ନ୍ୟୁଜିଲାଣ୍ଡଠୁ ହାରିଲା ଫ୍ରାନ୍ସ

ଭୁବନେଶ୍ବର: ଚଳିତ ଓଡ଼ିଶା ହକି ବିଶ୍ବକପ୍‌ରେ ଶୁକ୍ରବାର ପୁଲ୍ ‘ଏ’ର ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ୨-୧ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି। ଶୁକ୍ରବାରର ପ୍ରଥମ ମ୍ୟାଚ୍ ଭଳି ଏହି ମ୍ୟାଚ୍ ମଧ୍ୟ ତୀବ୍ର ପ୍ରତିଦ୍ବନ୍ଦ୍ବୀତାପୂର୍ଣ୍ଣ ଥିଲା। ଗୋଲ୍ ଦେବା ଦକ୍ଷତାରେ ନ୍ୟୁଜିଲାଣ୍ଡ୍ ଆଗୁଆ ରହିବାରୁ ସମ୍ପୂର୍ଣ୍ଣ ୩ ପଏଣ୍ଟ ପକେଟସ୍ଥ କରି ନେଇଥିଲା। ଏଥି ସହିତ ଚଳିତ ବିଶ୍ବକପ୍‌ର ପ୍ରଥମ ୪ ମ୍ୟାଚ୍‌ରୁ ଫଳାଫଳ ବାହାରିଛି। ଶୁକ୍ରବାରର ଏହି ପୁଲ୍ ‘ଏ’ ମ୍ୟାଚର ପ୍ରଥମ ୧୫ ମିନିଟ୍‌ ଖେଳ ଗୋଲଶୂନ୍ୟ ବିତିଯିବା ପରେ ଦ୍ବିତୀୟ କ୍ବାର୍ଟର ପ୍ରଥମ ମିନିଟରେ ହିଁ ନ୍ୟୁଜିଲାଣ୍ଡ ଅଗ୍ରଣୀ ନେଇଥିଲା। ୨୧ ନମ୍ବର ଜର୍ସିରେ ଖେଳୁଥିବା ଅଭିଜ୍ଞ ଡିଫେଣ୍ଡର କେନ୍ ରସେଲ ଚମତ୍କାର ଭାବେ ଏକ ଫିଲ୍‌ଡ ଗୋଲ୍‌ ଦେଇ ଦଳକୁ ଆତ୍ମବିଶ୍ବାସ ପ୍ରଦାନ କରିଥିଲେ। ପ୍ରଥମାର୍ଧ ପରବର୍ତୀ ୧୫ ମିନିଟ୍‌ ଖେଳ ମଧ୍ୟ ଗୋଲଶୂନ୍ୟ ବିତିଥିଲା। ତୃତୀୟ କ୍ବାର୍ଟର ସୁଦ୍ଧା ମଧ୍ୟ ନ୍ୟୁଜିଲାଣ୍ଡ ଏହି ଏକମାତ୍ର ଗ‌ୋଲ୍ ବଳରେ ଆଗୁଆ ରହିଥିଲା। ‌ଶେଷ କ୍ବାର୍ଟରରେ ହକି କଳାର ନିଖୁଣ ନିଦର୍ଶନ ଦେଖାଇଥିଲେ ଉଭୟ ଦଳ।

୫୬ତମ ମିନିଟରେ ଷ୍ଟିଫେନ ଜେନିସ୍ ଆଉ ଏକ ଫିଲଡ୍‌ ଗୋଲ୍‌ ଦେଇଥିଲେ। ଏଥିରେ ସେ ଫ୍ରାନ୍ସ ଗୋଲରକ୍ଷକ ଆର୍ଥର ଥିଏଫ୍ରି ଏବଂ ଅନ୍ୟ ଜଣେ ଡିଫେଣ୍ଡରଙ୍କୁ ବୋକା ବନାଇ ଦେଇଥିଲେ। ଡାହାଣପାର୍ଶ୍ବରୁ ଆସିଥିବା ଜେନିସଙ୍କ ହିଟ୍‌ ଏତେ ବେଗରେ ଥିଲା ଯେ ଉଭୟ ଫରାସୀ ଠିକଣା ସ୍ଥାନରେ ଥିଲେ ବି ବଲକୁ ଦେଖିବା ପୂର୍ବରୁ ବଲ ତାଙ୍କ ପାଦ ଦେଇ ଗୋଲମୁହାଁ ‌ହୋଇଯାଇଥିଲା। ମ୍ୟାଚର ୫୮ତମ ମିନିଟ୍‌ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ଏକତରଫା (୨-୦) ଭାବେ ଆଗୁଆ ରହିଥିଲା। ଫ୍ରାନ୍ସ ଅଧିନାୟକ ଭିକ୍ଟର ଚାର୍ଲେଟ କିନ୍ତୁ ୫୯ତମ ମିନିଟରେ ପେନାଲଟି କର୍ନରରୁ ଏକମାତ୍ର ଗୋଲ୍‌ ଦେଇ କେବଳ ପରାଜୟ (୧-୨) ବ୍ୟବଧାନକୁ କମାଇବାରେ ସକ୍ଷମ ହୋଇଥିଲେ। ଏହି ମ୍ୟାଚର ପ୍ରାରମ୍ଭରେ ଭାରତୀୟ ମହିଳା ଫୁଟବଲ୍‌ ଦଳର ପୂର୍ବତନ ଅଧିନାୟକ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଏବଂ ଉନ୍ନୟନ ‌ଆୟୁକ୍ତ ଆର୍ ବାଲକ୍ରିଷ୍ଣନ ଅତିଥି ଥିଲେ। ମ୍ୟାଚର ଶ୍ରେଷ୍ଠ ଖେଳାଳି ଷ୍ଟିଫେନ୍ ଜେନିସଙ୍କୁ ବାଲକ୍ରିଷ୍ଣନ ପୁରସ୍କୃତ କରିଥିଲେ। ଏହି ମ୍ୟାଚ୍ ଅବସରରେ ଭାରତ ବିପକ୍ଷରେ ବୁଧବାର ୧୦୦ତମ ମ୍ୟାଚ୍ ଖେଳିଥିବା ଦକ୍ଷିଣ ଆଫ୍ରିକାର ଜ‌େଥ୍ରୋ ଉଷ୍ଟିସଙ୍କୁ ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନରେନ୍ଦ୍ର ବାତ୍ରା ସମ୍ମାନିତ କରିଥିଲେ। ନ୍ୟୁଜିଲାଣ୍ଡ ନିଜର ପରବର୍ତୀ ମ୍ୟାଚ ଆର୍ଜେଣ୍ଟିନା ସହିତ ସୋମବାର ଖେଳିବ। ସେହିଦିନ ଅନ୍ୟ ପୁଲ୍‌ ମ୍ୟାଚରେ ସ୍ପେନ୍‌-ଫ୍ରାନ୍ସ ମୁକାବିଲା ହେବ।

ସମ୍ବନ୍ଧିତ ଖବର