ନୂଆଦିଲ୍ଲୀ : ଖରାଦିନେ ଲୋକମାନେ ନିର୍ମଳ ପିଇବା ପାଣି ପାଉନଥିବା ବେଳେ ଆଇପିଏଲ୍ ପାଇଁ କ୍ରିକେଟ୍ ଷ୍ଟାଡିୟମଗୁଡ଼ିକରେ ବ୍ୟାପକ ଭୂତଳ ଜଳ ଅପଚୟ ହେଉଥିବା ଅଭିଯୋଗ ମିଳିବା ପରେ ଚିନ୍ତା ପ୍ରକଟ କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବୁନାଲ (ଏନଜିଟି)। ଖେଳପଡ଼ିଆଗୁଡ଼ିକର ରକ୍ଷଣାବେକ୍ଷଣ ନିମନ୍ତେ ଭୂତଳ ଜଳ ବ୍ୟବହାରକୁ ନିୟନ୍ତ୍ରିତ କରିବାକୁ ମାସକ ମଧ୍ୟରେ ଏକ ବୈଠକ ଡାକିବାକୁ ଟ୍ରିବୁନାଲ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର କ୍ରୀଡ଼ା ଓ ଯୁବଶକ୍ତି ମନ୍ତ୍ରାଳୟ, ବିସିସିଆଇ ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ପ୍ରତିନିଧିମାନଙ୍କୁ ନେଇ ଏହି ବୈଠକ କରିବାକୁ ଟ୍ରିବୁନାଲ ପକ୍ଷରୁ ଜଳଶକ୍ତି ମନ୍ତ୍ରାଳୟକୁ କୁହାଯାଇଛି ।
କ୍ରିକେଟ୍ ପଡ଼ିଆଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ପାନୀୟ ଜଳର ବ୍ୟବହାରକୁ ନିଷିଦ୍ଧ କରିବାକୁ ଏନ୍ଜିଟି ପ୍ରସ୍ତାବ ଦେଇଛନ୍ତି। ପଡ଼ିଆର ରକ୍ଷଣାବେକ୍ଷଣ ପାଇଁ ପାନୀୟ ଜଳ ବଦଳରେ ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ପ୍ରକ୍ରିୟାକୃତ ବର୍ଜ୍ୟ ଜଳର ବ୍ୟବହାର ଏବଂ ବୃଷ୍ଟିଜଳ ସଂରକ୍ଷଣ କରି ସେହି ଜଳର ବ୍ୟବହାର ଲାଗି ନିୟମାବଳୀ ପ୍ରଣୟନ ହେଉ ବୋଲି ଏନ୍ଜିଟି କହିଛନ୍ତି। ସେହିପରି ପରିବେଶ ନିୟମଗୁଡ଼ିକର ପାଳନକୁ ନିଶ୍ଚିତ କରିବା ଓ ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତି କ୍ରିକେଟ ଷ୍ଟାଡିୟମରେ ଜଣେ ଲେଖାଏଁ ପରିବେଶ ବିଶେଷଜ୍ଞଙ୍କୁ ନିଯୁକ୍ତ କରିବାକୁ ପ୍ରସ୍ତାବିତ ନିୟମରେ ବାଧ୍ୟତାମୂଳକ କରାଯାଇପାରେ। ଜଷ୍ଟିସ ଏକେ ଗୋଏଲଙ୍କୁ ନେଇ ଗଠିତ ଏନ୍ଜିଟି ଖଣ୍ଡପୀଠ କହିଛନ୍ତି ଯେ ଆମ ପରିବେଶର ସୁରକ୍ଷା ପାଇଁ ଜଳ ସଂରକ୍ଷଣ ବେଶ୍ ଗୁରୁତ୍ବପୂର୍ଣ୍ଣ। ଆଇପିଏଲ୍ ବେଳେ କ୍ରିକେଟ ଷ୍ଟାଡିୟମଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ବ୍ୟାପକ ଜଳ ଅପଚୟ ହେଉଥିବା ଦର୍ଶାଇ ହାଇଦର ଅଲ୍ଲୀ ନାମକ ବ୍ୟକ୍ତି ଏନ୍ଜିଟିରେ ଏକ ଅଭିଯୋଗ କରିଥିଲେ। ଲୋକେ ପିଇବା ପାଣି ପାଉନଥିବବେଳେ ଷ୍ଟାଡିୟମରେ ପାନୀୟ ଯୋଗ୍ୟ ଜଳର ଅପଚୟ ହେଉଛି ବୋଲି ସେ ନିଜ ଅଭିଯୋଗରେ ଦର୍ଶାଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/National-Green-Tribunal.jpg)