ଆୟରଙ୍କ ଶତକ ପରେ ନ୍ୟୁଜିଲାଣ୍ଡ୍‌ର ଲଢ଼ୁଆ ଜବାବ

କାନପୁର: ପଦାର୍ପଣ ଟେ‌ଷ୍ଟରେ ଶତକ ଅର୍ଜନ କରି ଶ୍ରେୟସ ଆୟର୍‌ ତାଙ୍କୁ ମିଳିଥିବା ଅପ୍ରତ୍ୟାଶିତ ସ‌ୁଯୋଗକୁ ଦୁଇ ହାତରେ ଜାବୁଡ଼ି ଧରିଛନ୍ତି। ୧୬ତମ ଭାରତୀୟ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଭାରତୀୟ ଭାବେ ଆୟର୍ ଏହି ଗୌରବ ଅର୍ଜନ କରିଛନ୍ତି। ଭାରତ କିନ୍ତୁ ନିଜ ପ୍ରଥମ ପାଳିରେ ୩୪୫ ରନ୍‌ ସ୍କୋର୍‌ କରି ଆଶାଜନକ ବଡ଼ ସ୍କୋର୍‌ ଛିଡ଼ା କରିପାରିନାହିଁ। ଦ୍ବିତୀୟ ଦିନ ଶେଷ ସୁଦ୍ଧା ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍‌ କୌଣସି ୱିକେଟ୍‌ ନ ହରାଇ ୧୨୯ ରନ୍‌ ସଂଗ୍ରହ କରିନେଇଥିବାରୁ ଏବେ ଭାରତ ଉପରେ ଚାପ ପଡ଼ିଛି। ଅଜିଙ୍କ୍ୟ ରାହାଣେଙ୍କ ଦଳ ଏବେ ୨୧୬ ରନ୍‌ରେ ଅଗ୍ରଣୀ ଥିବାରୁ ଶନିବାର ପ୍ରତ୍ୟାବର୍ତନ ଆଶାରେ ରହିବ।

ଶୁକ୍ରବାର ସକାଳେ ଭାରତ ୨୫୮/୪ରୁ ଖେଳିଥିଲେ ମଧ୍ୟ ରବୀନ୍ଦ୍ର ଜାଦେଜା (୫୦) କୌଣସି ରନ୍‌ ଯୋଡ଼ିବା ପୂର୍ବରୁ ଟିମ୍ ସାଉଦି ତାଙ୍କୁ ବୋଲ୍ଡ କରି ଦେଇଥିଲେ। ୱିକେଟରକ୍ଷକ ଋଦ୍ଧିମାନ ସାହାଙ୍କୁ ମଧ୍ୟ ସାଉଦି ଶିକାର କରି ଭାରତକୁ ପୁଣି ସଂଘର୍ଷ କରିବାକୁ ବାଧ୍ୟ କରିଥିଲେ। ଶ୍ରେୟସ ଆୟର ନିଜ ସ୍ମରଣୀୟ ଶତକ ପୂର୍ଣ୍ଣ କରିବା ପରେ ସାଉଦିଙ୍କ ଚତୁର୍ଥ ଶିକାର ହୋଇଥିଲେ। ଭାରତ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇ ସମ୍ଭାବ୍ୟ ୪୦୦ ରନ୍‌ ସୁଯୋଗ ହାତଛଡ଼ା କରିଥିଲା। ରବିଚନ୍ଦ୍ରନ ଅଶ୍ବିନ୍‌ କିନ୍ତୁ ଗୋଟିଏ ପାର୍ଶ୍ବରୁ ଲଢ଼ି ୫୬ ବଲ୍‌ରୁ ଉପଯୋଗୀ ୩୮ ରନ୍‌ କରିବାରୁ ଭାରତ ୩୪୫ ରନ୍‌ର ସମ୍ମାନଜନକ ସ୍କୋର୍‌ କରିପାରିଥିଲା।

