ମୁମ୍ବାଇ: ଭାରତ ଗସ୍ତର ପ୍ରଥମ ଅଭ୍ୟାସ ମ୍ୟାଚ୍ରେ ପରାସ୍ତ ହୋଇଥିବା ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍ ଦଳ ଦିନିକିଆ ଶୃଙ୍ଖଳା ପୂର୍ବରୁ କିନ୍ତୁ ଦ୍ୱିତୀୟ ତଥା ଶେଷ ଅଭ୍ୟାସ ମ୍ୟାଚ୍କୁ ୩୩ ରନ୍ରେ ଜିତି ନେଇଛି। କେନ୍ ଓ୍ଵିଲିୟମ୍ସନ୍ଙ୍କ ଦଳ ଉଭୟ ଅଭ୍ୟାସ ମ୍ୟାଚ୍କୁ ଭାରତୀୟ ବୋର୍ଡ ସଭାପତି ଏକାଦଶ ବିପକ୍ଷରେ ଖେଳିଥିଲା। ଗୁରୁବାର ନ୍ୟୁଜିଲାଣ୍ଡ୍ ଦଳ ନିର୍ଧାରିତ ୫୦ ଓଭରରେ ୯ ଓ୍ଵିକେଟ୍ ହରାଇ ୩୪୩ ରନ୍ କରିଥିଲା। ରସ୍ ଟେଲର୍ (୧୦୨, ୮୩ ବଲ୍, ୧୪ ଚୌକା, ୧ ଛକା) ଏବଂ ଟମ୍ ଲଥାମ୍ (୧୦୮, ୯୭ ବଲ୍, ୭ ଚୌକା, ୨ ଛକା)ଙ୍କ ଶତକ ଦଳକୁ ଏହି ବଡ଼ ସ୍କୋର୍ ପ୍ରଦାନ କରିଥିଲା। ବୋର୍ଡ ସଭାପତି ପକ୍ଷରୁ ଜୟଦେବ ଉନାଦକତ୍ (୪/୫୭) ଏବଂ କର୍ନ ଶର୍ମା (୨/୪୫) ସଫଳ ବୋଲର ଥିଲେ। ଜବାବରେ ବଡ଼ ଭାଗୀଦାରି ଅଭାବରୁ ବୋର୍ଡ ସଭାପତି ଏକାଦଶ ୪୭.୧ ଓଭରରେ ୩୧୦ ରନ୍ରେ ସମସ୍ତ ଓ୍ଵିକେଟ୍ ହରାଇଥିଲା।
ପ୍ରାରମ୍ଭିକ ଯୋଡ଼ି ପୃଥ୍ଵୀ ସ (୨୨, ୩୮ ବଲ୍, ୪ ଚୌକା) ଏବଂ କରୁଣ ନାୟାର (୫୩, ୫୪ ବଲ୍, ୭ ଚୌକା) ଭଲ ଆରମ୍ଭ ଦେଇଥିଲେ। ଗୁରୁକିରଟ୍ ସିଂହ (୬୫, ୪୬ ବଲ୍, ୭ ଚୌକା, ୩ ଛକା) ଏକମାତ୍ର ଅର୍ଧଶତକ ହାସଲ କରିଥିଲେ। ଶେଷ ଭାଗରେ ଧବଲ କୁଲକର୍ଣି (୨୪, ୩୦ ବଲ୍) ଏବଂ ଜୟଦେବ ଉନାଦକତ୍ (୪୪, ୨୪ ବଲ୍, ୫ ଚୌକା, ୩ ଛକା) ଦଳକୁ ୩୦୦ ପାର୍ କରାଇ ସମ୍ମାନ ରଖିଥିଲେ। ନ୍ୟୁଜିଲାଣ୍ଡ୍ ପକ୍ଷରୁ ୧୧ ଜଣ ବୋଲିଂ କରିଥିଲେ। କିନ୍ତୁ ମିଚେଲ୍ ସାଣ୍ଟନର୍ ସଫଳ ବୋଲର ଭାବେ ୩ ଓ୍ଵିକେଟ୍ ନେଇଥିବା ବେଳେ ଟିମ୍ ସାଉଦି ଓ କଲିନ୍ ମୁନ୍ରୋ ୨-୨ ସଫଳତା ପାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/cricket-indian-express-5.jpg)