ନ୍ୟୁଜିଲାଣ୍ଡ୍‌ର ନାଟକୀୟ ବିଜୟ, ଶୃଙ୍ଖଳା ୧-୧ରେ ଅମୀମାଂସିତ

କଲମ୍ବୋ: ସ୍ଥାନୀୟ ପି ସାରା ଓଭାଲରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ନ୍ୟୁଜିଲାଣ୍ଡ୍‌ ନାଟକୀୟ ଭାବେ ବିଜୟୀ ହୋଇଛି। ଏହି ଟେଷ୍ଟ୍‌ରେ ପ୍ରତ୍ୟେହ ବର୍ଷା ବାଧା ସୃଷ୍ଟି କରିବାରୁ ଚତୁର୍ଥ ଦିବସ ପର୍ଯ୍ୟନ୍ତ ଅନ୍ୟୁନ ଗୋଟିଏ‌ ଲେଖାଏଁ ପାଳି ଶେଷ ହୋଇନଥିଲା। ନ୍ୟୁଜିଲାଣ୍ଡ୍ କିନ୍ତୁ ଶେଷ ଦିନରେ କମି ଆସୁଥିବା ଆଲୋକ ଭିତରେ ଅମୀମାଂସିତ ହେବା ନିଶ୍ଚିତ ଥିବା ଏହି‌ ଟେଷ୍ଟ୍‌ରୁ ବିଜୟ ବାହାର କରି ନେଇଥିଲା। ଶ୍ରୀଲଙ୍କାର ଦ୍ବିତୀୟ ପାଳିକୁ ମାତ୍ର ୧୨୨ ରନ୍‌ରେ ଶେଷ କରିଦେବାରୁ ଭ୍ରମଣକାରୀ କେନ୍ ୱିଲିୟମସନ୍‌ଙ୍କ ଦଳ ପ୍ରଥମ ଟେଷ୍ଟ୍‌ ପରାଜୟ ପ୍ରତିଶୋଧ ସହିତ ଶୃଙ୍ଖଳାକୁ ମଧ୍ୟ ୧-୧ରେ ଅସୀମାଂସିତ କରି ନେଇଥିଲା। ଏହି ବିଜୟ ସହିତ ଟେଷ୍ଟ୍‌ ଚାମ୍ପିଅନସିପ୍ ଲାଗି ମଧ୍ୟ ନ୍ୟୁଜିଲାଣ୍ଡ୍‌ ୬୦ ପଏଣ୍ଟ୍ ହାସଲ କରି ନେଇଛି। ସୋମବାର ପଞ୍ଚମ ଦିନ ସକାଳେ ନ୍ୟୁଜିଲାଣ୍ଡ୍‌ ୩୮୨/୫ରୁ ଖେଳି ୪୩୧/୬ରେ ପାଳି ଘୋଷଣା କରିଦେଇଥିଲା। କଲିନ୍ ଗ୍ରାଣ୍ଡହୋମ୍‌ (୮୩) ଆଉ କୌଣସି ରନ୍ ଯୋଡ଼ିବା ପୂର୍ବରୁ ଆଉଟ୍ ହୋଇଯାଇଥିଲେ। ୱିକେଟରକ୍ଷକ ବିଜେ ୱାଟଲିଙ୍ଗ୍ (୧୦୫*, ୨୨୬ ବଲ, ୯ ଚୌକା) କିନ୍ତୁ ନିଜର ସପ୍ତମ ‌ଟେଷ୍ଟ୍ ଶତକ ହାସଲ କରିଥିଲେ।

