ପୁନେ: ଟସ୍‌ ଜିଣି ନ୍ୟୁଜିଲ୍ୟାଣ୍ଡର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ପୁନେ: ପୁନେଠାରେ ଖେଳାଯିବାକୁ ଭାରତ- ନ୍ୟୁଜିଲ୍ୟଣ୍ଡ ଦ୍ୱିତୀୟ ଦିନିକିଆରେ ଟସ୍‌ ଜିଣି ନ୍ୟୁଜିଲ୍ୟାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ଦିନିକିଆ ଜିଣି ଥିବା ନ୍ୟୁଜିଲ୍ୟାଣ୍ଡ ଦଳର ମନୋବଳ ଉଚ୍ଚା ଥିବା ବେଳେ ଦଳ ପ୍ରଥମ ଦିନିକିଆ ଖେଳିଥିବା ସ୍କ୍ଵାଡ୍‌କୁ ଦ୍ୱିତୀୟ ଦିନିକିଆରେ ରିପିଟ୍‌ କରିଛି। ଅପରପକ୍ଷେ ଭାରତ ଗୋଟିଏ ପରିବର୍ତ୍ତନ କରିଛି। ସ୍ପିନର କୁଲଦୀପ ଯାଦବଙ୍କ ସ୍ଥାନରେ ବିରାଟ୍‌ କୋହଲି ଅକ୍ଷର ପଟେଲଙ୍କୁ ଖେଳିବାକୁ ସୁଯୋଗ ଦେଇଛନ୍ତି।

ନ୍ୟୁଜିଲାଣ୍ଡଠୁ ପ୍ରଥମ ମ୍ୟାଚ୍‌ ହାରି ୦-୧ରେ ପଛୁଆ ଥିବା କୋହଲି ବାହିନୀ ପୁନେରେ କର ବା ମର ସ୍ଥିତିରେ ରହିବ। ବୁଧବାର ପରାଜିତ ହେଲେ ଘରୋଇ ପରିବେଶରେ ଶୃଙ୍ଖଳା ହାରିବାର ଶକ୍ତ ଝଟ୍‌କା ଲାଗିବ। ଜିତିଲେ କିନ୍ତୁ ଶୃଙ୍ଖଳା ୧-୧ରେ ଜୀବନ୍ତ ରହିବ। ତିନି ଟିକିଆ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡକୁ କିନ୍ତୁ ଇତିହାସ ରଚିବାର ସୁଯୋଗ ମିଳିବ। ପ୍ରଥମ ଦିନିକିଆକୁ ଜିତି ଭାରତକୁ ଚକିତ କରି ଦେଇଥିବା ନ୍ୟୁଜିଲାଣ୍ଡ ପୁନେରେ ବିଜୟ ଧାରାକୁ ଅବ୍ୟାହତ ରଖି ପାରିଲେ ବିରଳ ଶୃଙ୍ଖଳା ବିଜୟର ଅନନ୍ୟ ସଫଳତା ଲାଭ କରିବ। ଭାରତରେ ଭାରତକୁ ପ୍ରଥମ ଥର ପାଇଁ କୌଣସି ଦ୍ୱିପାକ୍ଷିକ ଦିନିକିଆ ଶୃଙ୍ଖଳାରେ ପରାସ୍ତ କରିବ। ସେହିଭଳି ଭାରତର ୬ ଦ୍ୱିପାକ୍ଷିକ ଶୃଙ୍ଖଳା ବିଜୟ ରଥ ମଧ୍ୟ ଅଟକି ଯିବ। ଚଳିତ ଗସ୍ତ ପୁର୍ବରୁ ନ୍ୟୁଜିଲାଣ୍ଡ ଭାରତରେ ପାଞ୍ଚଟି ଦ୍ୱିପାକ୍ଷିକ ଦିନିକିଆ ଶୃଙ୍ଖଳା ଖେଳିଛି। ସବୁଥର ଭାରତ ବିଜୟୀ ହୋଇଛି। ୧୯୮୮ରେ ଭାରତ ୪-୦, ୧୯୯୫ରେ ୩-୨, ୧୯୯୯ରେ ୩-୨, ୨୦୧୦ରେ ୫-୦ ଓ ଗତବର୍ଷ ୩-୨ରେ ନ୍ୟୁଜିଲାଣ୍ଡକୁ ହରାଇଥିଲା।

ମୁମ୍ବାଇ ମୁକାବିଲାରେ ଭାରତର ବିପଜ୍ଜନକ ପ୍ରାରମ୍ଭିକ ଯୋଡ଼ି ଶିଖର ଧାଓ୍ଵନ ଏବଂ ରୋହିତ ଶର୍ମା ନ୍ୟୁଜିଲାଣ୍ଡ ଜାଲରେ ସହଜରେ ଫସି ଯାଇଥିଲେ। ଅଧିନାୟକ ବିରାଟ କୋହଲି ୩୧ତମ ଶତକ ହାସଲ କରିଥିଲେ। ହେଲେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ଯୁବ ତାରକା କେଦାର ଯାଦବ ଏବଂ ମନୀଷ ପାଣ୍ଡେଙ୍କ ସ୍ଥାନ ନେଇଥିବା ଦୀନେଶ କାର୍ତ୍ତିକ ଆପାତତଃ ବିଫଳ ହୋଇଥିଲେ। କୋହଲିଙ୍କ ସହ କାର୍ତ୍ତିକ ଅବଶ୍ୟ ୭୩ ରନ୍‌ର ଭାଗୀଦାରି କରିଥିଲେ। ହେଲେ ମଧ୍ୟକ୍ରମ ବିଫଳତା ପାଇଁ ଭାରତ ୩୦୦ ରନ୍‌ ଛୁଇଁ ପାରି ନଥିଲା। ପୁନେରେ ମଧ୍ୟ ମଧ୍ୟକ୍ରମ ଭାରତ ପାଇଁ ବଡ଼ ଚିନ୍ତା ହେବ। ସେହିଭଳି ଭାରତୀୟ ସ୍ପିନରଙ୍କୁ କିଓ୍ଵି ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେବା ଲାଗି ନୂଆ ଯୋଜନା ଏବଂ ନୂତନ କୌଶଳ ନେଇ ପଡ଼ିଆକୁ ଓହ୍ଲାଇବାକୁ ପଡ଼ିବ। ପ୍ରଥମ ମ୍ୟାଚ୍‌ ହାରିଥିଲେ ମଧ୍ୟ ଭାରତ ତା’ର ଚୂଡ଼ାନ୍ତ ଦଳରେ ପରବର୍ତନ କରିବା ସମ୍ଭାବନା କମ୍‌। ସେହିଭଳି ଆତ୍ମବିଶ୍ୱାସ ଭରା ନ୍ୟୁଜିଲାଣ୍ଡ ବି ଅପରିବର୍ତିତ ଦଳ ନେଇ ମ୍ୟାଚକୁ ଆସିବାର ଆଶା ଅଧିକ। ଅବଶ୍ୟ ଏକମାତ୍ର ପରିବର୍ତନ ଭାବେ କଲିନ ଗ୍ରାଣ୍ଢୋମେଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡ ଈଶ୍‌ ସୋଢ଼ୀଙ୍କୁ ଖେଳାଇପାରେ। ଆଦାମ ମିଲନେ, ଟ୍ରେଣ୍ଟ ବୋଲ୍ଟ ଏବଂ ଟିମ୍‌ ସାଉଦି ଦ୍ରୁତ ବୋଲିଂ ବାହିନୀ ସମ୍ଭାଳିବେ। ପୁନେ ପିଚ୍‌ ପାରମ୍ପରିକ ଭାବେ ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥାଏ। ଏଠାରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ଶେଷ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲା। ଏଣୁ ବୁଧବାର ଏହି ସଫଳତା ଦୋହରାଇବ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର