ଅଷ୍ଟ୍ରେଲିଆ ଅପେକ୍ଷା ନ୍ୟୁଜିଲାଣ୍ଡ ଶକ୍ତିଶାଳୀ:ସୌରଭ ଗାଙ୍ଗୁଲି

ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍‌ ସଫଳତାର ସହ ଭାରତୀୟ ସ୍ପିନରଙ୍କୁ ପ୍ରତିହତ କଲେ। ଯଥାର୍ଥରେ ୧-୦ରେ ଆଗୁଆ ବି ହୋଇଗଲେ। ଟମ୍‌ ଲାଥମ ଏବଂ ରସ୍‌ ଟେଲର ସ୍ମରଣୀୟ ଭାଗୀଦାରି କରି ନ୍ୟୁଜିଲାଣ୍ଡକୁ ବିପଜ୍ଜନକ ନଈ ପାର କରାଇଲେ। ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ ବୋଲରଙ୍କୁ ଅଦଳ ବଦଳ କରି ଏହି ଯୋଡ଼ି ଭାଙ୍ଗିବାକୁ ବହୁ ଚେଷ୍ଟା କଲେ। ହେଲେ ଏଥିରେ ସଫଳ ହେଲେନି। କାମଚଳା ବୋଲର କେଦାର ଯାଦବଙ୍କୁ ଉପଯୋଗ କରିବାର ସାହସ ବି ଦେଖାଇଲେନି। ଅନ୍ୟପକ୍ଷରେ ରୋହିତ ଓ ଶିଖରଙ୍କୁ ଆଉଟ୍‌ କରି ଟ୍ରେଣ୍ଟ ବୋଲ୍ଟ ନ୍ୟୁଜିଲାଣ୍ଡକୁ ଭଲ ଆରମ୍ଭ ଦେଇଥିଲେ। ହେଲେ ଏହା ପରେ କୋହଲି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ତେବେ ଅନ୍ୟପଟୁ ତାଙ୍କୁ ଆବଶ୍ୟକ ସମର୍ଥନ ମିଳିଲା ନାହିଁ। କୋହଲି ଶତକ ହାସଲ କରି ନଥିଲେ ଭାରତ ସମ୍ଭବତଃ ଅଢ଼େଇ ଶହ ବି ଛୁଇଁ ପାରି ନଥାଆନ୍ତା। ସେଥିପାଇଁ ଏବେ ଚତୁର୍ଥ ସ୍ଥାନକୁ ନେଇ ଭାରତର ଚିନ୍ତା ବଢ଼ି ଯାଇଛି। ମୁଁ ଭାବୁଛି ଅଷ୍ଟ୍ରେଲିଆ ଅପେକ୍ଷା ନ୍ୟୁଜିଲାଣ୍ଡ ବୋଲିଂ ବାହିନୀ ଅଧିକ ଶକ୍ତିଶାଳୀ। ବୋଲ୍ଟ ଜଣେ ଚମତ୍କାର ବୋଲର। ମୁମ୍ବାଇରେ ସେ ଜବରଦସ୍ତ ବୋଲିଂ କରି ଅନ୍ୟତମ ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଲେ। ହେଲେ ନ୍ୟୁଜିଲାଣ୍ଡ ଏବଂ ଭାରତକୁ ଆସୁଥିବା ଅନ୍ୟ ଦଳଗୁଡ଼ିକ ମଧ୍ୟରେ ସବୁଠୁ ବଡ଼ ପାର୍ଥକ୍ୟ ହେଉଛନ୍ତି ମିଚେଲ ସାଣ୍ଟନର। ଭାରତୀୟ ଉପ ମହାଦେଶରେ ସ୍ପିନର ଭୂମିକା ବେଶ୍‌ ମହତ୍ୱପୂର୍ଣ୍ଣ ଏବଂ ସାଣ୍ଟନର ଦକ୍ଷ ବ୍ୟାଟ୍ସମ୍ୟାନଙ୍କ ବିପକ୍ଷରେ ପୂରା ନିୟନ୍ତ୍ରଣରେ ବୋଲିଂ କଲେ। ଲାଗୁଛି କିଓ୍ଵି ଦଳ କେବଳ ବୋଲିଂ ନୁହେଁ ଭାରତୀୟ ସ୍ପିନରଙ୍କୁ କିଭଳି ମୁକାବିଲା କରିବ ତା’ର ଯୋଜନା ବି ପ୍ରସ୍ତୁତ କରି ଆସିଛି। ଲାଥମ ନିଜ ସୁଇପ୍‌ କରିବା ଶକ୍ତିକୁ ଭଲ ଭାବରେ ଉପଯୋଗ କଲେ। ଟେଲର ଅନ୍ୟପଟେ ସ୍ଥିତି ନିୟନ୍ତ୍ରଣରେ ରଖିଥିଲେ। ଓ୍ଵାଙ୍ଖଡ଼େ ଷ୍ଟାଡିୟମ୍‌ ପିଚ୍‌ ସ୍ପିନରଙ୍କୁ ଢେର ସହାୟତା ଦେଉଥିଲା। ଚାପରେ ଉଭୟ ଅସୀମ ଧୈର୍ଯ୍ୟର ପରିଚୟ ଦେଇ ସଫଳ ହୋଇଥିଲେ। ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ ଲୟକୁ ଫେରନ୍ତୁ ବୋଲି ନ୍ୟୁଜିଲାଣ୍ଡ ନିଶ୍ଚିତ ଚାହୁଁଥିବ। ଏହା ହେଲେ ନ୍ୟୁଜିଲାଣ୍ଡ ବ୍ୟାଟିଂ ତୁଳନାତ୍ମକ ଭାବେ ଅଧିକ ଶକ୍ତିଶାଳୀ ହୋଇଯିବ। ସେପଟେ ଗୋଟିଏ ପରାଜୟ ପାଇଁ ଭାରତୀୟ କ୍ରିକେଟ୍‌ ଦଳ ବିଚଳିତ ହେବାର କୌଣସି କାରଣ ନାହିଁ। କାରଣ ଶୃଙ୍ଖଳାକୁ ଫେରିବାର ଶକ୍ତି ଏବଂ ସାମର୍ଥ୍ୟ ଭାରତ ପାଖରେ ଅଛି। ହେଲେ ଏକ ଶୃଙ୍ଖଳିତ ତଥା ଯୋଜନାବଦ୍ଧ ଦଳ ବିପକ୍ଷରେ ଖେଳୁଥିବାରୁ ସେମାନଙ୍କୁ ନିଜ ସ୍ତର ବଢ଼ାଇବାକୁ ପଡ଼ିବ। (ଗେମପ୍ଲାନ୍‌)

ସମ୍ବନ୍ଧିତ ଖବର