ନ୍ୟୁଜିଲାଣ୍ଡ୍‌ ପାଳି ଓ ୨୭୬ ରନ୍‌ରେ ଜିତିଲା: ଅଢ଼େଇ ଦିନରେ ଦକ୍ଷିଣ ଆଫ୍ରିକା ପରାସ୍ତ

ଖ୍ରୀଷ୍ଟଚର୍ଚ୍ଚ: ମ୍ୟାଟ୍ ହେନରିଙ୍କ ପରେ ଟିମ୍ ସାଉଦିଙ୍କ ଘାତକ ବୋଲିଂ କାରଣରୁ ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡ୍‌ ଏକ ପାଳି ଓ ୨୭୬ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଦ୍ବିତୀୟ ପାଳିରେ ସାଉଦି ଏକା ୫ ୱିକେଟ୍ ଦଖଲ କରିଥିବା ବେଳେ ମ୍ୟାଟ୍ ହେନରି, କାଇଲ୍ ଜାମିସନ୍‌ ଓ ‌ନିଲ୍ ୱାଗନର୍‌ ମିଳିତ ଭାବେ ୫ ୱିକେଟ୍ ଅକ୍ତିଆର କରି ନେଇଥିଲେ। ତୃତୀୟ ଦିନ ପୂର୍ବାହ୍ନରେ ମାତ୍ର ୩୨.୪ ଓଭର ଭିତରେ ଦକ୍ଷିଣ ଆଫ୍ରିକା ସମସ୍ତ ୱିକେଟ୍ ହରାଇ ୧୧୧ ରନ୍ କରିଥିଲା। ପୂର୍ବରୁ ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ମାତ୍ର ୯୫ ରନ୍‌ କରିଥିବା ବେଳେ ଘରୋଇ ଦଳ ୪୮୨ ରନ୍‌ କରିଥିଲା। ବଦଳ ଖେଳାଳି ଭାବେ‌ ଟ୍ରେଣ୍ଟ୍ ବୋଲ୍ଟଙ୍କ ସ୍ଥାନରେ ଖେଳିଥିବା ମ୍ୟାଟ୍ ହେନରି ୯/୫୫ ବୋଲିଂ ଚିତ୍ର ସହ ୫୮* ରନ୍‌ କରିଥିବାରୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ବିବେଚିତ ହୋଇଥିଲେ। ଭାରତ ବିପକ୍ଷରେ ଘରୋଇ ମାଟିରେ ୨-୧ରେ ବିଜୟୀ ହୋଇ ଏଠାକୁ ଆସିଥିବା ଦକ୍ଷିଣ ଆଫ୍ରିକା ଦଳ ୪ ଜଣିଆ ପେସ୍‌ ଆକ୍ରମଣ ଏବଂ ବିନା ସ୍ପେଶାଲିଷ୍ଟ ସ୍ପିନରଙ୍କ ବିନା ଖେଳିବାରୁ ଦିଶାହୀନ ପ୍ରଦର୍ଶନ କରିଥିଲା। ଶନିବାର ତୃତୀୟ ଦିନରେ ମଧ୍ୟ ଟିମ୍ ସାଉଦି ନ୍ୟୁଜିଲାଣ୍ଡ୍ ମାଟିରେ ୨୦୦ ଟେଷ୍ଟ୍ ୱିକେଟ୍‌ ପୂର୍ଣ୍ଣ କରିବାରେ ଦ୍ବିତୀୟ କିୱି ‌ଖେଳାଳି ହୋଇଥିଲେ। ସେ ରିଚାର୍ଡ ହାଡଲି (୨୦୧)ଙ୍କୁ ଅତିକ୍ରମ କରି ୨୦୨ ୱିକେଟ୍ ନେଇଛନ୍ତି। ସାଉଦି ମଧ୍ୟ ଟେଷ୍ଟ୍‌ରେ ୧୪ ଥର ପାଇଁ ୫ ୱିକେଟ୍‌ ସଫଳତା ହାତେଇଛନ୍ତି।

ନ୍ୟୁଜିଲାଣ୍ଡ୍‌ର ଏହା ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୬ ଟେଷ୍ଟରୁ ମାତ୍ର ପଞ୍ଚମ ବିଜୟ। ଏଥି ସହ ନ୍ୟୁଜିଲାଣ୍ଡ୍ ମଧ୍ୟ ଦକ୍ଷିଣ ଅଫ୍ରିକା ବିପକ୍ଷରେ କ୍ରମାଗତ ୧୬ ଟେଷ୍ଟ୍‌ ବିଜୟଶୂନ୍ୟ ଧାରାକୁ ଭାଙ୍ଗିଥିଲା। ଶୃଙ୍ଖଳାରେ ଏବେ ନ୍ୟୁଜିଲାଣ୍ଡ୍‌ ୧-୦ରେ ଆଗୁଆ ହୋଇଛି। ଦ୍ବିତୀୟ ତଥା ଶେଷ ଟେଷ୍ଟ୍‌ ସେହି ଖ୍ରୀଷ୍ଟଚର୍ଚ୍ଚଠାରେ ଶୁକ୍ରବାରଠାରୁ ଆରମ୍ଭ ହେବ।
ସଂକ୍ଷିପ୍ତ ସ୍କୋର: ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୯୫ (ଜୁବେୟାର୍‌ ହାମଜା-୨୫, ମ୍ୟାଟ୍ ହେନରି-୭/୨୩)। ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି: ୪୮୨ (ହେନରି ନିକଲ୍ସ-୧୦୫, ଟମ୍ ବ୍ଲଣ୍ଡେଲ୍‌-୯୬, ମ୍ୟାଟ୍‌ ହେନରି-୫୮*, ଡୁଆନ୍‌ ଓଲିଭର-୩/୧୦୦)। ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳି: ୪୧.୪ ଓଭରରେ ୧୧୧ (ତେମ୍ବା ବଭୂମା-୪୧, କାଉଲ୍ ଭେରିନ୍-୩୦, ଟିମ୍ ସାଉଦି-୫/୩୫, ନିଲ ୱାଗନର୍‌-୨/୧୯, ମ୍ୟାଟ୍‌ ହେନରି-୨/୩୨)।

ସମ୍ବନ୍ଧିତ ଖବର