ଲଗାତାର ଓଭରରେ ଅଶ୍ବିନ ଓ ଈଶାନ୍ତଙ୍କୁ ଆଉଟ୍ କରି ଏଜାଜ ପଟେଲ୍‌ ଭାରତ ପାଳିକୁ ୧୧୧.୧ ଓଭରରେ ଶେଷ କରି ଦେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ପ୍ରଥମ ଦିନ ଆହତ ‌ହୋଇ ବୋଲିଂ ପୂର୍ଣ୍ଣ କରିପାରିନଥିବା ଟିମ୍ ସାଉଦି ଦ୍ବିତୀୟ ଦିବସରେ ୫ ୱିକେଟ୍ ସଫଳତା ଅର୍ଜନ କରିଥିଲେ। ଜାମିସନ୍ ଏବଂ ଏଜାଜ ପଟେଲ୍‌ ମିଳିତ ଭାବେ ୫ ୱିକେଟ୍ ଅକ୍ତିଆର କରିଥିଲେ। ଭାରତ ଦ୍ବିତୀୟ ଦିବସରେ ୨୭.୧ ଓଭର ଖେଳି ୮୭ ରନ୍‌ ଯୋଡ଼ି ଅବଶିଷ୍ଟ ୬ ୱିକେଟ୍ ହରାଇଥିଲା।

ଜବାବରେ ନ୍ୟୁଜିଲାଣ୍ଡ୍‌ ପାଇଁ ନୂଆ ପ୍ରାରମ୍ଭିକ ଯୋଡ଼ି ଟମ୍ ଲଥାମ ଏବଂ ୱିଲ୍ ୟଙ୍ଗ ଭାରତୀୟ ବୋଲର, ଗ୍ରିନ୍ ପାର୍କ ପିଚ୍‌ ଏବଂ ନୂଆ ବଲ୍‌କୁ ପୁରୁଣା କରିବାର ପ୍ରତିଟି ଆହ୍ବାନକୁ ପ୍ରତିହତ କରିଥିଲେ। ଅଭିଜ୍ଞ ପେସ୍‌ ଯୋଡ଼ି ଈଶାନ୍ତ ଶର୍ମା ଏବଂ ଉମେଶ ଯାଦବ ୱିକେଟ୍‌ ଦଖଲରେ ବିଫଳ ହୋଇଥିଲେ। ୩ ସ୍ପିନ୍ ବୋଲର୍‌ ରବିଚନ୍ଦ୍ରନ ଅଶ୍ବିନ୍‌, ରବୀନ୍ଦ୍ର ଜାଦେଜା ଏବଂ ଅକ୍ଷର ପଟେଲ୍‌ ମିଳିତ ଭାବେ ୪୧ ଓଭର ବୋଲିଂ କରିଥିଲେ ମଧ୍ୟ ୱିକେଟଶୂନ୍ୟ ରହିଥିଲେ। ଷ୍ଟମ୍ପ୍ସ ଅପସାରଣ ବେଳକୁ ୟଙ୍ଗ୍ ୧୮୦ ବଲ୍‌ ଖେଳି ୭୫* ରନ୍‌ରେ ଏବଂ ଟମ୍ ଲଥାମ ୧୬୫ ବଲ୍‌ରୁ ୫୦* ରନ୍‌ କରି ବ୍ୟାଟିଂ କରୁଥିଲେ।

