ସେମି-ଝଟ୍‌କା: ପୁଣି ଆତ୍ମସମର୍ପଣ କଲା କୋହଲି ବାହିନୀ, ନ୍ୟୁଜିଲାଣ୍ଡ ୮ ୱିକେଟ୍‌ରେ ବିଜୟୀ

ଦୁବାଇ : ସମ୍ଭବତଃ ଅକାଳରେ ସେମିଫାଇନାଲ୍ ସ୍ବପ୍ନ ଭାଙ୍ଗି ଚୂରମାର ହୋଇଗଲା। ଲଗାତର ଦୁଇଟି ଶୋଚନୀୟ ପରାଜୟ ବରଣ କରିବା ପରେ ଭାରତର ଟ୍ବେଣ୍ଟି-୨୦ ବିଶ୍ବକପ୍ ଅଭିଯାନ ବାଟହୁଡ଼ିଛି। ଭାରତର ଏହି ଆଶ୍ଚର୍ଯ୍ୟଜନକ, ଅପ୍ରତ୍ୟାଶିତ, ଅତ୍ୟନ୍ତ ଦୁର୍ବଳ ଓ ଦୟନୀୟ ପ୍ରଦର୍ଶନକୁ କେହି ଯେମିତି ବିଶ୍ବାସ କରି ପାରୁନାହାନ୍ତି। ବିଶେଷ କରି ପାକିସ୍ତାନ ପରେ ନ୍ୟୁଜିଲାଣ୍ଡ ମଧ୍ୟ କୋହଲି ବାହିନୀକୁ ଅନାୟାସରେ ଧୂଳି ଚଟାଇବା ସବୁ ଭାରତବାସୀଙ୍କୁ ସ୍ତବ୍ଧ କରିଦେଇଛି। ରବିବାରର ବୃହତ୍ ପରାଜୟ ପରେ ଭାରତ ଏକପ୍ରକାର ସେମିଫାଇନାଲ୍ ଦୌଡ଼ରୁ ବାଦ ପଡ଼ିଛି। ବରଂ ୨୦୦୭ ଏକଦିବସୀୟ ବିଶ୍ବକପ୍‌ର ପ୍ରଥମ ରାଉଣ୍ଡରୁ ବିଦାୟ ନେବା ଭଳି ଚଳିତ ଟି-୨୦ ବିଶ୍ବକପ୍‌ରେ ମଧ୍ୟ ପ୍ରଥମ ରାଉଣ୍ଡରୁ ବାଦ୍‌ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ୩୩ ବଲ୍ ପୂର୍ବରୁ ୮ ୱିକେଟ୍ ବିଜୟ ହାସଲ କରି ନ୍ୟୁଜିଲାଣ୍ଡ ତା’ର ସେମିଫାଇନାଲ୍ ପ୍ରବେଶ ଆଶାକୁ ଆହୁରି ଦୃଢ଼ କରିଛି।

