ଡୋପ୍‌ ପରୀକ୍ଷାରେ ବିଫଳ, ଅଲିମ୍ପିକ୍ସରୁ ବାଦ୍‌ ପଡ଼ିଲେ ନାଇଜେରିଆ ଧାବିକା ଓକାଗବାରେ

ଟୋକିଓ: ନାଇଜେରିଆ ଧାବିକା ତଥା ୨୦୦୮ ଅଲିମ୍ପିକ୍ସ ଲମ୍ବଡିଆଁ ରୌପ୍ୟ ପଦକ ବିଜୟିନୀ ବ୍ଲେସିଂ ଓକାଗବାରେଙ୍କର ଟୋକିଓ ଅଲିମ୍ପିକ୍ସ ଯାତ୍ରା ଅଧାରୁ ଶେଷ ହୋଇଯାଇଛି। ତାଙ୍କ ଶରୀରରେ ମାନବ ହରମୋନ ବିକଶିତ ହୋଇଥିବା ଡୋପ୍‌ ପରୀକ୍ଷାରୁ ଜଣାପଡ଼ିଥିଲା। ଏଥିପାଇଁ ତାଙ୍କୁ ପ୍ରାଥମିକ ଭାବେ ପରବର୍ତ୍ତୀ ଇଭେଣ୍ଟଗୁଡ଼ିକରୁ ନିଲମ୍ବିତ କରାଯାଇଥିବା ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି।

ଏହି ୩୨ ବର୍ଷିୟା ଧାବିକା ବର୍ତ୍ତମାନ ତାଙ୍କର ଚତୁର୍ଥ ଅଲିମ୍ପିକ୍ସରେ ଭାଗ ନେଇଥିଲା ବେଳେ ପୂର୍ବରୁ ୨୦୦ ମିଟର ଦୌଡ଼ ଓ ଲମ୍ବଡ଼ିଆଁର ବିଶ୍ବ ବିଜେତା ହୋଇଥିଲେ। ଟୋକିଓରେ ସେ ଗତ ଶୁକ୍ରବାର ୧୦୦ ମିଟର ଦୌଡ଼ର ହିଟ୍ସରୁ ୧୧.୦୫ ସେକେଣ୍ଡ ସମୟ ସହ ଶନିବାର ହେବାକୁଥିବା ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିଲେ। ଏହାବ୍ୟତୀତ ଆଗକୁ ୨୦୦ ମିଟର ଦୌଡ଼ ଏବଂ ୪ ଗୁଣା ୧୦୦ ମିଟର ରିଲେ ଦୌଡ଼ରେ ମଧ୍ୟ ଅଂଶଗ୍ରହଣ କରିଥା’ନ୍ତେ।

ଏବେ ଅଲିମ୍ପିକ୍ସରୁ ବିଦାହେବା ଘଟଣା ନାଇଜେରିଆ ପାଇଁ ସଦ୍ୟତମ ଝଟ୍‌କା ଭାବେ ଆସିଛି। ଏଥିପୂର୍ବରୁ ତିନିଦିନ ତଳେ ନାଇଜେରିଆର ୧୦ଜଣ ଟ୍ରାକ ଓ ଫିଲ୍ଡ ଦୌଡ଼‌କୁଦ ଖେଳାଳିଙ୍କୁ ଟୋକିଓ ଅଲିମ୍ପିକ୍ସରୁ ବାହାର କରାଯାଇସାରିଛି। ପରୀକ୍ଷା ପାଇଁ ସର୍ବନିମ୍ନ ଆବଶ୍ୟକତାକୁ ବି ଏହି କ୍ରୀଡ଼ାବିତ୍‌ମାନେ ‌ପୂରଣ କରିପାରୁନଥିବାରୁ ଏମାନଙ୍କ ଅଲିମ୍ପିକ୍ସ ଯାତ୍ରା ଶେଷ ହୋଇଯାଇଛି। ଅଲିମ୍ପିକ୍ସରେ କ୍ରୀଡ଼ାବିତ୍‌ଙ୍କୁ ନିଷିଦ୍ଧ ସାମଗ୍ରୀ ମଧ୍ୟରେ ମାନବ ହରମୋନର ସେବନକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ହରମୋନ ପ୍ରଭାବରେ ଶରୀରରୁ ଚର୍ବି ହ୍ରାସ ପାଇବା ସହ ମାଂସପେଶୀ ମଜବୁତ ହୋଇଥାଏ ଏବଂ ଦେହରେ ଶକ୍ତି ଆସିଥାଏ। ଯାହାଫଳରେ ଆହତ ହେଲେ ବି ‌କ୍ରୀଡ଼ାବିତ୍‌ମାନେ ଶୀଘ୍ର ସୁସ୍ଥ ହୋଇଯାଇଥା’ନ୍ତି ‌େବାଲି ଆଣ୍ଟି ଡୋପିଂ ଏଜେନ୍ସି ପକ୍ଷରୁ କୁହାଯାଇଛି। ତେବେ କ୍ରୀଡ଼ାବିତ୍‌ଙ୍କ ନିଲମ୍ବନ ଉପରେ ନାଇଜେରିଆ ଅଲିମ୍ପିକ ସମିତି ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

ସମ୍ବନ୍ଧିତ ଖବର