ବାଂଲାଦେଶ ବିପକ୍ଷରେ ନ୍ୟୁଜିଲାଣ୍ଡ ପାଳି ଓ ୧୧୭ ରନ୍‌ରେ ବିଜୟୀ

ଶୃଙ୍ଖଳା ୧-୧: ବାଂଲାଦେଶ ଐତିହାସିକ ଶୃଙ୍ଖଳା ବିଜୟରୁ ବଞ୍ଚିତ

ଖ୍ରୀଷ୍ଟଚର୍ଚ୍ଚ: ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟ୍‌କୁ ନ୍ୟୁଜିଲାଣ୍ଡ ଗୋଟିଏ ପାଳି ଓ ୧୧୭ ରନ୍‌ରେ ଜିତି ନେଇଛି। ତା’ ସହ ଦୁଇ ଟିକିଆ ଶୃଙ୍ଖଳାକୁ ୧-୧ ସ୍ତରରେ ଅମୀମାଂସିତ ରଖିବାକୁ ସକ୍ଷମ ‌ହୋଇଛି। ସେହିଭଳି ଅପ୍ରତ୍ୟାଶିତ ଓ ଲଜ୍ଜାଜନକ ଶୃଙ୍ଖଳା ପରାଜୟରୁ ବି ବର୍ତ୍ତିଯାଇଛି। ପ୍ରଥମ ଟେଷ୍ଟ୍‌କୁ ୮ ୱିକେଟ୍‌ରେ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିବା ବାଂଲାଦେଶ କିନ୍ତୁ ବିଦେଶ ମାଟିରେ ଐତିହାସିକ ଶୃଙ୍ଖଳା ବିଜୟ ହାସଲ କରିବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଛି। ୨୫୨ ରନ୍‌ର ଅସାଧାରଣ ପାଳି ଖେଳି ନ୍ୟୁଜିଲାଣ୍ଡ ବିଜୟ ପାଇଁ ଦୃଢ଼ ମୂଳଦୁଆ ପକାଇଥିବା ଅଧିନାୟକ ଟିମ୍ ଲାଥାମ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ସେ ମଧ୍ୟ ଏହି ମ୍ୟାଚ୍‌ରେ ଅଧଡଜନ କ୍ୟାଚ୍ ନେବାର ଅନନ୍ୟ ସଫଳତା ଲାଭ କରିଥିଲେ। ଅନ୍ୟପକ୍ଷରେ ଖ୍ରୀଷ୍ଟଚର୍ଚ୍ଚରେ ଲଢ଼ୁଆ ଶତକ ସହ ମୋଟ ୨୪୬ ରନ୍ କରିଥିବା ଯୁବ ତାରକା ଡେଭନ୍ କନୱେ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

ପ୍ରଥମ ଟେଷ୍ଟ୍‌ରେ ଅବିଶ୍ବସନୀୟ ପ୍ରଦର୍ଶନ ସହ ୧-୦ରେ ଆଗୁଆ ରହି ଦ୍ବିତୀୟ ଟେଷ୍ଟ୍ ଖେଳିବାକୁ ଆସିଥିବା ବାଂଲାଦେଶ ହାତରୁ ପ୍ରଥମ ଦିନରେ ହିଁ ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟ୍ ଆପାତତଃ ଖସି ଯାଇଥିଲା। ପୂରା ବୋଲିଂ ବାହିନୀ ଅତ୍ୟନ୍ତ ଦୁର୍ବଳ ବୋଲି କରିଥିଲା। ସେପଟେ ଲାଥାମଙ୍କ ଦ୍ବିଶତକ ଏବଂ କନୱେଙ୍କ ଶତକ ବଳରେ ନ୍ୟୁଜିଲାଣ୍ଡ ୫୨୧/୬ରେ ତାର ପ୍ରଥମ ପାଳି ଘୋଷଣା କରିଥିଲା। ଏହାର ଜବାବରେ ବାଂଲାଦେଶ ପ୍ରଥମ ପାଳିରେ ମାତ୍ର ୧୨୬ ରନ୍‌ କରି ଅଲଆଉଟ୍ ହୋଇଯାଇଥିଲା। ଫଳରେ ଫଲୋଅନ୍‌ର ସମ୍ମୁଖୀନ ହୋଇଥିଲା। ଦ୍ବିତୀୟ ପାଳିରେ ଏହି ଦଳ ଅପେକ୍ଷାକୃତ ଉନ୍ନତ ବ୍ୟାଟିଂ କରିଥିଲା। ହେଲେ ମଧ୍ୟକ୍ରମ ବ୍ୟାଟର୍‌ ଲିଟନ ଦାସ (୧୦୨)ଙ୍କ ଶତକ ସତ୍ତ୍ବେ ୨୭୮ ରନ୍ ହିଁ କରିପାରିଥିଲା। ଫଳରେ ମ୍ୟାଚ୍ ପାଖାପାଖି ତିନି ଦିନରେ ହିଁ ଶେଷ ହୋଇଯାଇଥିଲା। ଆଉ ସେଥିପାଇଁ ନ୍ୟୁଜିଲାଣ୍ଡ ବୃହତ୍ ବିଜୟ ହାସଲ କରି ଶୃଙ୍ଖଳା ବରାବର କରି ନେଇଥିଲା। ଦ୍ବିତୀୟ ଦିନରେ ପ୍ରଥମ ପାଳି ଶେଷ ହୋଇଯିବା ପରେ ମଙ୍ଗଳବାର ତୃତୀୟ ଦିନରେ ବାଂଲାଦେଶ ଦ୍ବିତୀୟ ପାଳି ଆରମ୍ଭ କରିଥିଲା। ଲିଟନ ଦାସଙ୍କ ଛଡ଼ା ଅନ୍ୟ କେହି ବଡ଼ ପାଳି ଖେଳି ନପାରିବାରୁ ବାଂଲାଦେଶ ପାଳି ୭୯.୩ ଓଭରରେ ଶେଷ ‌ହୋଇଯାଇଥିଲା। ନ୍ୟୁଜିଲାଣ୍ଡର କାଇଲ ଜାମିସନ୍ ଓ ନିଲ୍ ୱାଗନର ନିଜ ନିଜ ଭିତରେ ୭ ୱିକେଟ୍ ବାଣ୍ଟିନେଇ କ୍ରମାଗତ ଦ୍ବିତୀୟ ଥର ପାଇଁ ବାଂଲାଦେଶର ବିପର୍ଯ୍ୟୟ ଘଟାଇଥିଲେ।

ସମ୍ବନ୍ଧିତ ଖବର