କୋହଲି ବାହିନୀ ସର୍ବଶ୍ରେଷ୍ଠ ଦାବିଦାରର ଉପାଧୀ ଏବଂ ପୁଣି ଥରେ ବିଜେତା ହେବାର ରଣହୁଙ୍କାର ସହ ବିଶ୍ବକପ୍‌କୁ ଯାଇଥିଲା। ଦୁବାଇରେ ଢେର ସମୟ ଧରି ଆଇପିଏଲ୍ ଖେଳୁଥିବାରୁ ସେଠାକାର ପାଗ ଓ ପରିବେଶକୁ ଭଲ ଭାବରେ ବୁଝି ଯାଇଥିବାର ବାହାସ୍ଫୋଟ ବି କିଛି ଖେଳାଳି ମାରୁଥିଲେ। ହେଲେ ପ୍ରଥମ ଦୁଇଟି ମ୍ୟାଚ୍‌ ପରେ ହିଁ ଟିମ୍ ଇଣ୍ଡିଆର ଏହି ଦମ୍ଭ ଅକାଳରେ ତୁଟି ଯାଇଛି। ପୁଣି ଥରେ ବ୍ୟାଟିଂ ଓ ବୋଲିଂରେ ପୂରା ବିଫଳ ହୋଇ ରବିବାର ଆଉ ଏକ ଲଜ୍ଜାଜନକ ପରାଜୟ ବରଣ କରିଛି ତାରକା ଖଚିତ ଭାରତୀୟ କ୍ରିକେଟ୍ ଦଳ। ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ଏହ‌ି ଅତ୍ୟନ୍ତ ମହତ୍ବପୂର୍ଣ୍ଣ ମୁକାବିଲାରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରି ଲଗାତାର ଦ୍ବିତୀୟ ପରାଜୟ ବରଣ କରିଛି। କୋଟି କୋଟି ପ୍ରଶଂସକ ଭାରତର ଏଭଳି ଦୁର୍ବଳ ପ୍ରଦର୍ଶନରେ ମର୍ମାହତ ଓ ନିରାଶ। ଭାରତ ବିନା ଲଢ଼େଇରେ ହାରିବା ହିଁ ସେମାନଙ୍କୁ ସବୁଠୁ ବେଶି ବାଧିଛି। ଅଭିଯାନର ପ୍ରଥମ ମୁକାବିଲା‌ରେ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ୧୦ ୱିକେଟ୍‌ରେ ପରାଜିତ ହେବାର ଦୁଃଖକୁ ପ୍ରଶଂସକ ଭୁଲି ନଥିଲା ବେଳେ ଆଜି ନ୍ୟୁଜିଲାଣ୍ଡଠାରୁ ଏକତରଫା ଭାବେ ହାରିଛି ଭାରତ। ଫଳରେ ଆଫଗାନିସ୍ତାନ ଓ ନାମିବ୍ୟା ଭଳି ଦଳଠାରୁ ତଳେ ରହିଛି। ଅତି ସାଧାରଣ ଏବଂ କ୍ଲବ୍ ସ୍ତରୀୟ କ୍ରିକେଟ୍‌ଠାରୁ ବି ଖରାପ ଖେଳି ଦୁଇଟି ମ୍ୟାଚ୍ ପରେ ବି ଖାତା ଖୋଲିପାରିନି। ଏବେ ଆଫଗାନିସ୍ତାନ, ନାମିବ୍ୟା ଓ ସ୍କଟଲାଣ୍ଡ ବିପକ୍ଷ ତିନିଟି ମ୍ୟାଚ୍ ବାକି ଅଛି। ଏସବୁକୁ ଜିତିଲେ ମଧ୍ୟ ଭାରତ ସେମିଫାଇନାଲ୍ ଯିବାର ସମ୍ଭାବନା ନାହିଁ।

