ମସ୍କୋ: ଚଳିତ ଫିଫା ବିଶ୍ୱକପ୍‌ରେ ଇରାନ ପାଇଁ ଏକାଧିକ ପ୍ରତିବନ୍ଧକ ସତ୍ତ୍ୱେ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଖେଳାଳିଙ୍କୁ ହୋଟେଲ୍‌ ଏବଂ ବିମାନ ମିଳିବାରେ ଅସୁବିଧା ହେବାରୁ ଶେଷ ମିନିଟ୍‌ରେ ଗ୍ରିସ୍‌ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରୁ ଦଳ ଓହରି ଯାଇଥିଲା। ରାଜନୈତିକ କାରଣ ଯୋଗୁଁ ଟଙ୍କା ଦେଣନେଣକୁ ନେଇ ଏଭଳି ଅସୁବିଧା ଦେଖା ଦେଇଥିଲା। ସେହିପରି ଦଳ ଏବେ ଜୋତାକୁ ନେଇ ଅଡୁଆରେ ପଡ଼ିଛି। ଆମେରିକା କଟକଣା ଯୋଗୁଁ ଏହି ଦେଶର କମ୍ପାନି ନାଇକ୍‌ ଇରାନ୍‌କୁ ଜୋତା ଦେବାକୁ ମନା କରିଦେଇଛି। ଶେଷ ସମୟରେ ଏଭଳି ଅସୁବିଧା ଦେଖା ଦେବାରୁ ଇରାନ୍‌ ପ୍ରଶିକ୍ଷକ କାର୍ଲୋସ୍‌ କ୍ୱେରଜ୍‌ ଏଥିରେ ହସ୍ତକ୍ଷେପ କରିବାକୁ ଫିଫାକୁ ଚିଠି ଲେଖିଛନ୍ତି। କମ୍‌ ସମୟ ଥିବାରୁ ଅନ୍ୟ କମ୍ପାନିଠୁ ଜୋତା କିଣିବା ସମ୍ଭବ ନହେବାରୁ କିଛି ଖେଳାଳି ରୁଷୀୟ ବଜାରରୁ ଜୋତା କଣିଛନ୍ତି। ଆଉ କେତେ ଜଣ ସାଥୀ ଖେଳାଳିଙ୍କଠୁ ଜୋତା ମାଗି ଶୁକ୍ରବାର ମରକ୍କୋ ବିପକ୍ଷ ପ୍ରଥମ ମ୍ୟାଚ୍‌ ଜିତିନେଇଥିଲେ।