ପାକିସ୍ତାନକୁ ୬୧ ରନ୍‌ରେ ହରାଇଲା ନ୍ୟୁଜିଲାଣ୍ଡ

ଓ୍ଵିଲିୟମସନଙ୍କ ପାଇଁ ୧-୦

େଓ୍ଵଲିଂଟନ୍‌: ନ୍ୟୁଜିଲାଣ୍ଡ ଗସ୍ତର ପ୍ରଥମ ୫୦ ଓଭରିଆ ମ୍ୟାଚ୍‌ରେ ପାକିସ୍ତାନ ପରାଜିତ ହୋଇଛି। ଅଧିନାୟକ କେନ୍‌ ଓ୍ଵିଲିୟମସନ (୧୧୫ ରନ୍‌, ୧୧୭ ବଲ୍‌, ୮ ଚୌକା, ୧ ଛକା)ଙ୍କ ଆକର୍ଷଣୀୟ ଶତକ ସହ ଟିମ୍‌ ସାଉଦି ( ୩/୨୨) ଓ ଟ୍ରେଣ୍ଟ ବୋଲ୍ଟ (୨/୩୫)ଙ୍କ ବିଶ୍ୱ ସ୍ତରୀୟ ବୋଲିଂ ବଳରେ ଘରୋଇ ନ୍ୟୁଜିଲାଣ୍ଡ ଏଠାରେ ଖେଳା ଯାଇଥିବା ପ୍ରଥମ ମୁକାବିଲାକୁ ୬୧ ରନ୍‌ରେ ଜିତି ନେଇ ୧-୦ରେ ଆଗୁଆ ହୋଇ ଯାଇଛି। ଓ୍ଵିଲିୟମସନଙ୍କ ଶତକ ତଥା କଲିନ ମୁନ୍ରୋ (୫୮) ଓ ହେନରି ନିକୋଲାସ (୫୦)ଙ୍କ ଅର୍ଧଶତକରେ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୩୧୫ ରନ୍‌ କରିଥିଲା। ହେଲେ ଏହା ପରେ ବର୍ଷା ହେବାରୁ ପାକିସ୍ତାନ ସମ୍ମୁଖରେ ଡକଓ୍ଵର୍ଥ/ଲୁଇସ୍‌ ନିୟମରେ ୩୦.୧ ଓଭରରୁ ୨୨୮ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ହେଲେ ପାକିସ୍ତାନ ସାଉଦି-ବୋଲ୍ଟଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇ ନପାରି ନିର୍ଧାରିତ ଓଭରରେ ୬ ଓ୍ଵିକେଟ୍‌ ହରାଇ ମାତ୍ର ୧୬୬ ରନ୍‌ କରି ପାରିଥିଲା। ଫଳରେ ନ୍ୟୁଜିଲାଣ୍ଡ ଡକଓ୍ଵର୍ଥ/ଲୁଇସ୍‌ ନିୟମରେ ୬୧ ରନ୍‌ରେ ବିଜୟୀ ହୋଇଥିଲା। ଓ୍ଵିଲିୟମସନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲା ୯ ତାରିଖରେ ନେଲସନ୍‌ଠାରେ ଖେଳାଯିବ।

ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ ୫୦ ଓଭରରେ ୩୧୫/୭ ( କେନ୍‌ ଓ୍ଵିଲିୟମସନ୍‌ ୧୧୫. କଲିନ ମୁନ୍ରୋ ୫୮, ହେନରି ନିକୋଲାସ ୫୦, ହାସନ ଅଲ୍ଲୀ ୩/୬୧, ଫକର ଜମନ ୧/୧୯)। ପାକିସ୍ତାନ ୩୦.୧ ଓଭରରେ ୧୬୬/୬ (ଡି/ଏଲ୍‌ ବିଜୟ ଲକ୍ଷ୍ୟ ୨୨୮, ଫକର ଜମନ ୮୨, ସଦାବ ଖାନ୍‌ ୨୮, ଟିମ୍‌ ସାଉଦି ୩/୨୨, ଟ୍ରେଣ୍ଟ ବୋଲ୍ଟ ୨/୩୫।

ସମ୍ବନ୍ଧିତ ଖବର