ଲମ୍ବିଲା ୧୮ ବର୍ଷର ଅପେକ୍ଷା
ଆଇସିସି ପ୍ରତିଯୋଗିତାରେ ଭାରତ ଉପରେ ମାତ୍ର ୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ନ୍ୟୁଜିଲାଣ୍ଡ ଆଧିପତ୍ୟ ବିସ୍ତାର କରିଆସିଛି। ୨୦୦୩ ମସିହାରୁ ହିଁ ନ୍ୟୁଜିଲାଣ୍ଡକୁ କୌଣସି ଆଇସିସି ପ୍ରତିଯୋଗିତାରେ ହରାଇ ପାରିନି ଭାରତ। ଏହି ଧାରା ଏବେ ଆହୁରି ଲମ୍ବିଛି। ନିକଟ ଅତୀତରେ ନ୍ୟୁଜିଲାଣ୍ଡ ୨୦୧୯ ଏକଦିବସୀୟ ବିଶ୍ବକପ୍ ଏବଂ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍‌ରେ ଭାରତକୁ ହରାଇଥିଲା। ଏବେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ବି ପରାସ୍ତ କରିଛି। ଭାରତ ଆଜି ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡକୁ ମାତ୍ର ୧୧୧ ରନ୍‌ର ଲକ୍ଷ୍ୟ ଦେଇଥିଲା। ଯାହାକୁ ନ୍ୟୁଜିଲାଣ୍ଡ ୧୪.୩ ଓଭରରେ ୨ ୱିକେଟ୍ ହରାଇ ହାସଲ କରିନେଇଥିଲା। ଟ୍ବେଣ୍ଟି-୨୦ରେ ମଧ୍ୟ ଏହା ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ସର୍ବବୃହତ୍ ବିଜୟ ଥିଲା। ଘାତକ ବୋଲିଂ ପାଇଁ କିୱି ସ୍ପିନର ଈଶ୍ ସୋଢ଼ି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଆରମ୍ଭରୁ ‌ଶେଷଯାଏ ସଂଘର୍ଷ
ବ୍ୟାଟିଂ ଦକ୍ଷତାକୁ ନେଇ ଅଯଥା ବାହାସ୍ଫୋଟ ମାରୁଥିବା ଭାରତୀୟ ଦଳ ରବିବାର ପୁଣି ଥରେ ଆତ୍ମସମର୍ପଣ କରିଥିଲା। ଖରାପ ସଟ୍ ଚୟନ, ଆଇପିଏଲ୍ ପାଇଁ ଦୀର୍ଘ ଦିନ ଧରି ଜୈବ ବଳୟରେ ରହିବାର ମାନସିକ ଚାପ ତଥା ବୋଲରଙ୍କୁ ସୁହାଉଥିବା ତଥା ଅତିରିକ୍ତ ପେସ୍ ଓ ବାଉନ୍ସ ଥିବା ପିଚ୍‌ରେ ଆରମ୍ଭରୁ ଆକ୍ରମଣ କରିବାର ବଡ଼ ଭୁଲ କରି ଅତ୍ୟନ୍ତ ଦୁର୍ବଳ ବ୍ୟାଟିଂ କରିଥିଲା କୋହଲି ସେନା। ଫଳରେ ଆରମ୍ଭରୁ ‌ଶେଷ ପର୍ଯ୍ୟନ୍ତ ସଂଘର୍ଷ କରି ୭ ୱିକେଟ୍ ବିନିମୟରେ ମାତ୍ର ୧୧୦ ରନ୍ କରିପାରିଥିଲା। ଭାରତୀୟ ବ୍ୟାଟର୍‌ମାନେ ଆଜି ଏମିତି ସଂଘର୍ଷ କରିଥିଲେ ଯେ କୌଣସି ଭାରତୀୟ ପ୍ରଶଂସକ ନିଜ ଆଖିକୁ ବିଶ୍ବାସ କରି ପାରିନଥିଲେ। ସେପଟେ ଜଣେ ଅତିରିକ୍ତ ବୋଲରଙ୍କୁ ଖେଳାଇଥିବା ନ୍ୟୁଜିଲାଣ୍ଡ ଜବରଦସ୍ତ ବୋଲିଂ କରି ସବୁ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ବାନ୍ଧି ରଖିବାକୁ ସକ୍ଷମ ହୋଇଥିଲା। ଭାରତର ସ୍ଥିତି ଏମିତି ହୋଇଥିଲା ଯେ ଜଣେ ହେଲେ ବି ବ୍ୟାଟର୍‌ ୩୦ ରନ୍ ଛୁଇଁ ପାରିନଥିଲେ।

ସୂର୍ଯ୍ୟ-ଭୁବିଙ୍କ ବଦଳରେ ଈଶାନ-ଶାର୍ଦୁଳ
ରବିବାରର ଏହି ଏକତରଫା ମୁକାବିଲାରେ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଥିଲା। ପିଠି ଯନ୍ତ୍ରଣା ପାଇଁ ସୂର୍ଯ୍ୟକୁମାର ଯାଦବ ଉପଲବ୍ଧ ନହେବା ପରେ ତାଙ୍କ ସ୍ଥାନରେ ଈଶାନ କିଶନ ଖେଳିଥିଲେ। ସେହିଭଳି ପାକିସ୍ତାନ ବିପକ୍ଷରେ ଦୁର୍ବଳ ପ୍ରଦର୍ଶନ କରିଥିବା ଅଭିଜ୍ଞ ଦ୍ରୁତ ‌ବୋଲର ଭୁବନେଶ୍ବର କୁମାରଙ୍କ ସ୍ଥାନରେ ଶାର୍ଦୁଳ ଠାକୁର ସୁଯୋଗ ପାଇଥିଲେ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଟିମ୍ ସେଫର୍ଟଙ୍କୁ ବାଦ୍‌ ଦେଇ ଆଦାମ ମିଲନେଙ୍କୁ ଖେଳାଇଥିଲା। ନ୍ୟୁଜିଲାଣ୍ଡ ମଧ୍ୟ ଜଣେ ଅତିରିକ୍ତ ବୋଲରଙ୍କୁ ଖେଳାଇଥିଲା। ଅନ୍ୟପକ୍ଷରେ ଭାରତର ଦଳ ଗଠନ ପୂର୍ବ ଭଳି ୩ ଦ୍ରୁତ ବୋଲର, ୧ ସ୍ପିନର ଏବଂ ୨ ଅଲ୍‌ରାଉଣ୍ଡରରେ ଅପରିବର୍ତ୍ତିତ ରହିଥିଲା।

