ୱେଷ୍ଟଇଣ୍ଡିଜ୍‌ଠୁ ୯୧ ରନ୍‌ରେ ହାରିଲା ନ୍ୟୁଜିଲାଣ୍ଡ୍‌

ବ୍ରିଷ୍ଟଲ: ନ୍ୟୁଜିଲା‌ଣ୍ଡ ବିପକ୍ଷ ଶେଷ ଅଭ୍ୟାସ ମ୍ୟାଚ୍‌ରେ ସାଇ ହୋପଙ୍କ ଶତକ ବଳରେ ୱେଷ୍ଟ୍‌ଇଣ୍ଡିଜ୍‌ ୪୨୧ ରନ୍‌ କରିଥିଲା ଏହାପରେ ନ୍ୟୁଜିଲାଣ୍ଡ୍‌କୁ ୩୩୦ ରନ୍‌ରେ ଆଉଟ୍‌ କରି ୯୧ ରନ୍‌ର ବିଜୟ ପାଇଛି।
ଟସ୍‌ ହାରି ବ୍ୟାଟିଂ ପାଇଥିବା ୱେଷ୍ଟ୍‌ଇଣ୍ଡିଜ୍‌ ୫.୪ ଓଭରରେ ୫୦ ରନ୍‌ ପୂର୍ଣ୍ଣ କରିଥିଲା। ପ୍ରଥମ ୱିକେଟ୍‌ ଭାବେ କ୍ରିସ୍‌ ଗେଲ୍‌ (୩୬, ୨୨ ବଲ୍‌, ୪ ଚୌକା, ୩ ଛକା) ଆଉଟ୍‌‌ ହେବା ବେଳକୁ ‌ଏଭିନ୍‌ ଲୁଇସ୍‌ଙ୍କ ସହ ମିଶି ଦଳୀୟ ସ୍କୋର୍‌ ୫୯ରେ ପହଞ୍ଚାଇଥିଲେ। ଲୁଇସ୍‌ (୫୦) ନିଜର ଅର୍ଧଶତକ ପୂରଣ କରି ପ୍ୟାଭିଲିୟନ ଫେରିଥିଲେ। ହୋପ ୧୦୧ (୮୬ ବଲ୍‌, ୯ ଚୌକା, ୪ ଛକା) ଶତକ ହାସଲ ପରେ ପରେ ଆଉଟ୍‌ ହୋଇଥିଲେ। ଆନ୍ଦ୍ରେ ରସେଲ (୫୪, ୨୫ ବଲ୍‌, ୭ ଚୌକା, ୩ ଛକା) ବିସ୍ଫୋରକ ଅର୍ଧଶତକ ଜମାଇଥିଲା‌ ବେଳେ ଜାସନ ହୋଲଡର ୪୭ (୩୨ ବଲ୍‌, ୩ ଚୌକା, ୩ ଛକା) ବଞ୍ଚିତ ହୋଇଥିଲେ। ସିମ୍ରନ ହେଟ୍‌ମେୟର ୨୭, ଡାରେନ ବ୍ରାଭୋ ୨୫, କାର୍ଲୋସ ବ୍ରାଥୱେଟ୍‌ ୨୪ ଏବଂ ଆସିଲେ ନର୍ସ ୨୧ ରନ୍‌ଙ୍କ ଉପଯୋଗୀ ପାଳି ଯୋଗୁଁ ୱେଷ୍ଟ୍‌ଇଣ୍ଡିଜ୍‌ ୪୦୦ ରନ୍‌ ଡେଇଁଥିଲା। ‌ନ୍ୟୁଜିଲାଣ୍ଡର ସଫଳ ବୋଲର ଭାବେ ଟ୍ରେଣ୍ଟ୍‌ ବୋଲ୍ଟ ୪ ଏବଂ ମ୍ୟାଟ୍‌ ହେନରି ୨ ୱିକେଟ୍‌ ପାଇଥିଲେ। ଜବାବରେ ନ୍ୟୁଜିଲାଣ୍ଡ୍‌ ପାଇଁ ଅଧିନାୟକ କେନ୍‌ ୱିଲିୟମସନ୍ (୮୫) ଏବଂ ୱିକେଟରକ୍ଷକ ଥମାସ୍ ବ୍ଲଣ୍ଡେଲ୍‌ (୧୦୬) ବଢ଼ିଆ ବ୍ୟାଟିଂ କରିଥିଲେ। ନ୍ୟୁଜିଲାଣ୍ଡ୍ କିନ୍ତୁ ବହୁ ପଛରେ ରହିଯାଇଥିଲା।

ସମ୍ବନ୍ଧିତ ଖବର