ନିକୋଲଙ୍କ ଶତକ: ଅଷ୍ଟ୍ରେଲିଆର ଏକତରଫା ବିଜୟ

ଭଦୋଦରା : ଆଇସିସି ମହିଳା କ୍ରିକେଟ୍‌ ପ୍ରତିଯୋଗିତା ଅନ୍ତର୍ଗତ ଭଦୋଦରାଠାରେ ଆରମ୍ଭ ହୋଇଥିବା ଭାରତ-ଅଷ୍ଟ୍ରେଲିଆ ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତ ଶୋଚନୀୟ ପରାଜୟ ବରଣ କରିଛି। ନିକୋଲ ବୋଲଟନଙ୍କ ୧୦୧ ବଲ୍‌ ଅପରାଜିତ ଶତକ ଏବଂ ସ୍ପିନରଙ୍କ ଶାଣିତ ବୋଲିଂ ସହାୟତାରେ ଅଷ୍ଟ୍ରେଲିଆ ସୋମବାର ଭାରତୀୟ ମହିଳା ଦଳକୁ ୮ ଓ୍ଵିକେଟ୍‌ରେ ପରାସ୍ତ କରି ତା’ର ବିଜୟ ଅଭିଯାନ ଆରମ୍ଭ କରିଛି। ଏପରିକି ଭାରତ ଧାର୍ଯ୍ୟ କରିଥିବା ୨୦୧ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୧୭.୫ ଓଭର ପୂର୍ବରୁ ହାସଲ କରି ନେଇଥିଲା। ନିକୋଲ କଙ୍ଗାରୁ ଦଳର ବିଜୟର ପ୍ରମୁଖ ଭୂମିକା ତୁଲାଇଥିଲେ ମଧ୍ୟ ଅଭିଜ୍ଞ ବ୍ୟାଟର ଏଲିସ୍‌ ପେରି (୨୫*) ବିଜୟ ସୂଚକ ରନ୍‌ ସଂଗ୍ରହ କରିଥିଲେ।

ଭାରତୀୟ ଦଳ ଆଜି ଏମିତି ଦୟନୀୟ ବ୍ୟାଟିଂ କରିଥିଲା ଯେ ୧୦୦ ଟପିଲା ବେଳକୁ ୭ ଜଣ ବ୍ୟାଟରଙ୍କୁ ହରାଇ ସାରିଥିଲା। ଅଷ୍ଟମ ଓ୍ଵିକେଟ୍‌ରେ ସୁଷମା ବର୍ମା (୪୧) ଓ ପୂଜା ଭସ୍ତ୍ରକାର (୫୧)ଙ୍କ ୭୬ ରନର ଭାଗୀଦାରି ପାଇଁ ହିଁ ଦଳ ୨୦୦ ରନ୍‌ ଛୁଇଁ ପାରିଥିଲା। ଅନ୍ୟମାନଙ୍କ ମଧ୍ୟରେ ପୁନମ ରାଉତ ୩୭, ଅଧିନାୟିକା ହରମନପ୍ରୀତ କୌର ୯, ସ୍ମୃତି ମନ୍ଧାନା ୧୨ ଓ ଭେଦା କୃଷ୍ଣମୂର୍ତି ୧୬ ରନ୍‌ କରିଥିଲେ। ଭାରତ ସମସ୍ତ ଓ୍ଵିକେଟ୍‌ ହରାଇ ୨୦୦ ରନ୍‌ କରିଥିଲା। ଅଷ୍ଟ୍ରେଲିଆ ୩୨.୧ ଓଭରରେ ୩ ଓ୍ଵିକେଟ୍‌ ବିନିମୟରେ ୨୦୨ ରନ୍‌ କରି ବିଜୟୀ ହୋଇଥିଲା। ସଂକ୍ଷିପ୍ତ ସ୍କୋର: ଭାରତ ମହିଳା ୫୦ ଓଭରରେ ୨୦୦ (ପୂଜା ଭସ୍ତ୍ରକାର ୫୧, ସୁଷମା ବର୍ମା ୪୧, ପୁନମ ରାଉତ ୩୭, ଜେସ୍‌ ଜୋନାସେନ ୪/୩୦, ଆମଣ୍ଡା େଓ୍ଵଲିଂଟନ ୩/୨୭) ଅଷ୍ଟ୍ରେଲିଆ ମହିଳା ୩୨.୧ ଓଭରରେ ୨୦୨/୩ ( ନିକୋଲ ବୋଲଟନ ୧୦୦*, ଆଲିସା ହିଲି ୩୮, ମେଗାନ ଲାନିଂ ୩୩, ଶିଖା ପାଣ୍ଡେ ୧/୩୮)।

ସମ୍ବନ୍ଧିତ ଖବର