ରାଞ୍ଚି: ଭାରତ ବିପକ୍ଷ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଶୁକ୍ରବାର ନ୍ୟୁଜିଲାଣ୍ଡ ଜିତିଛି। ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ଠାରେ ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍କୁ ୨୧ ରନ୍ରେ ବିଜୟ ହାସଲ କରିଛି। ଝାଡ଼ଖଣ୍ଡ ଷ୍ଟେଟ୍ କ୍ରିକେଟ୍ ଆସୋସିଏସନ୍ (ଜେଏସ୍ସିଏ) ଅନ୍ତର୍ଜାତୀୟ ଆୟୋଜକ ଭାରତ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଅତିଥି ଦଳ ବ୍ୟାଟି କରିଥିଲା। ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୭୬ ରନ୍ କରିଥିଲା। ଏଥି ସହିତ ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଦ୍ବିତୀୟ ଟି-୨୦ ଲକ୍ଷ୍ନୌ ଓ ୩ୟ ତଥା ଶେଷ ମୁକାବିଲା ଅହମଦାବାଦ ଠାରେ ଯଥାକ୍ରମେ ଆସନ୍ତା ୨୯ ଓ ଫେବ୍ରୁଆରି ୧ ତାରଖରେ ଖେଳାଯିବ।
୧୭୭ ରନ୍ର ବିଜୟ ଲକ୍ଷ୍ୟ ନେଇ ଭାରତ ପାଳି ଆରମ୍ଭ କରିଥିଲା। ଯୁବ ବ୍ୟାଟର ଶୁଭମନ୍ ଗିଲ ଓ ଇଶାନ କିଶନ୍ ପଡ଼ିଆକୁ ଓହ୍ଲାଇଥିଲେ। ତେବେ ଆରମ୍ଭରୁ ଭାରତକୁ ଝଟକା ଲାଗିଥିଲା। ଭାରତ ୧୦ ରନ୍ରେ ଇଶାନ କିଶନ ଓ ୧୧ ରନ୍ରେ ରାହୁଲ ତ୍ରିପାଠୀଙ୍କୁ ହରାଇଥିଲା। ସେହିପରି ୧୫ ରନ୍ରେ ଶୁଭମନ୍ ଗିଲ୍ ଆଉଟ୍ ହୋଇଥିଲେ। ଏହି ତିନି ବ୍ୟାଟର ଯଥାକ୍ରମେ ୪, ୦ ଓ ୭ ରନ୍ କରିଥିଲେ।
ଭାରତ ପାଇଁ ସର୍ବାଧିକ ସ୍କୋର କରିଥିଲେ ୱାସିଂଟନ୍ ସୁନ୍ଦର। ସେ ୨୮ଟି ବଲ୍ ଖେଳି ୫ଟି ଚୌକା ଓ ୩ଟି ଛକା ବଳରେ ଅର୍ଦ୍ଧଶତକ (୫୦ରନ୍) କରିଥିଲେ। ସେହିପରି ସୂର୍ଯ୍ୟକୁମାର ଯାଦବ ୩୪ଟି ବଲ୍ ଖେଳି ୪୭ ରନ୍ ଯୋଡ଼ିଥିଲେ। ଅନ୍ୟ ବ୍ୟାଟରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ନ୍ୟୁଜିଲାଣ୍ଡର ସମସ୍ତ ବୋଲର ଭଲ ବୋଲିଂ କରିଥିଲେ।
ନ୍ୟୁଜିଲାଣ୍ଡ ପାଇଁ ଫିନ୍ ଆଲେନ୍ ଓ ଡେଭ୍ଅନ୍ କନ୍ୱେ ପାଳି ଆରମ୍ଭ କରିଥିଲେ। ଉଭୟ ବ୍ୟାଟ୍ର ଆରମ୍ଭରୁ ଭଲ ଖେଳିଥିଲେ। ପ୍ରଥମ ୱିକେଟ୍ରେ ୪୩ ରନ୍ ସଂଗ୍ରହ କରିଥିଲେ। ଏଥିରେ ଆଲେନ୍ଙ୍କ ୩୫ ରନ୍ ଥିଲା। ସେ ୨୩ଟି ବଲ୍ ଖେଳି ୪ଟି ଚୌକା ଓ ୨ଟି ଛକା ମାରିଥିଲେ। ନ୍ୟୁଜିଲାଣ୍ଡ ପାଇଁ କନ୍ୱେ ୫୨ ରନ୍ ସଂଗ୍ରହ କରିଥିଲେ। ସେ ୩୫ଟି ବଲ୍ ଖେଳି ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ସେହିପରି ଡାର୍ଲୋ ମିଚେଲ ଅପରାଜିତ ୫୯ ରନ୍ ସଂଗ୍ରହ କରିଥିଲେ। ଏଥିରେ ୩ଟି ଚୌକା ଓ ୫ଟି ଛକା ସାମିଲ ଥିଲା।
ଭାରତ ପକ୍ଷରୁ ୱାସିଂଟନ୍ ସୁନ୍ଦର ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ। ସେହିପରି କୁଳଦୀପ ଯାଦବ ଓ ଶିଭମ ମାଭିଙ୍କୁ ଗୋଟିଏ ଲେଖାଏଁ ୱକେଟ୍ ମିଳିଥିଲା।