୍ୟ ଦ୍ବିତୀୟ ଟେ‌ଷ୍ଟ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ପାକିସ୍ତାନ ପ୍ରଥମ ପାଳି ୨୯୭ ଓ ଦ୍ବିତୀୟ ପାଳି ୮୧.୪ ଓଭରରେ ୧୮୬ (ଆଝାର ଅଲ୍ଲୀ-୩୭, ଜାଫର ଗୋହର-୩୭, ଫହିମ୍‌ ଅସ୍ରଫ୍‌-୨୮, ଆବିଦ ଅଲ୍ଲୀ-୨୬, କାଇଲ ଜାମିସନ୍‌-୬/୪୮, ଟ୍ରେଣ୍ଟ୍‌ ବୋଲ୍‌ଟ-୩/୪୩)। ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି ୧୫୮.୫ ଓଭରରେ ୬୫୯/୬ରେ ଘୋଷଣା (କେନ୍‌ ୱିଲିୟମ୍‌ସନ୍‌-୨୩୮, ହେନ୍‌ରି ନିକୋଲ୍‌ସ-୧୫୭, ଡାରିଲ ମିଚେଲ-୧୦୨*, କାଇଲ ଜାମିସନ୍‌-୩୦*, ସାହିନ ଆଫ୍ରିଦି-୨/୧୦୧, ମହମ୍ମଦ ଆବାସ୍‌-୨/୯୮, ଫହିମ ଅସ୍ରଫ୍‌-୨/୧୦୬)।

ଦୀର୍ଘତମ ବିଜୟଧାରା
ପାକିସ୍ତାନ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ ସମେତ ନ୍ୟୁଜିଲାଣ୍ଡ୍‌ କ୍ରମାଗତ ୬ ବିଜୟ ହାସଲ କରିଛି। ଯାହାକି ଏହି ଦଳ ପାଇଁ ତା’ ଟେଷ୍ଟ୍‌ ଇତିହାସରେ ସବୁଠୁ ଦୀର୍ଘତମ ବିଜୟଧାରା। ଏହା ପୂର୍ବରୁ ୨୦୦୫ରୁ ୨୦୦୬ ମଧ୍ୟରେ ଏହି ଦଳ କ୍ରମାଗତ ୫ ବିଜୟ ହାସଲ କରିଥିଲା। ସେତେବେଳେ ଦଳ ଘରୋଇ ମାଟିରେ ଶ୍ରୀଲଙ୍କାକୁ, ଜିମ୍ବାୱେରେ ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଏବଂ ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୩ ମ୍ୟାଚ୍‌ ଶୃଙ୍ଖଳାର ପ୍ରଥମ ଦୁଇ ଟେଷ୍ଟ୍‌ ଜିତିଥିଲା। କେବଳ ସେତିକି ନୁହେଁ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ୍‌ର ମଧ୍ୟ ଏହା କ୍ରମାଗତ ୧୭ ଅପରାଜେୟ ଟେଷ୍ଟ୍‌। ଏହା ମଧ୍ୟ ଘରୋଇ ମାଟିରେ ସବୁଠୁ ଦୀର୍ଘତମ ଧାରା। ଏଥିମଧ୍ୟରୁ ନ୍ୟୁଜିଲାଣ୍ଡ୍‌ ୧୩ ମ୍ୟାଚ୍‌ ଜିତିଛି। ଏହା ପୁର୍ବରୁ ଏହି ଦଳ ୨୦୧୨ରୁ ୨୦୧୫ ମଧ୍ୟରେ ୧୩ ମ୍ୟାଚ୍‌ରେ ଅପରାଜେୟ ରହିଥିଲା। ସେଥିରୁ ୭ ଜିତିଥିଲା। ଶେଷଥର ପାଇଁ ଦଳ ୨୦୧୭ରେ ୱେଲିଂଟନ୍‌ରେ ଦକ୍ଷିଣ ଆଫ୍ରିକା ନିକଟରୁ ଗୋଟିଏ ଟେଷ୍ଟ୍‌ ହାରିଥିଲା।

ସମ୍ବନ୍ଧିତ ଖବର