ଅଲିମ୍ପିକ୍‌ ଯୋଗ୍ୟତା ପାଇଁ ମୁଷ୍ଟିଯୁଦ୍ଧ ଟ୍ରାଏଲ୍‌ ଦେବାକୁ ନିଖତ ମନୋନୀତ

ନୂଆଦିଲ୍ଲୀ : ଅଲିମ୍ପିକ୍‌ ଯୋଗ୍ୟତା ପାଇଁ ମୁଷ୍ଟିଯୁଦ୍ଧ ଟ୍ରାଏଲ୍‌ ଦେବାକୁ ନିଖତ ଜାରିନ୍‌ଙ୍କ ଦାବି ଶେଷରେ ରହିଲା। ଅଲିମ୍ପିକ୍‌ ଯୋଗ୍ୟତା ପାଇଁ ଚଳିତ ମାସ ୨୭ ତାରିଖରେ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍‌ରେ ଆୟୋଜିତ ଦୁଇ ଦିନିଆ ଟ୍ରାଏଲ୍‌ ନିମେନ୍ତ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧାଙ୍କ ମଧ୍ୟରେ ନିଖତ ମନୋନୀତ ହୋଇଛନ୍ତି। ଏଠାରେ ମନୋନୟନ ସମିତି ବୈଠକ ପରେ ନିଖତଙ୍କୁ ଚତୁର୍ଥ ପ୍ରତିଯୋଗୀ ଭାବେ ଟ୍ରାଏଲ୍‌କୁ ଡକରା ଯାଇଛି। ସେ ୫୧ କେଜି ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରିବେ। ତାଙ୍କ ବ୍ୟତୀତ ପୂର୍ବରୁ ୬ ଥର ବିଶ୍ବ ବିଜୟିନୀ ଏମ୍‌ସି ମେରି କମ୍‌, ଆର୍‌ଏସ୍‌ପିବିର ଜ୍ୟୋତି ଗୁଲିଆ ଓ ହରିଆନାର ରିତୁ ଗ୍ରେୱାଲ ମନୋନୀତ ହୋଇସାରିଛନ୍ତି। ଟ୍ରାଏଲ୍‌ରେ ମେରି କମ୍‌ଙ୍କୁ ଶୀର୍ଷ ମାନ୍ୟତା ମିଳିଥିଲା ବେଳେ ଜାରିନ୍‌ ଦ୍ବିତୀୟ, ଜ୍ୟୋତି ତୃତୀୟ ଓ ରିତୁ ଚତୁର୍ଥ ମାନ୍ୟତା ପାଇଛନ୍ତି। ଭାରତୀୟ ମୁଷ୍ଟିଯୁଦ୍ଧ ସଂଘ (ବିଏଫ୍‌ଆଇ)ର ସୂଚୀ ଅନୁଯାୟୀ ଶୀର୍ଷ ମାନ୍ୟତା ସହ ଚତୁର୍ଥ ଏବଂ ଦ୍ବିତୀୟ ଓ ତୃତୀୟ ମାନ୍ୟତା ପରସ୍ପର ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ହେବେ। ପ୍ରତି ମୁକାବିଲାର ବିଜେତା ହିଁ ଫାଇନାଲ୍‌ ଟ୍ରାଏଲ୍‌ ମ୍ୟାଚ୍‌ ଖେଳିବେ। ଶେଷରେ ୫ ବର୍ଗର ବିଜେତା ହିଁ ଅଲିମ୍ପିକ୍‌ ଯୋଗ୍ୟତା ପାଇଁ ଭାରତୀୟ ଦଳର ପ୍ରତିନିଧିତ୍ବ କରିବେ। ଅନ୍ୟ ୪ ବର୍ଗରେ ସୋନିଆ, ସୋନିଆ ଲାଥେର, ସାକ୍ଷୀ ଓ ମନୀଷା (୫୭ କେଜି), ଏଲ୍‌ ସରିତା ଦେବୀ, ଶଶି ଚୋପ୍ରା, ସିମ୍ରନ୍‌ଜିତ୍‌ କୌର ଓ ପବିତ୍ରା (୬୦ କେଜି), ଲଭ୍‌ଲିନା ବୋର୍ଗେହେଁ, ଅଞ୍ଜଳି, ଲଲିତା ଓ ମୀନା ରାଣୀ (୬୯ କେଜି) ଏବଂ ପୂଜା ରାଣୀ, ଇନ୍ଦ୍ରଜା, ସ୍ବିଟି ବୁରା ଓ ନୁପୁର (୭୫ କେଜି) ପ୍ରତିଦ୍ବନ୍ଦ୍ବିତା କରିବେ। ଅନ୍ୟପକ୍ଷରେ ପୁରୁଷ ମୁଷ୍ଟିଯୁଦ୍ଧାଙ୍କ ମଧ୍ୟରେ ବିକାଶ କୃଷ୍ଣନ୍‌, ଆଶିଷ, ନବୀନ ବୋରା ଓ ଦୁର୍ଯ୍ୟୋଧନ ସିଂହ (୬୯ କେଜି), କବିନ୍ଦର ବିସ୍ତ, ଗୌରବ ସୋଲାଙ୍କି, ମହମ୍ମଦ ହୁସାମୁଦିନ୍ ଓ ସଚିନ୍‌ (୫୭ କେଜି), ବ୍ରିଜେଶ ଯାଦବ, ସଚିନ୍ କୁମାର, ସୁମିତ ସାଙ୍ଗୱାନ୍‌ (୮୧ କେଜି), ଆଶିଷ କୁମାର ଓ ଅଙ୍କିତ ଖତାନା (୭୫ କେଜି), ନମନ ତନୱାର, ନବୀନ, ଗୌରବ ଚୌହାନ୍ (୯୧ କେଜି) ଏବଂ ସତୀଶ କୁମାର ଓ ନରେନ୍ଦ୍ର (୯୧+ କେଜି) ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର