ହାଇଦ୍ରାବାଦ: ଶୀର୍ଷ କ୍ରମ ବ୍ୟାଟର୍ଙ୍କ ମିଳିତ ଅବଦାନ ସହ ମିଚେଲ୍ ସାଣ୍ଟନରଙ୍କ ଅଲରାଉଣ୍ଡ ପ୍ରଦର୍ଶନ (ଦ୍ରୁତ ୩୬ ରନ୍ ଓ ୫/୫୯) ସହାୟତାରେ ନ୍ୟୁଜିଲାଣ୍ଡ ଚଳିତ ବିଶ୍ବକପ୍ରେ ଲଗାତାର ବିଜୟ ପାଇଛି। ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡକୁ ୯ ୱିକେଟ୍ରେ ହରାଇଥିବା ନ୍ୟୁଜିଲାଣ୍ଡ ସୋମବାର ୯୯ ରନ୍ରେ ନେଦରଲାଣ୍ଡ୍ସକୁ ମାତ୍ ଦେଇଛି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୩୨୩ ରନ୍ର ଲକ୍ଷ୍ୟକୁ ନେଦରଲାଣ୍ଡ୍ସ ପିଛା କରି ୪୬.୩ ଓଭର ସୁଦ୍ଧା ସମସ୍ତ ୱିକେଟ୍ ହରାଇ ୨୨୩ ରନ୍ କରିପାରିଥିଲା। କଲିନ୍ ଆକରମନ୍ ଏକମାତ୍ର ବ୍ୟାଟର୍ ଭାବେ ଅର୍ଦ୍ଧଶତକ (୬୯) ଅର୍ଜନ କରିଥିଲା ବେଳେ ଅଧିନାୟକ ସ୍କଟ୍ ଏଡୱାର୍ଡ୍ସ କେବଳ ୩୦ ରନ୍ ଯୋଡ଼ିଥିଲେ। ମିଚେଲ୍ ସାଣ୍ଟନର ନେଦରଲାଣ୍ଡ୍ସର ଅଧା ୱିକେଟ୍ ଝଡ଼ାଇ ଦଳର ମେରୁଦଣ୍ଡ ଭାଙ୍ଗିଦେଇଥିଲେ। ଏଥିସହ ଚଳିତ ବିଶ୍ବକପ୍ରେ ସେ ପ୍ରଥମ ବୋଲର ଭାବେ ୫ ୱିକେଟ୍ ସଫଳତା ପାଇଥିଲେ। ମ୍ୟାଟ ହେନରି (୩/୪୦) ଓ ରାଚିନ ରବୀନ୍ଦ୍ର (୧/୪୬) ଅନ୍ୟ ୱିକେଟ୍ଗୁଡ଼ିକୁ ବାଣ୍ଟି ନେଇଥିଲେ।
ଏଥି ପୂର୍ବରୁ ନେଦରଲାଣ୍ଡ୍ସ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା। ପ୍ରଥମ ତିନି ଓଭର ମେଡେନ୍ ଯିବାରୁ ନିଷ୍ପତ୍ତି ଠିକ୍ ଲାଗୁଥିଲା। କିନ୍ତୁ ଚତୁର୍ଥ ଓଭର ପ୍ରଥମ ବଲ୍ରୁ ଚୌକା ମାରି ୱିଲ୍ ୟଙ୍ଗ ରନ୍ ମେସିନ୍ ଚଳାଇବା ଆରମ୍ଭ କରିଥିଲେ। ପ୍ରଥମ ୱକେଟ୍ରେ ଡେଭନ କନୱେଙ୍କୁ ସାଥୀ କରି ୬୭ ରନ୍ ଭାଗୀଦାରି କରିବା ପରେ ଦ୍ବିତୀୟ ୱିକେଟ୍ରେ ରାଚିନ ରବୀନ୍ଦ୍ରଙ୍କ ସହ ୭୭ ରନ୍ ଉଠାଇ ୟଙ୍ଗ (୭୦) ଆଉଟ୍ ହୋଇଥିଲେ। ପ୍ରଥମ ମ୍ୟାଚ୍ର ଶତକ ହାସଲକାରୀ କନୱେ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲା ବେଳେ ରାଚିନ ୫୧ କରିଥିଲେ। ଅଧିନାୟକ ଟମ ଲାଥମ (୫୩) ଶେଷ ପର୍ଯ୍ୟନ୍ତ ଗୋଟିଏ ପଟରୁ ପାଳି ସମ୍ଭାଳିବା ସହ ମିଚେଲ୍ ସାଣ୍ଟନରଙ୍କ ଦ୍ରୁତ ରନ୍ (୧୭ ବଲ୍ରୁ ୩୬ ରନ୍) ଯୋଗୁଁ ଦଳ ତ୍ରିଶତକ ଡେଇଁଥିଲା।
୧୦ ବର୍ଷ ପରେ ପ୍ରଥମ ତିନି ଓଭର ମେଡେନ୍
ଦିନିକିଆ କ୍ରିକେଟ୍ରେ ୧୦ ବର୍ଷ ପରେ ପ୍ରଥମ ତିନି ଓଭର ମେଡେନ୍ ଯିବା ନଜରକୁ ଆସିଛି। ନ୍ୟୁଜିଲାଣ୍ଡ-ନେଦରଲାଣ୍ଡ୍ସ ମଧ୍ୟରେ ଖେଳାଯାଇଥିବା ବିଶ୍ବକପ୍ ମ୍ୟାଚ୍ରେ ଏହି ଘଟଣା ଦେଖାଯାଇଛି। ନ୍ୟୁଜିଲାଣ୍ଡ ବ୍ୟାଟିଂ ଆରମ୍ଭ କରୁଥିବା ବେଳେ ଡେଭନ କନୱେ ଓ ୱିଲ ୟଙ୍ଗ ଏହି ମେଡେନ୍ର ଶିକାର ହୋଇଥିଲେ। ନେଦରଲାଣ୍ଡ୍ସର ଭାରତୀୟ ବଂଶୋଦ୍ଭବ ଆର୍ଯ୍ୟନ ଦତ୍ତ ପ୍ରଥମ ଓଭରରେ କନୱେଙ୍କୁ ବାନ୍ଧି ରଖିଥିଲା ବେଳେ ଦ୍ବିତୀୟ ଓଭରରେ ପ୍ରଥମ ବିଶ୍ବକପ୍ ମ୍ୟାଚ୍ ଖେଳୁଥିବା ରିୟାନ କ୍ଲେନ୍ ପ୍ରତିପକ୍ଷର ୟଙ୍ଗଙ୍କୁ ହାତ ଖୋଲିବାକୁ ସୁଯୋଗ ଦେଇନଥିଲେ। ତୃତୀୟ ଓଭରରେ ପୁଣି ଥରେ ଆର୍ଯ୍ୟନ-କନୱେ ମୁହାଁମୁହିଁରେ ନ୍ୟୁଜିଲାଣ୍ଡ ବାମହାତୀ ବ୍ୟାଟର ଗୋଟିଏ ହେଲେ ରନ୍ ବାହାର କରିପାରିନଥିଲେ। ପୂର୍ବରୁ ଏଭଳି ଘଟଣା ୨୦୧୩ରେ ଘଟିଥିଲା ବେଳେ ସେତେବେଳେ ମଧ୍ୟ ନ୍ୟୁଜିଲାଣ୍ଡ ଏଭଳି ଶିକାର ହୋଇଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷରେ କିମ୍ବର୍ଲିରେ ଖେଳାଯାଇଥିବା ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ପ୍ରଥମ ତିନି ଓଭର ମେଡେନ୍ରୁ ଆରମ୍ଭ କରିଥିଲା। ତଥାପି ଏହି ମ୍ୟାଚ୍କୁ ଦଳ ୨୭ ରନ୍ରେ ଜିତିଥିଲା।