କାନପୁର ଟେଷ୍ଟ : ନ୍ୟୁଜିଲାଣ୍ଡ ୨୯୬ରେ ଅଲଆଉଟ୍

କାନପୁର : ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ  କାନପୁରରେ ଖେଳାଯାଉଥିବା  ଟେଷ୍ଟମ୍ୟାଚ ଏକ ରୋଚକ ମୋଡ଼ରେ ପହଞ୍ଚିଛି । ନ୍ୟୁଜିଲାଣ୍ଡ ନିଜର ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ୍ ହୋଇଯାଇଛି ।  ଫଳରେ ଭାରତ ପ୍ରଥମ ଇନିଂସରେ ୪୯ରନରେ ଆଗୁଆ ରହିଛି ।

ଆଜି ନ୍ୟୁଜିଲାଣ୍ଡ ନିଜର ଗତକାଲିର ସ୍କୋର ୧୨୯/୦ ରୁ ଆଗକୁ ଖେଳିବାକୁ ଆରମ୍ଭ କରିଥିଲା । ତେବେ ଅଶ୍ବିନ ପ୍ରଥମେ ଓ୍ବିଲ ୟଙ୍ଗଙ୍କ ଓ୍ବିକେଟ ନେଇ ଭାରତକୁ ପ୍ରଥମ ସଫଳତା ଆଣିଦେଇଥିଲେ । ୟଙ୍ଗ୍ ୮୯ ରନରେ ଆଉଟ ହୋଇଥିଲେ । ଅନ୍ୟତମ ଓପନର ଲଥମ ୯୫ ରନ କରି ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ । ଏହି ଦୁଇ ଓପନର ଆଉଟ ହେବା ପରେ ଦଳର ବ୍ୟାଟିଂକ୍ରମ ଭୁଷୁଡ଼ିବାକୁ ଲାଗିଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ଭଲ ସ୍କୋର କରିପାରି ନଥିଲେ ।

ଭାରତର ଶକ୍ତିଶାଳୀ ସ୍ପିନ ଆକ୍ରମଣ ବିପକ୍ଷରେ ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନମାନେ ଅଧିକ ସମୟ ତିଷ୍ଠି ପାରି ନଥିଲେ । ଭାରତ ପକ୍ଷରୁ ଅକ୍ଷର ପଟେଲ ୫ଟି ଓ୍ବିକେଟ ନେଇଥିବା ବେଳେ ଅଶ୍ବିନ ୩ଟି ଓ୍ବିକେଟ ନେଇଥିଲେ ।

ଭାରତ ପ୍ରଥମ ଇନିଂସରେ ୩୪୫ ରନରେ ଅଲଆଉଟ ହୋଇଯାଇଥିଲା । ଭାରତୀୟ ଇନିଂସର ମୁଖ୍ୟାଂଶ ଥିଲା ଶ୍ରେୟସ ଆୟରଙ୍କ ଶତକ । ନିଜର ପ୍ରଥମ ମ୍ୟାଚରେ ହିଁ ସେ ୧୦୫ ରନର ଇନିଂସ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେହିପରି ରବୀନ୍ଦ୍ର ଜାଦେଜା ଓ ଶୁଭମନ ଗିଲ ମଧ୍ୟ ଅର୍ଦ୍ଧଶତକ ମାରିଛନ୍ତି ।

ସମ୍ବନ୍ଧିତ ଖବର