ପଦାର୍ପଣ ଶତକରେ ଆୟର୍‌ ଷୋଡ଼ଶ ଭାରତୀୟ
ଟେଷ୍ଟ୍ କ୍ରିକେଟ୍‌ର ପଦାର୍ପଣ ମ୍ୟାଚ୍‌ରେ ଶତକ ହାସଲ କରିବାରେ ଆୟର ୧୬ତମ ଭାରତୀୟ ବ୍ୟାଟର୍‌ ହୋଇଥିଲେ। ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ସେ କିନ୍ତୁ ‌ହୋଇଥିଲେ ତୃତୀୟ ଭାରତୀୟ। ପୂର୍ବଦିନ ୭୫ ରନ୍‌ରେ ଅପରାଜିତ ରହିଥିବା ଆୟର ଶୁକ୍ରବାର ସକାଳେ ଜାମିସନଙ୍କ ପ୍ରଥମ ଓଭରରେ ୨ଟି ଚୌକା ମାରି ଅଭିଯାନ ଆରମ୍ଭ କରିଥିଲେ। ଏହା ପରେ ତୁରନ୍ତ ନିଜ ଶତକ ପୂର୍ଣ୍ଣ କରି ନେଇଥିଲେ। ଶେଷ ଥର ପାଇଁ ୨୦୧୮ ମସିହାରେ ପୃ୍‌ଥ୍ବୀ ସ’ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ନିଜ ପଦାର୍ପଣ ଟେ‌ଷ୍ଟ୍‌ରେ ଶତକ ହାସଲ କରିଥିଲେ। ଏହି ଧାରା କିନ୍ତୁ ୧୯୩୩ରେ ଲାଲା ଅମରନାଥ ଇଂଲଣ୍ଡ ବିପକ୍ଷରୁ ଆରମ୍ଭ କରିଥିଲେ।

ପଦାର୍ପଣ ଟେଷ୍ଟ ଶତକ ସମ୍ପୂର୍ଣ୍ଣ ତାଲିକା: (୧)-ଲାଲା ଅମରନାଥ ବନାମ ଇଂଲଣ୍ଡ, ୧୯୩୩। (୨)-ଦୀପକ ସୋଧନ ବନାମ ପାକିସ୍ତାନ, ୧୯୫୨। (୩)-ଅର୍ଜନ କ୍ରିପାଲ ସିଂହ ବନାମ ନ୍ୟୁଜିଲାଣ୍ଡ୍‌, ୧୯୫୫। (୪)-ଆବାସ ଅଲୀ ବେଗ୍ ବନାମ ଇଂଲଣ୍ଡ, ୧୯୫୯। (୫)-ହନୁମନ୍ତ ସିଂହ ବନାମ ଇଂଲଣ୍ଡ, ୧୯୬୪। (୬)-ଗୁଣ୍ଡାପ୍ପା ବିଶ୍ବନାଥ ବନାମ ଅଷ୍ଟ୍ରେଲିଆ, ୧୯୬୯। (୭)-ସୁରିନ୍ଦର ଅମରନାଥ ବନାମ ନ୍ୟୁଜିଲାଣ୍ଡ୍‌, ୧୯୭୬। (୮) ମହମ୍ମଦ ଆଝାରୁଦ୍ଦିନ୍ ବନାମ ଇଂଲଣ୍ଡ, ୧୯୮୪। (୯) ପ୍ରବୀଣ ଆମ୍ରେ ବନାମ ଦକ୍ଷିଣ ଆଫ୍ରିକା, ୧୯୯୨। (୧୦)-ସୌରଭ ଗାଙ୍ଗୁଲି ବନାମ ଇଂଲଣ୍ଡ, ୧୯୯୬। (୧୧)-ବୀରେନ୍ଦ୍ର‌ ସେହବାଗ ବନାମ ଦକ୍ଷିଣ ଆଫ୍ରିକା, ୨୦୦୧। (୧୨)-ସୁରେଶ ରାଇନା ବନାମ ଶ୍ରୀଲଙ୍କା, ୨୦୧୦। (୧୩)-ଶିଖର ଧାୱନ ବନାମ ଅଷ୍ଟ୍ରେଲିଆ, ୨୦୧୩। (୧୪)-ରୋହିତ ଶର୍ମା ବନାମ ୱେଷ୍ଟଇଣ୍ଡିଜ୍, ୨୦୧୩। (୧୫)-ପୃଥ୍ବୀ ସ’ ବନାମ ୱେଷ୍ଟଇଣ୍ଡିଜ୍‌ ୨୦୧୮। (୧୬) ଶ୍ରେୟସ ଆୟର୍‌ ବନାମ ନ୍ୟୁଜିଲାଣ୍ଡ୍‌, ୨୦୨୧।

ସମ୍ବନ୍ଧିତ ଖବର