ଆବୁଧାବିରେ ହାରିଲା ପାକିସ୍ତାନ, ନ୍ୟୁଜିଲାଣ୍ଡ୍‌ ୨-୧ରେ ଶୃଙ୍ଖଳା ଜିତିଲା

ଆବୁଧାବି: ଏଠାରେ ଚାଲିଥିବା ତୃତୀୟ ଟେଷ୍ଟ୍‌ର ପଞ୍ଚମ ତଥା ଶେଷ ଦିନ ୧୪ ୱିକେଟ୍‌ ଝଡ଼ିଲା। ଫଳରେ ଚତୁର୍ଥ ଦିବସ ଶେଷ ସୁଦ୍ଧା ଅମୀମାଂସିତ ମୁହାଁ ହୋଇଥିବା ଆବୁଧାବି ଟେଷ୍ଟ୍‌ ଶେଷରେ ଫଇସଲା ହୋଇଗଲା। ପାକିସ୍ତାନ ସମ୍ମୁଖରେ ୨୮୦ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା ବେଳେ ଦଳ ୧୫୬ ରନ୍‌ରେ ସମସ୍ତ ୱିକେଟ୍‌ ହରାଇ ୧୨୩ ରନ୍‌ରେ ପରାଜୟ ବରଣ କଲା। ଆଉ ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍‌ ଆଶ୍ଚର୍ଯ୍ୟଜନକ ଭାବେ ଏହି ଟେଷ୍ଟ୍‌କୁ ଜିତି ୨-୧ରେ ମଧ୍ୟ ଶୃଙ୍ଖଳା କବ୍‌ଜା କରିନେଲା। ଦ୍ବିତୀୟ ପାଳିରେ ଶତକ ଜମାଇଥିବା ବିଜୟୀ ଦଳର ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ମ୍ୟାଚ୍‌ର ଏବଂ ପାକିସ୍ତାନୀ ସ୍ପିନର ୟାସିର୍‌ ଶାହା ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଲେ। ଆବୁଧାବିରେ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌କୁ ନ୍ୟୁଜିଲାଣ୍ଡ୍‌ ମାତ୍ର ୪ ରନ୍‌ରେ ଜିତିଥିଲା ବେଳେ ଦୁବାଇରେ ଦ୍ବିତୀୟ ଟେଷ୍ଟ୍‌କୁ ପାକିସ୍ତାନ ଏକ ପାଳି ଓ ୧୬ ରନ୍‌ରେ ଜିତି ନେଇଥିଲା। ଆଉ ତୃତୀୟ ତଥା ଶେଷ ଟେଷ୍ଟ୍‌କୁ ଜିତି ନ୍ୟୁଜିଲାଣ୍ଡ୍‌ ଦୀର୍ଘ ୪୯ ବର୍ଷ ପରେ ବିଦେଶମାଟି‌ରେ ପାକିସ୍ତାନକୁ ପରାସ୍ତ କରିବାର ସୌଭାଗ୍ୟ ପାଇଲା।

ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି ସ୍କୋର୍‌କୁ ୨୭୪ ରନ୍‌ରେ ସୀମିତ ରଖିବା ପରେ ପାକିସ୍ତାନ ୩୪୮ ରନ୍‌ କରି ୭୪ ରନ୍‌ର ଅଗ୍ରଣୀ ପାଇଥିଲା। ହେଲେ ଚତୁର୍ଥ ଦିବସ ସୁଦ୍ଧା ୨୭୨/୪ କରିଥିବା ନ୍ୟୁଜିଲାଣ୍ଡ୍‌ ୱିଲିୟମ୍‌ସନ୍‌ (୧୩୯) ଏବଂ ହେନରି ନିକୋଲ୍‌ସ (ଅପରାଜିତ ୧୨୬)ଙ୍କ ଚିତାକର୍ଷକ ଶତକ ସହାୟତାରେ ଦ୍ବିତୀୟ ପାଳିରେ ୩୫୩/୭ କରିଥିଲା ବେଳେ ଘୋଷଣା କରିଦେଇଥିଲା। ଯାହା ଫଳରେ ପାକିସ୍ତାନ ସମ୍ମୁଖରେ ୨୮୦ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ମାତ୍ର ଟିମ୍‌ ସାଉଦି (୩/୪୨), ଆଜାଜ୍‌ ପଟେଲ (୩/୪୨) ଓ ସୋମରଭିଲ୍ଲେ (୩/୫୨)ଙ୍କ ଘାତକ ବୋଲିଂ ନିକଟରେ ତିଷ୍ଠିନପାରି ପାକିସ୍ତାନ ୫୬.୧ ଓଭରରେ ୧୫୬ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା।

ସଂକ୍ଷିପ୍ତ ସ୍କୋର୍‌: ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି: ୨୭୪ ଓ ଦ୍ବିତୀୟ ପାଳି: ୧୧୩ ଓଭରରେ ୩୫୩/୭ରେ ଘୋଷଣା (କେନ୍‌ ୱିଲିୟମ୍‌ସନ୍‌-୧୩୯, ହେନରି ନିକୋଲ୍‌ସ ୧୨୬*, ୟାସିର୍‌ ଶାହା-୪/୧୨୯, ସାହିନ୍‌ ଶାହା ଆଫ୍ରିଦି-୨/୮୫)। ପାକିସ୍ତାନ ପ୍ରଥମ ପାଳି: ୩୪୮ ଓ ଦ୍ବିତୀୟ ପାଳି: ୫୬.୧ ଓଭରରେ ୧୫୬ (ବାବର ଆଜମ୍‌-୫୧, ସର୍ଫରାଜ ଅହମ୍ମଦ-୨୮, ଇମାମ୍‌ ଉଲ୍‌ ହକ୍‌-୨୨, ଟିମ୍‌ ସାଉଦି-୩/୪୨, ଆଜାଜ୍‌ ପଟେଲ-୩/୪୨, ସୋମରଭିଲ୍ଲେ-୩/୫୨)।

ସମ୍ବନ୍ଧିତ ଖବର