୬୮ରେ ଅବସର

ୱେଲିଂଟନ,: ୪୦ ବର୍ଷ ଛୁଇଁଲା କ୍ଷଣି କ୍ରିକେଟରଙ୍କ ଅବସର ଚର୍ଚା ଚରମ ସୀମାରେ ପହଞ୍ଚିଯାଏ। ଭଲ ଖେଳନ୍ତୁ କି ନଖେଳନ୍ତୁ, ସଂପୃକ୍ତ ଖେଳାଳିଙ୍କ ଅବସର କ୍ରିକେଟ୍ ଦୁନିଆର ପ୍ରମୁଖ ଚର୍ଚାର ବିଷୟ ପାଲଟିଥାଏ। ହେଲେ ନ୍ୟୁଜିଲାଣ୍ଡର ଜଣେ ଖେଳାଳି ୬୭ ବର୍ଷ ପର୍ଯ୍ୟନ୍ତ କ୍ରିକେଟ୍‌ରେ ସକ୍ରିୟ ରହିବା ପରେ ୬୮ରେ ଅବସର ଘୋଷଣା କରିଛନ୍ତି। ୧୯୭୫ରେ ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିବା ୱେନ୍ ଚାଟଫିଲ୍ଡ ନାମକ ଏହି କ୍ରିକେଟର ପରିଣତ ବୟସ ପର୍ଯ୍ୟନ୍ତ ଅବସର ନନେବାର ଯେଉଁ କାରଣ ଦର୍ଶାଇଛନ୍ତି, ତାହା ମଧ୍ୟ ବେଶ୍ ମଜାଦାର। ପୁଣି ଥରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର ଆଶା ଓ ଦକ୍ଷତା ଥିବାରୁ ମୁଁ ୬୮ ବର୍ଷ ପର୍ଯ୍ୟନ୍ତ ଅବସର ନେଉ ନଥିଲି ବୋଲି ସେ କହିଛନ୍ତି। ଏହି ମଧ୍ୟମଗତି ବୋଲର ୧୯୮୯ ମସିହାରେ ନ୍ୟୁଜିଲାଣ୍ଡ ପାଇଁ ଶେଷ ପଦାର୍ପଣ କରିଥିଲେ। ଶନିବାର ଏକ କ୍ଲବ୍ ସ୍ତରୀୟ ମ୍ୟାଚ୍‌ରେ ଖାତା ଖୋଲି ନପାରିବା ପରେ ନ୍ୟୁଜିଲାଣ୍ଡ ପକ୍ଷରୁ ପୁନର୍ବାର ଖେଳିବାର ଆଶା ଛାଡ଼ି ଚାଟଫିଲ୍ଡ ତୁରନ୍ତ ଅବସର ଘୋଷଣା କରିଥିଲେ। ଚାଟଫିଲ୍ଡ ନ୍ୟୁଜିଲାଣ୍ଡ ଜାତୀୟ କ୍ରିକେଟ୍ ଦଳରୁ ୪୩ ଟେଷ୍ଟ୍‌ ଖେଳି ୧୨୩ ଏବଂ ୧୧୪ ଦିନିକିଆରୁ ୧୪୦ ୱିକେଟ୍ ଅକ୍ତିଆର କରିଥିଲେ। ଟେଷ୍ଟ କ୍ରିକେଟ୍‌ରେ ସେ ତିନି ଥର ଏବଂ ଦିନିକିଆରେ ଥରେ ପାଞ୍ଚ ୱିକେଟ୍ ସଫଳତା ପାଇଥିଲେ।

ସମ୍ବନ୍ଧିତ ଖବର