ନାଇଟ୍ କ୍ଲବ୍ ଗଣ୍ଡଗୋଳରେ ଆଫଗାନ ଖେଳାଳି

ମାଞ୍ଚେଷ୍ଟର: ଆଫଗାନିସ୍ତାନ କ୍ରିକେଟ୍ ଦଳର କେତେକ ଖେଳାଳି ମାଞ୍ଚେଷ୍ଟରର ଏକ ନାଇଟ୍ କ୍ଲବରେ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଆଫଗାନିସ୍ତାନର ମଙ୍ଗଳବାରର ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବଦିନ ରାତିରେ ଘଟିଥିଲା। ଆଫଗାନ ଖେଳାଳିମାନେ ସଂପୃକ୍ତ କ୍ଲବ୍‌ରେ ରାତ୍ର ଭୋଜନ କରୁଥିଲା ବେଳେ ଜଣେ ସାଧାରଣ ଲୋକ ସେମାନଙ୍କ ଭିଡିଓ ଚିତ୍ର ଉତ୍ତୋଳନ କରିଥିଲେ। ଆଫଗାନ ଖେଳାଳିମାାନେ ତାଙ୍କୁ ଏଥିରୁ ରୋକିଥିଲେ। ଫଳରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ପରଦିନ ଆଫଗାନିସ୍ତାନ ଆୟୋଜକ ଇଂଲଣ୍ଡଠାରୁ ୧୫୦ ରନ୍‌ର ବଡ଼ ବ୍ୟବଧାନରେ ପରାଜିତ ହୋଇଥିଲା। ମ୍ୟାଚ୍ ପରବର୍ତୀ ସାମ୍ବାଦିକ ସମ୍ମିଳନୀରେ ଏଥିନେଇ ସାମ୍ବାଦିକମାନେ ପ୍ରଶ୍ନ କରିବାକୁ ଆଫଗାନିସ୍ତାନ ଅଧିନାୟକ ଗୁଲବଦିନ ନୈବ ଏହା ଏକ ବଡ଼ ଘଟଣା ନୁହେଁ ବୋଲି କହିଥିଲେ। ମୁଁ ଏହି ବିଷୟରେ କିଛି ଜାଣିନାହିଁ। ମୋ ସୁରକ୍ଷା ଅଧିକାରୀଙ୍କୁ ଅପଣ ଏହି ବିଷୟରେ ପଚାରି ପାରନ୍ତି। ମୁଁ କାହା ବିଷୟରେ କିଛି କହି ପାରିବି ନାହିଁ ବୋଲି ସେ କହିଥିଲେ। ତେବେ ଗଣ୍ଡଗୋଳ ପରେ ସେଠାକୁ ପୁଲିସ ଯାଇଥିବା ମାଞ୍ଚେଷ୍ଟର ପୁଲିସ୍ ସୂଚନା‌ ଦେଇଛି। ମାମଲାରେ କେହି ଆହତ ହୋଇ ନାହାନ୍ତି କିମ୍ବା କେହି ଗିରଫ ହୋଇ ନାହାନ୍ତି ବୋଲି ମଧ୍ୟ ପୁଲିସ୍ କହିଛି। ଏହି ବିଷୟରେ ନୈବଙ୍କୁ ପୁନର୍ବାର ପଚାରିଯିବା ପରେ ସେ ସାମ୍ବାଦିକ ସମ୍ମିଳନୀ ଛାଡ଼ି ଚାଲି ଯିବାକୁ ଧମକ ଦେଇଥିଲେ।

ସିମନ୍ସ ଦେଲେ ଚାଞ୍ଚଲ୍ୟକର ବୟାନ
ଆଫଗାନିସ୍ତାନ ଚଳିତ କ୍ରିକେଟ୍ ବିଶ୍ବକପ୍‌ରେ ଲଗାତାର ପାଞ୍ଚଟି ମ୍ୟାଚ୍ ହାରିଛି। ଏଥିନେଇ ଏବେ ଏହି ଦଳର ମୁଖ୍ୟ ଚୟନକର୍ତା ଦୌତଲ ଅମଜାଦଜାଇ ଏବଂ ମୁଖ୍ୟ ପ୍ରଶିକ୍ଷକ ଫିଲ୍ ସିମନ୍ସ ମୁହାଁମୁହିଁ ହୋଇଛନ୍ତି। ବିପର୍ଯ୍ୟୟ ପାଇଁ ଅମଜାଦଜାଇ ଟ୍ବିଟ୍ କରି ସିମନ୍ସଙ୍କୁ ଦାୟୀ କରିଛନ୍ତି। ସିମନ୍ସ କିନ୍ତୁ ତାଙ୍କୁ ପାଲଟା ଆକ୍ରମଣ କରିଛନ୍ତି। ବିଶ୍ବକପ୍‌ର ଠିକ୍ ପୂର୍ବରୁ ନିୟମିତ ଅଧିନାୟକ ଅସଗର ଆଫଗାନଙ୍କୁ କାହିଁକି ବରଖାସ୍ତ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିରେ ଅମଜାଦଜାଇ ପ୍ରମୁଖ ଭୂମିକା ତୁଲାଇଥିବା ମଧ୍ୟ ସିମନ୍ସ ଅଭିଯୋଗ କରିଛନ୍ତି। ମୁଁ ବିଶ୍ବକପ୍ ମଧ୍ୟଭାଗରେ। ଆମ ଦଳ କେମିତି ଆଶାଜନକ ଏବଂ ଦକ୍ଷତାମୂଳକ ଖେଳ ଖେଳିବ ସେ ଚେଷ୍ଟା ଚଳାଇଛି। ବିଶ୍ବକପ୍ ପରେ ମୁଁ ଆଫଗାନିସ୍ତାନ ଜନତାଙ୍କୁ ଜଣାଇବି, ଆମ ପ୍ରସ୍ତୁତିରେ ଦୌତଲ ଅମଜାଦଜାଇ କି’ ଭୂମିକା ତୁଲାଇଥିଲେ। ଅସଗର ଆଫଗାନ ବରଖାସ୍ତ ହେବା ପଛରେ କାହା ହାତଥିଲା‌ ବୋଲି ସିମନ୍ସ ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଛନ୍ତି। ସିମନ୍ସ ଏଭଳି ଟ୍ବିଟ୍ କରିବା ପରେ ଆଫଗାନିସ୍ତାନ ଦଳରେ ଯେ ସବୁକିଛି ଠିକ୍ ନାହିଁ, ତାହା ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର