ନ୍ୟୁଜିଲାଣ୍ଡ୍‌ ୩-୦ରେ ଜିତିଲା ଦିନିକିଆ ଶୃଙ୍ଖଳା

ଇଣ୍ଡିଜ୍‌-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ୍ ଡ୍ର’

ୱେଲିଂଟନ୍ : ବାଂଲାଦେଶ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ଘରୋଇ ନ୍ୟୁଜିଲାଣ୍ଡ୍ ୩-୦ରେ ମୂଳପୋଛ କରି ଜିତିନେଇଛି। ଶୁକ୍ରବାର ତୃତୀୟ ତଥା ଶେଷ ଦିନିକିଆରେ ନ୍ୟୁଜିଲାଣ୍ଡ୍‌ ୧୬୪ ରନ୍‌ର ବଡ଼ ବ୍ୟବଧାନରେ ବିଜୟୀ ହୋଇ ଏହି ସଫଳତା ଅର୍ଜନ କରିଛି। ଡେଭନ୍‌ କନୱେ (୧୨୬, ୧୧୦ ବଲ୍‌, ୧୭ ଚୌକା) ଏବଂ ଡାରିଲ୍ ମିଚେଲ୍ (୧୦୦*, ୯୨ ବଲ୍‌, ୯ ଚୌକା, ୨ ଛକା) ନିଜ ନିଜ ପ୍ରଥମ ଦିନିକିଆ ଶତକ ହାସଲ କରିବା ସହ ପଞ୍ଚମ ୱିକେଟ୍ ଭାଗୀଦାରିରେ ୧୫୯ ରନ୍‌ ଯୋଡ଼ିବାରୁ ଘରୋଇ ଦଳ ୫୦ ଓଭରରେ ୬ ୱିକେଟ୍‌ ହରାଇ ୩୧୮ ରନ୍‌ କରିଥିଲା। ବାଂଲାଦେଶ ପକ୍ଷରୁ ରୁବେଲ୍‌ ସର୍ବାଧିକ ୩ ୱିକେଟ୍ ନେଇଥିଲେ। ଜବାବରେ ଜିମ୍ମି ନିସାମ (୫/୨୭) ଏବଂ ମ୍ୟାଟ୍ ହେନରି (୪/୨୭) ମିଳିତ ଭାବେ ୯ ୱିକେଟ୍ ନେଇଯିବାରୁ ବାଂଲାଦେଶ ୪୨.୪ ଓଭରରେ ୧୫୪ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ମହମ୍ମଦୁଲ୍ଲା ସର୍ବାଧିକ ୭୬* ରନ୍‌ (୭୩ ବଲ୍‌) କରିଥିଲେ। ଡେଭନ୍ କନୱେ ମ୍ୟାଚ୍‌ ଓ ଶୃଙ୍ଖଳାର ଶ୍ରେଷ୍ଠ ‌ଖେଳାଳି ପୁରସ୍କାର ପାଇଥିଲେ। ଏହ‌ା ପରେ ଦୁଇ ଦେଶ ମଧ୍ୟରେ ହାମିଲଟନ୍‌ରେ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ରବିବାରଠାରୁ ଆରମ୍ଭ ହେବ।

ଇଣ୍ଡିଜ୍‌-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ୍ ଡ୍ର’
ଆଣ୍ଟିଗୁଆ : ନର୍ଥ ସାଉଣ୍ଡ୍‌ର ସାର୍‌ ଭିଭିଆନ୍‌ ରିଚାର୍ଡସ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍‌-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ୍‌ ବିନା ହାରଜିତ୍‌ରେ ‌ଶେଷ ହୋଇଛି। ଘରୋଇ ଦଳ ସମ୍ମୁଖରେ ୩୭୫ ରନ୍‌ ବିଜୟ ଲକ୍ଷ୍ୟ ରହିଥିଲେ ମଧ୍ୟ ନକ୍ରମା ବନର୍‌ (୧୧୩, ୨୭୪ ବଲ୍, ୧୩ ଚୌକା, ୧ ଛକା)ଙ୍କ ପ୍ରଥମ ଟେଷ୍ଟ୍ ଶତକ ବଳରେ ମ୍ୟାଚ୍‌ ଅମୀମାଂସିତ ରଖିପାରିଥିଲା। କାଇଲ୍ ମାୟର୍ସ (୫୨, ୧୧୩ ବଲ୍‌, ୫ ଚୌକା) ଭଲ ସହଯୋଗ କରିଥିଲେ। କ୍ରେଗ୍ ବ୍ରାଥୱେଟଙ୍କ ଦଳ ୪ ୱିକେଟ୍‌ ହରାଇ ୨୩୬ ରନ୍‌ ସଂଗ୍ରହ କରିଥିବା ବେଳେ ଉଭୟ ଅଧିନାୟକ ମ୍ୟାଚ୍‌ ଅମୀମାଂସିତ ରଖିବାକୁ ରାଜି ହୋଇଥିଲେ। ବନର୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ୧୬୯ ଓ ୪୭୬। ୱେଷ୍ଟଇଣ୍ଡିଜ୍‌ ୨୭୧ ଓ ୨୩୬/୪ (ନକ୍ରମା ବନର୍‌-୧୧୩*, କାଇଲ୍ ମାୟର୍ସ-୫୨)।

ସମ୍ବନ୍ଧିତ ଖବର