ସାରଜା : ଗ୍ଲେନ୍ ଫିଲିପ୍ସ ଏବଂ ଜେମ୍ସ ନିସାମଙ୍କ ବିଳମ୍ବିତ ପ୍ରହାର ବଳରେ ନ୍ୟୁଜିଲାଣ୍ଡ୍‌ ଶୁକ୍ରବାର ୫୨ ରନ୍‌ର ବଡ଼ ବ୍ୟବଧାନରେ ନାମିବ୍ୟାକୁ ପରାସ୍ତ କରି ନିଜ ଏନ୍‌ଆର୍‌ଆର୍‌କୁ ଆହୁରି ଉନ୍ନତ କରିଛି। ଯାହାକି ଭାରତର ସମ୍ଭାବନାକୁ ଅଧିକ କ୍ଷୀଣ କରି‌ଦେଇଛି। ନ୍ୟୁଜିଲାଣ୍ଡ୍ ଏହି ବିଜୟ ସହ ପାକିସ୍ତାନ ତଳକୁ ଦ୍ବିତୀୟ ସ୍ଥାନକୁ ଉଠିଛି। ନାମିବ୍ୟା ଚତୁର୍ଥ ମ୍ୟାଚ୍‌ରୁ ତୃତୀୟ ପରାଜୟ ସହ ଗୋଟିଏ ମ୍ୟାଚ୍‌ ପୂର୍ବରୁ ଆନୁଷ୍ଠାନିକ ଭାବେ ସେମିଫାଇନାଲ୍ ଦୌଡ଼ରୁ ବାଦ୍‌ ପଡ଼ିଛି। ଏହି ଦଳ ସହ ଭାରତ ସୋମବାର ଚଳିତ ବିଶ୍ବକପ୍‌ର ଶେଷ ଲିଗ୍‌ ଖେଳିବ।

Advertisment

ନାମିବ୍ୟା ଶୁକ୍ରବାର ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ଦଳର ବୋଲରମାନେ ମଧ୍ୟ ନ୍ୟୁଜିଲାଣ୍ଡ୍‌ ବ୍ୟାଟର୍‌ଙ୍କୁ ୧୪ ଓଭର୍ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ। ପ୍ରଥମ ୧୦ ଓଭରରେ ୬୨ ରନ୍‌ କରିଥିବା ବ୍ଲାକ୍ କ୍ୟାପ୍‌ ଦଳ କିନ୍ତୁ ଶେଷ ୪ ଓଭରରେ ୬୭ ରନ୍‌ ଯୋଡ଼ି ସବୁ ଓଲଟ ପାଲଟ କରିଦେଇଥିଲା। ଗ୍ଲେନ୍ ଫିଲିପ୍ସ (୩୯*, ୨୧ ବଲ୍‌, ୧ ଚୌକା, ୩ ଛକା) ଏବଂ ଜେମ୍ସ ନିସାମ (୩୫*, ୨୩ ବଲ୍‌, ୧ ଚୌକା, ୨ ଛକା)ଙ୍କ ବିସ୍ଫୋରକ ଭାଗୀଦାରି ନାମିବ୍ୟା ହାତରୁ ଏକ ପ୍ରକାର ମ୍ୟାଚ୍‌ ଛଡ଼ାଇ ନେଇଥିଲା। ଆଇସିସି ଟେଷ୍ଟ୍ ଚାମ୍ପିଅନସିପ୍ ବିଜେତା ନ୍ୟୁଜିଲାଣ୍ଡ୍‌ ସାରଜାର କଷ୍ଟକର ପିଚ୍‌ରେ ୧୬୩ ରନ୍‌ର ଲଢ଼ୁଆ ସ୍କୋର କରିଥିଲା। ଜବାବରେ ନାମିବ୍ୟା ଭଲ ଆରମ୍ଭ କରିଥିଲେ ମଧ୍ୟ ସୁଯୋଗ ହାତଛଡ଼ା କରିଦେଇଥିଲା। ଦଳର ଦୁଇ ଅଭିଜ୍ଞ ଦ୍ରୁତ ବୋଲର ଟ୍ରେଣ୍ଟ୍ ବୋଲ୍ଟ ଏବଂ ଟିମ୍ ସାଉଦି ମିଳିତ ଭାବେ ୮ ଓଭରରେ ୩୫ ରନ୍ ଦେଇ ୪ ୱିକେଟ୍‌ ଦଖଲ କରିବା ନାମିବ୍ୟାକୁ ରୋକି ଦେଇଥିଲା। ଶେଷକୁ ନାମିବ୍ୟା ନିର୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୧୧ ରନ୍‌ରେ ସୀମିତ ରହିଯାଇଥିଲା। ପ୍ରାରମ୍ଭିକ ଯୋଡ଼ି ଷ୍ଟିଫାନ୍‌ ବର୍ଡ (୨୧) ଏବଂ ମାଇକେଲ୍ ଭାନ୍‌ ଲିଙ୍ଗନ୍‌ (୨୫)ଙ୍କ ପରେ କେବଳ ୱିକେଟରକ୍ଷକ ଜାନ୍ ଗ୍ରିନ୍ (୨୩) ସାମୟିକ ଭଲ ବ୍ୟାଟିଂ କରିଥିଲେ। ଅଲରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ଜେମ୍ସ ନିସାମ (୩୫* ଏବଂ ୧/୬) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।