ବୋର୍ଡ ସଭାପତି ଏକାଦଶଠୁ ୩୦ ରନ୍‌ରେ ହାରିଲା

ପରାଜୟରୁ ନ୍ୟୁଜିଲାଣ୍ଡ୍‌ର ଭାରତ ଗସ୍ତ ଆରମ୍ଭ

 

ମୁମ୍ବାଇ: ନ୍ୟୁଜିଲାଣ୍ଡ୍‌ କ୍ରିକେଟ୍‌ ଦଳ ପରାଜୟରୁ ଭାରତ ଗସ୍ତ ଆରମ୍ଭ କରିଛି। ଭ୍ରମଣକାରୀ ଦଳ ମଙ୍ଗଳବାର ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ବୋର୍ଡ ସଭାପତି ଏକାଦଶ ନିକଟରୁ ୩୦ ରନ୍‌ରେ ହାରିଯାଇଛି। ୨୨ ତାରିଖରୁ ସୀମିତ ଓଭର ଶୃଙ୍ଖଳା ଖେଳିବା ପୂର୍ବରୁ ସ୍ଥାନୀୟ ବ୍ରାବର୍ଣ ଷ୍ଟାଡିୟମ୍‌ରେ ଦୁଇଟି ଅଭ୍ୟାସ ମ୍ୟାଚ୍‌ ଖେଳିବାର ସୂଚୀ ରହିଥିଲା। ସେଥିମଧ୍ୟରୁ ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ କେନ୍‌ ଓ୍ଵିଲିୟମ୍‌ସନ୍‌ଙ୍କ ନେତୃତ୍ୱରେ ଆସିଥିବା ନ୍ୟୁଜିଲାଣ୍ଡ୍‌ ୧୪ ବଲ୍‌ ପୂର୍ବରୁ ସମସ୍ତ ଓ୍ଵିକେଟ୍‌ ହରାଇ ପରାଜୟ ବରଣ କରିଥିଲା।

ଶ୍ରେୟସ ଆୟରଙ୍କ ନେତୃତ୍ତ୍ୱାଧୀନ ବୋର୍ଡ ସଭାପତି ଏକାଦଶ ଟସ୍‌ ହାରିବା ପରେ ଦମ୍‌ଦାର ଆରମ୍ଭ କରିଥିଲା। ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ପୃଥ୍ଵୀ ସ’ ଓ ଲୋକେଶ ରାହୁଲ୍‌ ଅର୍ଧଶତକ ଜମାଇ ପ୍ରଥମ ଓ୍ଵିକେଟ୍‌ରେ ୨୫ ଓଭରରେ ୧୪୭ ରନ୍‌ ଯୋଡ଼ିବା ପରେ ବିଚ୍ଛିନ୍ନ ହୋଇଥିଲେ। ରାହୁଲ୍‌ ୭୫ ବଲ୍‌ରୁ ୯ ଚୌକା ଓ ୧ ଛକା ସହାୟତାରେ ୬୮ ରନ୍‌ କରି ଆଉଟ୍‌ ହେବାର ୭ ବଲ୍‌ ପରେ ପୃଥ୍ଵି (୬୬, ୮୦ ବଲ୍‌, ୯ ଚୌକା ଓ ୧ ଛକା) ପାଭିଲିୟନ୍‌ ଫେରିଯାଇଥିଲେ।

ହେଲେ ଏହାପରେ ବି ନ୍ୟୁଜିଲାଣ୍ଡ୍‌ ବୋଲରଙ୍କୁ ତ୍ରାହି ମିଳିନଥିଲା। କରୁଣ ନାୟାର ବିସ୍ଫୋରକ ପାଳି ଖେଳି ସ୍କୋର୍‌ ୨୫୦ ପାରି କରିଦେଇଥିଲା। ନାୟାର ୬୪ ବଲ୍‌ରୁ ୧୨ ଚୌକା ସହାୟତାରେ ୭୮ ରନ୍‌ କରିଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ ଆୟର ୧୭, ଓ୍ଵିକେଟ୍‌ ରକ୍ଷକ ଋଷଭ ପନ୍ତ୍‌ ୧୫, ଗୁର୍‌କୀରଟ ସିଂହ ୧୧, ମିଲିନ୍ଦ କୁମାର ୧୦ଙ୍କ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ ଯୋଗୁଁ ବୋର୍ଡ ସଭାପତି ଏକାଦଶ ନିର୍ଧାରିତ ୫୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୨୯୫ ରନ୍‌ କରିଥିଲା। ଭ୍ରମଣକାରୀ ଦଳ ପକ୍ଷରୁ ବୋଲ୍‌ଟ ୩୮ ରନ୍‌ରେ ୫, ସାଣ୍ଟ୍‌ନର ୪୦ ରନ୍‌ରେ ୨ ଏବଂ ସୋଢ଼ି ଓ ସାଉଦି ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ପାଇଥିଲେ।

ଜବାବରେ ଜୟଦେବ ଉନାଦ୍‌କଟ୍‌ (୩/୬୨), ସାହବାଜ୍‌ ନଦୀମ୍‌ (୩/୪୧), ଧବଲ୍‌ କୁଲ୍‌କର୍ଣ୍ଣି (୧/୩୩), ଗୁରକୀରଟ ସିଂହ (୧/୧୪), ଅଭେଶ ଖାନ୍‌ (୧/୫୨), କର୍ନ ଶର୍ମା (୧/୪୬)ଙ୍କ ମିଳିତ ଆକ୍ରମଣ ଆଗରେ ତିଷ୍ଠିନପାରି ନ୍ୟୁଜିଲାଣ୍ଡ୍‌ ୪୭.୪ ଓଭରରେ ୨୬୫ ରନ୍‌ କରି ସବୁ ଓ୍ଵିକେଟ୍‌ ହରାଇଥିଲା। କେବଳ ଟମ୍‌ ଲାଥାମ୍‌ (୫୯) ଅର୍ଧଶତକ ଜମାଇଥିଲା ବେଳେ ଅଧିନାୟକ ଓ୍ଵିଲିୟମ୍‌ସନ୍‌ ୪୭, ଅଭିଜ୍ଞ ରସ୍‌ ଟେଲର ୩୪, ଗ୍ରାଣ୍ଡ୍‌ହୋମ୍‌ ୩୩, ମୁନ୍‌ରୋ ୨୬, ସାଣ୍ଟ୍‌ନର୍‌ ୨୬, ମାର୍ଟିନ୍‌ ଗପ୍ଟିଲ ୨୨, ଓ୍ଵିକେଟ୍‌ରକ୍ଷକ ଫିଲିପ୍ସ ୧୦ ରନ୍‌ର ଅବଦାନ ରଖିଥିଲେ। ଏହାସତ୍ତ୍ୱେ ଭ୍ରମଣକାରୀ ଦଳ ବିଜୟଠୁ ୩୧ ରନ୍‌ରେ ଦୂରରେ ଅଟକି ଯାଇଥିଲା। ଦ୍ୱିତୀୟ ତଥା ଶେଷ ଅଭ୍ୟାସ ମ୍ୟାଚ୍‌ ଗୁରୁବାର ଖେଳିବ।

 

ସମ୍ବନ୍ଧିତ ଖବର