ନୂଆଦିଲ୍ଲୀ: ପ୍ୟାରିସ୍ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ନବଦୀପ ସିଂହ ନିଜ ଜୀବନର ଅକୁହା କାହାଣୀ ବର୍ଣ୍ଣନା କରିଛନ୍ତି। ପୁରୁଷ ଜାଭଲିନ୍ ଏଫ୍୪୧ରେ ପ୍ରଥମେ ସେ ରୌପ୍ୟ ଜିତିଥିଲେ। ପରବର୍ତ୍ତୀ ସମୟରେ ସ୍ବର୍ଣ୍ଣ ବିଜେତା ଅଯୋଗ୍ୟ ହେବାରୁ ତାଙ୍କ ପଦକ ବଦଳି ସ୍ବର୍ଣ୍ଣ ହୋଇଥିଲା। ଏଥିସହ ସେ ଆଥ୍ଲେଟିକ୍ ଜୀବନରେ ଐତିହାସିକ ମାଇଲ୍ଖୁଣ୍ଟ ଛୁଇଁଥିଲେ। କିଭଳି ଏକ ସଂଘର୍ଷପୂର୍ଣ୍ଣ ଜୀବନରୁ ମୁକୁଳି ଏହି ସଫଳତା ପାଇଥିଲେ ସେ ଏକ ପୋଡକାଷ୍ଟ ସାକ୍ଷାତକାରରେ ଏହାର କାହାଣୀ ବଖାଣିଛନ୍ତି। ବାମନ ଭାବେ ଜନ୍ମ ହେବା ତାଙ୍କ ପାଇଁ କଷ୍ଟକର ଥିଲା। ସାହିପଡ଼ିଶାଠୁ ଆରମ୍ଭ କରି ସବୁଠୁ ଟାହିଟାପରାର ଶିକାର ହେଉଥିଲେ।
ଏମିତି ବି କେତେଜଣ ତାଙ୍କୁ ଆତ୍ମହତ୍ୟା କରିଦେବା ଲାଗି ପରାମର୍ଶ ଦେଉଥିଲେ। ପୁରୁଣା ଦିନର କଥା ମନେ ପକାଇ ସେ କହିଛନ୍ତି, ‘‘ଆପଣମାନଙ୍କୁ କ’ଣ ଲାଗୁଛି ଆମକୁ ସାହସ କେଉଁଠୁ ଅସୁଛି? ଯେବେ ସେମାନେ କୁହନ୍ତି, ତୁ କିଛି କରି ପାରିବୁନି। ଏହାଠୁ ଭଲ ତୁ ଆତ୍ମହତ୍ୟା କରିଦେ। ଏ କି ଜୀବନ ତୋର’’। ଏହି ବିଜୟ ଖାଲି ଖେଳର ନୁହେଁ। ଏହା ମୋ ସମାଲୋଚକଙ୍କ ସମାଲୋଚନକୁ ଭୁଲ୍ ପ୍ରମାଣିତ କରିଦେଇଛି। ପ୍ୟାରିସ୍ରେ ନବଦୀପ ୪୭.୩୨ ମିଟର ଜାଭ୍ଲିନ୍ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଥିଲେ। ପୋଡକାଷ୍ଟ ବେଳେ ତାଙ୍କ ବାପାଙ୍କ ବିଷୟରେ ଆଲୋଚନା ବେଳେ ସେ ଭାବପ୍ରବଣ ହୋଇ କହିଥିଲେ, ‘‘ସେ ଆରମ୍ଭ କରାଇଥିଲେ। ସବୁ ସମୟରେ ମୋ ସହ ଥିଲେ। ଏବେ ସେ ନାହାନ୍ତି, କିନ୍ତୁ ମୋ ସଫଳତାରେ ତାଙ୍କର ହିଁ ବଡ଼ ଭୂମିକା ରହିଛି’’।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/oxf7uammLFsZ3Tubgjqc.jpg)