ପ୍ରଥମ ପାଳିରେ ମାତ୍ର ୧୮୭ ରନ୍ ପଛୁଆ ରହି ଦ୍ବିତୀୟ ପାଳି ଖେଳିଥିବା ଶ୍ରୀଲଙ୍କାକୁ କେବଳ ଅମୀମାଂସିତ ରଖିବା ଲାଗି ଅବଶିଷ୍ଟ ଓଭର ଖେଳିବାର ଥିଲା। ଏହି ଟେଷ୍ଟ୍ ଅବସରରେ ନିଜ ନିଜ ୨୫୦ ୱିକେଟ୍‌ ପୂର୍ଣ୍ଣ କରିଥିବା ଟ୍ରେଣ୍ଟ୍‌ ବୋଲ୍ଟ ଏବଂ ଟିମ୍ ସାଉଦି କିନ୍ତୁ ଘାତକ ବୋଲିଂ କରି ଶ୍ରୀଲଙ୍କାକୁ ୩୨/୫ରେ ସଂଘର୍ଷ କରାଇ ଦେଇଥିଲେ। ୱିକେଟରକ୍ଷକ ନିରୋସାନ ଡିକ୍‌ୱାଲା (୫୧, ୧୬୧ ବଲ) ସାମୟିକ ଲଢ଼େଇ କରିଥିଲେ ମଧ୍ୟ ଅନ୍ୟମାନଙ୍କଠାରୁ ସେଭଳି ସମର୍ଥନ ପାଇନଥିଲେ। ବୋଲଟ, ସାଉଦି, ପଟେଲ, ସୋମରଭିଲ୍‌ ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ନେଇ ଶ୍ରୀଲଙ୍କା ପାଳିକୁ ୭୦.୨ ଓଭରରେ ୧୨୨ ରନ୍‌ରେ ଶେଷ କରି ଦେଇଥିଲେ। ଫଳରେ ଘରୋଇ ଦଳର ଶୃଙ୍ଖଳା ବିଜୟ ମଧ୍ୟ ସ୍ବପ୍ନରେ ରହିଯାଇଥିଲା। ୨୫ ଟେଷ୍ଟ୍ ଧରି ଏକ ଅମୀମାଂସିତ ଆଶଙ୍କା ଦେଖାଇଥିବା ପି ସାରା ଓଭାଲ ମଧ୍ୟ ଏଥିରୁ ବର୍ତିଯାଇଥିଲା। ଟମ୍ ଲଥାମ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ନିଜ ଖେଳ ଜୀବନରେ ପ୍ରଥମ ଥର ବିଜେ ୱାଟଲିଙ୍ଗ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ପ୍ରଥମ ପାଳି: ୨୪୪ (ଧନଞ୍ଜୟ ଡି’ସିଲଭା-୧୦୯, ଟିମ୍ ସାଉଦି-୩/୬୩, ଟ୍ରେଣ୍ଟ୍‌ ବୋଲଟ-୨/୭୫)। ନ୍ୟୁଜିଲାଣ୍ଡ୍ ପ୍ରଥମ ପାଳି: ୪୩୧/୬ ଘୋଷିତ (ଟମ୍ ଲଥାମ-୧୫୪, ବିଜେ ୱାଟଲିଙ୍ଗ-୧୦୫*, କଲିନ୍ ଗ୍ରାଣ୍ଡହୋମ୍‌-୮୩, ଦିଲରୁୱାନ ପ‌େରେରା-୩/୧୧୪, ଏଲ୍‌ ଏମ୍ବୁଲଦେନିଆ-୨/୧୫୬)। ଶ୍ରୀଲଙ୍କା ଦ୍ବିତୀୟ ପାଳି: ୭୦.୨ ଓଭରରେ ୧୨୨ (ନିରୋସନ୍ ଡିକୱାଲା-୫୧, ଦିମୁଥ କରୁଣାରତ୍ନେ-୨୧, ଟିମ୍ ସାଉଦି-୨/୧୫, ଟ୍ରେଣ୍ଟ୍‌ ବୋଲ୍ଟ-୨/୧୭, ଅଜାଜ ପଟେଲ-୨/୩୧, ଡବୁଲ୍ୟ ସୋମରଭିଲ୍‌-୨/୪୯, କଲିନ୍ ଗ୍ରାଣ୍ଡହୋମ୍‌-୧/୮)।

ସମ୍ବନ୍ଧିତ ଖବର