ପୁଣି ଟସ୍ ହାରିଲେ କୋହଲି
ଦୁବାଇରେ ଖେଳାଯାଉଥିବା ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଅଧିକାଂଶ ମ୍ୟାଚ୍‌ରେ ଟସ୍ ନିର୍ଣ୍ଣାୟକ ଭୂମିକା ନେଇ ଆସୁଛି। ବି‌ଶେଷ କରି ରାତି ମ୍ୟାଚ୍‌ରେ ଦ୍ବିତୀୟ ବୋଲିଂ କରୁଥିବା ଦଳକୁ କାକର ଘୋର ଅସୁବିଧାରେ ପକାଇ ଆସୁଛି। ଏସବୁ ସତ୍ତ୍ବେ ସୋମବାର ପୁଣି ଥରେ ଭାଗ୍ୟ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସାଥ୍ ଦେଇନଥିଲା। ଲଗାତାର ଦ୍ବିତୀୟ ଥର ପାଇଁ ସେ ଟସ୍ ହାରିଯାଇଥିଲେ। ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ ମଧ୍ୟ ତୁରନ୍ତ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। କ୍ରମାଗତ ଦ୍ବିତୀୟ ମ୍ୟାଚ୍ ପାଇଁ ଭାରତ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ବାଧ୍ୟ ହୋଇଥିଲା।

ଈଶ୍‌ ସୋଢ଼ିଙ୍କୁ ସାଥୀ ଖେଳାଳିଙ୍କ ବଧାଇ

ତୃତୀୟ ଓଭରରେ ପ୍ରଥମ ଝଟ୍‌କା
ଈଶାନ ଦଳକୁ ଆସିବା ପରେ ଭାରତ ଓପନିଂ ଯୋଡ଼ିରେ ପରିବର୍ତ୍ତନ କରିଥିଲା। କେଏଲ୍ ରାହୁଲଙ୍କ ସହ ଈଶାନ କିଶନ ପାଳି ଆରମ୍ଭ କରିଥିଲେ। ଈଶାନ କିନ୍ତୁ ପୂରା ନିରାଶ କରିଥିଲେ। ଅସମତଳ ଉଚ୍ଛାଳ ଦେଉଥିବା ପିଚ୍‌କୁ ବୁଝି ନପାରି ତୃତୀୟ ଓଭରରେ ହିଁ ବଡ଼ ସଟ୍ ଖେଳିବାର ବିଫଳ ପ୍ରୟାସ କରିଥିଲେ। ଫଳରେ ଟ୍ରେଣ୍ଟ ବୋଲ୍ଟଙ୍କ ବଲ୍‌ରେ ତୃତୀୟ ଓଭରର ପଞ୍ଚମ ବଲ୍‌ରେ ମାତ୍ର ୪ ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ସେ ଆଉଟ୍ ହେବା ପରେ ଭାରତର ୱିକେଟ୍ କୋଳି ଝଡ଼ିବା ଭଳି ଝଡ଼ି ଚାଲିଥିଲା। ଏହା ପରେ ପରେ ରାହୁଲ ମଧ୍ୟ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଟିମ୍ ସାଉଦିଙ୍କୁ ବଡ଼ ସଟ୍ ଖେଳିବାକୁ ଯାଇ ସେ ମଧ୍ୟ ସୀମା ରେଖା ନିକଟରେ ଧରାପଡ଼ିଥିଲେ। ଫଳରେ ପାୱାର ପ୍ଲେର ୬ ଓଭର ଖେଳରେ ଭାରତ ମାତ୍ର ୩୫ ରନ୍ କରି ୨ ୱିକେଟ୍ ହରାଇଥିଲା।

