୧୭ ବର୍ଷରୁ କମ୍‌ ଫିଫା ଯୁବା ବିଶ୍ବକପ୍‌ ସେମିରେ ନାଇଜେରିଆ ଓ ଜର୍ମାନି

ଭୁବନେଶ୍ବର : ଚଳିତ ୧୭ ବର୍ଷରୁ କମ୍‌ ଫିଫା ଯୁବା ବିଶ୍ବକପ୍‌ରେ ସେମିଫାଇନାଲ୍‌ରେ ପହଞ୍ଚିଛି ଆଫ୍ରିକୀୟ ଦେଶ ନାଇଜେରିଆ ଓ ୟୁରୋପୀୟ ମହାଶକ୍ତି ଜର୍ମାନି। ନଭି ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମ୍‌ରେଂ‌ ଖେଳାଯାଇଥିବା ପ୍ରଥମ କ୍ବାର୍ଟର ଫାଇନାଲ୍‌ରେ ନାଇଜେରିଆ ପେନାଲଟି ସୁଟ୍‌ ଆଉଟ୍‌ରେ ଆମେରିକାକୁ ୪-୩ (୧-୧)ରେ ପରାସ୍ତ କରି ଏହି ପର୍ଯ୍ୟାୟରେ ପହଞ୍ଚିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ନିୟମିତ ସମୟ ୧-୧ ଗୋଲ୍‌ରେ ଶେଷ ହୋଇଥିଲା। ପ୍ରଥମାର୍ଦ୍ଧର ୨୬ତମ ମିନିଟରେ ଓମାମୁଜୋ ଜୋସେଫିପନ୍‌ ଇଦାଫେ ପେନାଲ୍ଟିରୁ ପ୍ରଥମ ଗୋଲ୍‌ ସ୍କୋର୍‌ କରି ନାଇଜେରିଆକୁ ଆଗୁଆ କରିଦେଇଥିଲେ। ୪୦ତମ ମିନିଟ୍‌ରେ ଆମେଲିଆ ମାର୍ଟିନା ଭିଲାରିଲ୍‌ ଆମେରିକାକୁ ବରାବର ସ୍ତରକୁ ନେଇ ଆସିଥିଲେ। ଏହିଭଳି ଭାବେ ପ୍ରଥମାର୍ଦ୍ଧ ୧-୧ରେ ଶେଷ ହୋଇଥିଲା। କର୍ଦ୍ଦମାକ୍ତ ଡିୱାଇ୍ ପାଟିଲ୍‌ ଷ୍ଟାଡିୟମ୍‌ରେ ବଲ୍‌ ନିୟନ୍ତ୍ରଣରେ ରଖିବା କଷ୍ଟକର ହେଉଥିଲେ ମଧ୍ୟ ନାଇଜେରୀୟ ଖେଳାଳି ଏହାର ଫାଇଦା ଉଠାଇଥିଲେ। ଦ୍ବିତୀୟାର୍ଦ୍ଧ କିନ୍ତୁ ଗୋଲ୍‌ଶୂନ୍ୟ ରହିବାରୁ ସିଧାସଳଖ ପେନାଲ୍ଟି ସୁଟ୍‌ ଆଉଟ୍ ଖେଳାଯାଇଥିଲା। ଉଭୟ ଦଳର ଖେଳାଳି ଗୋଟିଏ ଲେଖାଏଁ ପେନାଲ୍ଟି ମିସ୍ କରିବାରୁ ଶେଷ ପର୍ଯ୍ୟନ୍ତ ଏହା ୩-୩ରେ ରହିଥିଲା। ବଦଳ ଖେଳାଳି ଭାବେ ଆସିଥିବା ନାଇଜେରୀୟ ଗୋଲରକ୍ଷିକା ଜିୱାକୋ କିମାସ୍କୋ ନିର୍ଣ୍ଣାୟକ ପେନାଲ୍ଟିରେ ଗୋଲ୍ ବଞ୍ଚାଇବା ହିଁ ଫରକ ପକାଇଥିଲା। ନିୟମିତ ସମୟରେ ଗୋଲ୍ ଦେଇଥିବା ଇଦାଫେ ମଧ୍ୟ ଶେଷ ପେନାଲ୍ଟିକୁ ଗୋଲ୍‌ରେ ପରଣିତ କରି ସୁପର୍‌ ଇଗଲ୍ସ ନାଇଜେରିଆକୁ ସେମିଫାଇନାଲ୍‌ରେ ପହଞ୍ଚାଇ ଦେଇଥିଲେ। ବଲ୍‌ ନିୟନ୍ତ୍ରଣ, ସଟ୍‌ ଅନ୍‌ ଟାର୍ଗେଟ୍‌, ପାସ୍‌ ଆଦିରେ ଆମେରିକା ଢେର ଆଗରେ ରହି ପ୍ରଧାନ୍ୟ ବିସ୍ତାର କରିଥିଲା। କିନ୍ତୁ ସୁଟ୍‌ ଆଉଟ୍ ବେଳକୁ ନାଇଜେରିଆ ବାଜି ମାରି ନେଇ ଗ୍ରୁପ୍ ‘ଏ’ ବିଜେତା ଆମେରିକାକୁ ବିଦାୟ ରାସ୍ତା ଦେଖାଇ ଦେଇଥିଲା।

ବର୍ଷା ବାଧା ଓ ପ୍ରଥମ କ୍ବାର୍ଟର ଫାଇନାଲ୍‌ ବିଳମ୍ବ କାରଣରୁ ଦ୍ବିତୀୟ କ୍ବାର୍ଟର ଫାଇନାଲ୍ ଘଣ୍ଟାଏ ବିଳମ୍ବରେ ଖେଳାଯାଇଥିଲା। ଜର୍ମାନି ୨-୦ ଗୋଲ୍‌ରେ ବ୍ରାଜିଲକୁ ପରାସ୍ତ କରି ଶେଷ ୪ ଦଳରେ ସାମିଲ ହୋଇଯାଇଛି। ଏଥିସହ ପ୍ରଥମ ଟ୍ରଫି ଜିତିବା ଆଶାରେ ଥିବା ବ୍ରାଜିଲର ସ୍ବପ୍ନ ଚୂରମାର ହୋଇଯାଇଛି। ଏମ ଷ୍ଟେନରଙ୍କ ୨୩ତମ ମିନିଟ୍ ଗୋଲ୍ ବଳରେ ହିଁ ଜର୍ମାନି ପ୍ରଥମାର୍ଦ୍ଧକୁ ନିଜ ସପକ୍ଷରେ ରଖିଥିଲା। ଇନ୍‌ଜ୍ୟୁରି ସମୟରେ ମେଲିନା କ୍ରୁଜର (୯୫ତମ ମିନିଟ୍‌) ଦ୍ବିତୀୟ ଗୋଲ୍‌ ଦେଇଥିଲେ।

ଶନିବାର ଗୋଆର ମାରଗାଓଁସ୍ଥିତ ଫତୋର୍ଦା ଷ୍ଟାଡିୟମ୍‌ରେ ଅନ୍ୟ ଦୁଇ କ୍ବାର୍ଟର ଫାଇନାଲ୍ ଖେଳାଯିବ। ଅପରାହ୍ଣ ୪.୩୦ରେ କଲମ୍ବିଆ-ତାଞ୍ଜାନିଆ ଏବଂ ରାତି ୮.୩୦ରେ ଜାପାନ-ସ୍ପେନ୍‌ ମୁକାବିଲା ହେବ।

ସମ୍ବନ୍ଧିତ ଖବର