ନେଲ୍ସନ୍,: ଲଗାତାର ଦ୍ୱିତୀୟ ଦିନିକିଆରେ ବର୍ଷାର ଖେଳ ଜାରି ରହିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ୍କୁ ବିଜୟରୁ ରୋକି ପାରିନଥିଲା। ମଙ୍ଗଳବାର ଦ୍ୱିତୀୟ ଦିନିକିଆରେ ପାକିସ୍ତାନକୁ ୮ ଓ୍ଵିକେଟ୍ରେ ହରାଇ ୫ ମ୍ୟାଚ୍ ଶୃଙ୍ଖଳାରେ ଘରୋଇ ନ୍ୟୁଜିଲାଣ୍ଡ୍ ୨-୦ରେ ଆଗୁଆ ହୋଇଛି। ମାର୍ଟିନ୍ ଗପ୍ଟିଲଙ୍କ ବିସ୍ଫୋରକ ଅର୍ଧଶତକ ବଳରେ ନ୍ୟୁଜିଲାଣ୍ଡ୍ ନିଜ ପ୍ରାଧାନ୍ୟ ଅବ୍ୟାହତ ରଖିଥିଲା।
ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। କିନ୍ତୁ ୩୯ ରନ୍ ଭ୍ିତରେ ଆଜାର୍ ଅଲୀ, ଇମାମ୍ ଉଲ୍ ହକ୍, ବାବର ଆଜମଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ଶୀର୍ଷକ୍ରମରେ ମହମ୍ମଦ ହାଫିଜ୍ (୬୦, ୭୧ ବଲ୍, ୮ ଚୌକା), ମଧ୍ୟକ୍ରମରେ ସାଦବ ଖାନ୍ (୫୨, ୬୮ ବଲ୍, ୩ ଚୌକା, ୧ ଛକା) ଏବଂ ନିମ୍ନକ୍ରମରେ ହାସନ ଅଲୀ (୫୧, ୩୧ ବଲ୍, ୪ ଚୌକା, ୪ ଛକା) ଅର୍ଧଶତକ ଜମାଇବାରୁ ଏକଦା ୧୪୧/୭ରେ ସଂଘର୍ଷ କରୁଥିବା ପାକିସ୍ତାନ ୨୪୬/୯ରେ ପହଞ୍ଚି ପାରିଥିଲା। ନ୍ୟୁଜିଲାଣ୍ଡ୍ ପକ୍ଷରୁ ଫର୍ଗୁସନ୍ ସର୍ବାଧିକ ୩ ଓ୍ଵିକେଟ୍ ନେଇଥିବାବେଳେ ଟିମ୍ ସାଉଦି, ନାଥନ୍ ଆସଲେ ୨-୨ ଏବଂ ଟ୍ରେଣ୍ଟ୍ ବୋଲ୍ଟ, ମିଚେଲ୍ ସାଣ୍ଟନର୍ ୧-୧ ଓ୍ଵିକେ୍ଟ ଅକ୍ତିଆର କରିଥିଲେ। ଜବାବରେ ନ୍ୟୁଜିଲାଣ୍ଡ୍ ୧୪ ଓଭରରେ ୨ ଓ୍ଵିକେଟ୍ ହରାଇ ୬୪ ରନ୍ ସଂଗ୍ରହ କରିଥିବାବେଳେ ବର୍ଷା ହୋଇଥିଲା। ୨ ଘଣ୍ଟାର ବିଳମ୍ବ ପରେ ନ୍ୟୁଜିଲାଣ୍ଡ୍ ସମ୍ମୁଖରେ ୨୫ ଓଭରରୁ ୧୫୧ ରନ୍ ବିଜୟ ଲକ୍ଷ୍ୟ ରଖାଯାଇଥିଲା। ଘରୋଇ ଦଳ କିନ୍ତୁ ୭ ବଲ୍ ପୂର୍ବରୁ ଆଉ କୌଣସି ଓ୍ଵିକେ୍ଟ ନ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ମାର୍ଟିନ୍ ଗପ୍ଟିଲ୍ (୮୬*, ୭୧ ବଲ୍, ୫ ଚୌକା, ୫ ଛକା) ବିସ୍ଫୋରକ ଅର୍ଧଶତକ ହାସଲ କରିଥିଲେ। ହାସନ ଅଲୀଙ୍କୁ ଲଗାତାର ଛକା ମାରି ଗପ୍ଟିଲ୍ ପ୍ରଥମରୁ ହିଁ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଏହି ଅର୍ଧଶତକ ସହିତ ମଧ୍ୟ ସେ ଲୟକୁ ଫେରିଥିଲେ। ଗପ୍ଟିଲଙ୍କୁ ଅପରପାର୍ଶ୍ୱରୁ ସମର୍ଥନ ଦେଇ ରସ୍ ଟେଲର୍ (୪୫*, ୪୩ ବଲ୍, ୪ ଚୌକା) ଦାୟିତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ପାକିସ୍ତାନ ପକ୍ଷରୁ ମହମ୍ମଦ ଆମିର୍ ଏବଂ ଫହିମ୍ ଅସ୍ରଫ୍ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଗପ୍ଟିଲ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଗୁରୁବାର ଡୁନେଡିନ୍ରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ଲାଗି ନ୍ୟୁଜିଲାଣ୍ଡ୍ କଲିନ୍ ଡି’ ଗ୍ରାଣ୍ଡୋମ୍ଙ୍କୁ ସାମିଲ କରି ଜର୍ଜ ଓ୍ଵାର୍କରଙ୍କୁ ଅବ୍ୟାହତି ଦେଇଛି। ପିତାଙ୍କ ଅକାଳ ବିୟୋଗ କାରଣରୁ କଲିନ୍ ପ୍ରଥମ ଦୁଇ ମ୍ୟାଚ୍ରୁ ବଞ୍ଚିତ ହୋଇଥିଲେ।
ପାକିସ୍ତାନକୁ ପୁଣି ହରାଇଲା ନ୍ୟୁଜିଲାଣ୍ଡ୍
/sambad/media/post_attachments/wp-content/uploads/2018/01/nezy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)