ଜୀବନଦାନରୁ ଫାଇଦା ଉଠାଇପାରିଲେନି ରୋହିତ
ଈଶାନ ଆଉଟ୍ ହେବାର ପରବର୍ତ୍ତୀ ବଲ୍‌ରେ ଅର୍ଥାତ୍ ତୃତୀୟ ଓଭରର ଶେଷ ବଲ୍‌ରେ ହିଟ୍‌ମ୍ୟାନ୍ ଏକ ଜୀବନ ଦାନ ପାଇଥିଲେ। ଲଙ୍ଗ୍‌ ଲେଗ୍‌ରେ ତାଙ୍କର ଏକ ସହଜ କ୍ୟାଚ୍‌କୁ ଆଦାମ ମିଲନେ ଛାଡ଼ି ଦେଇଥିଲେ। ହେଲେ ସେ ଏଥିରୁ କୌଣସି ଫାଇଦା ଉଠାଇ ପାରିନଥିଲେ। ବ୍ୟକ୍ତିଗତ ୧୪ ରନ୍‌ରେ ଥିଲା ବେଳେ ଈଶ ସୋଢ଼ିଙ୍କ ବଲ୍‌କୁ ଛକା ମାରିବାକୁ ଯାଇ ସେ ମଧ୍ୟ ସୀମା ରେଖା ନିକଟରେ ମାର୍ଟିନ୍ ଗପ୍ଟିଲଙ୍କ ସୁରକ୍ଷିତ ହାତରେ ଧରାପଡ଼ିଯାଇଥିଲେ। ପାକିସ୍ତାନ ବିପକ୍ଷରେ ୩୧ ରନ୍‌ରେ ୩ ୱିକେଟ୍ ହରାଇଥିବା ଭାରତ ରବିବାର ୪୦ ରନ୍‌ରେ ଶୀର୍ଷ ୩ ବ୍ୟାଟର୍‌ଙ୍କୁ ହରାଇ ପୁଣି ଥରେ ସଙ୍କଟରେ ପଡ଼ିଥିଲା। ଭାରତକୁ ସବୁଠାରୁ ବଡ଼ ଝଟ୍‌କା କିନ୍ତୁ ମୃଦୁ ପାନୀୟ ବିରତିର ଠିକ୍ ପର ବଲ୍‌ରେ ଲାଗିଥିଲା। ଏକାଦଶ ଓଭରର ପ୍ରଥମ ବଲ୍‌ରେ ଇଶ୍ ସୋଢ଼ିଙ୍କୁ ସ୍ଲଗ୍ ସୁଇପ୍ ଖେଳିଲା ବେଳେ ଅଧିନାୟକ ବିରାଟ କୋହଲି ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ବାରା କ୍ୟାଚ୍ ହୋଇଥିଲେ। ଏହା ପରେ ଭାରତ ପ୍ରତିଟି ରନ୍ ପାଇଁ ସଂଘର୍ଷ କରିଥିଲା। ହାର୍ଦିକ ପାଣ୍ଡ୍ୟା ଓ ଋଷଭ ପନ୍ତଙ୍କ ଭଳି ଦୁର୍ଦ୍ଧର୍ଷ ବ୍ୟାଟର୍‌ ବି ନ୍ୟୁଜିଲାଣ୍ଡ ବୋଲରଙ୍କୁ ଖେଳିବାରେ ସଂଘର୍ଷ କରିଥିଲେ। ଶେଷରେ ମିଲନେଙ୍କ ଦ୍ବାରା ପନ୍ତ କ୍ଲିନ୍ ବୋଲ୍ଡ ହୋଇଯାଇଥିଲେ।

ଧୂଳି ଚାଟିଲେ ଧୂରନ୍ଧର
୪୮ ରନ୍‌ରେ ଶୀର୍ଷ ୪ ବ୍ୟାଟର୍‌ଙ୍କୁ ହରାଇଥିବା ଭାରତ ୧୦.୪ ଓଭରରେ ୫୦ ରନ୍ ପୂରଣ କରିଥିଲା। ରବୀନ୍ଦ୍ର ଜାଦେଜା ୨୬ ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ୨୩ ରନ୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୧୧୦ ରନ୍ କରିଥିଲା। ଶାର୍ଦୁଳ ଠାକୁର ଖାତା ଖୋଲି ପାରିନଥିଲେ। ଯାହା ୧୪୦ କୋଟି ଭାରତୀୟଙ୍କୁ ନିରାଶ କରିଥିଲା। ଭାରତର ତାରକା ଖଚିତ ବ୍ୟାଟିଂକ୍ରମ ଲଗାତାର ଦ୍ବିତୀୟ ମ୍ୟାଚ୍‌ରେ ସଂଘର୍ଷ କରିବାକୁ ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଥିଲା। ସେପଟେ ନ୍ୟୁଜିଲାଣ୍ଡର ସଫଳ ବୋଲର ଭାବେ ଟ୍ରେଣ୍ଟ ବୋଲ୍ଟ ୨୦ ରନ୍ ଦେଇ ୩ ୱିକେଟ୍ ନେଇଥିଲେ। ଈଶ୍ ସୋଢ଼ି ୨ ଏବଂ ଟିମ୍ ସାଉଦି ଓ ଆଦାମ ମିଲନେ ଗୋଟିଏ ଲେଖାଏଁ ୱିକେଟ୍ କରାୟତ୍ତ କରିଥିଲେ।

ସମ୍ବନ୍ଧିତ ଖବର