ବେୟର୍ଣ୍ଣ ମ୍ୟୁନିକ୍‌କୁ କ୍ରମାଗତ ନବମ ବୁନ୍ଦେସଲିଗା ମୁକୁଟ

ମ୍ୟୁନିକ୍‌: ବୁରୁସିଆ ମ‌ଞ୍ଚେନଗ୍ଲାଡବ୍ୟାକ୍‌କୁ ଏକତରଫା ଭାବେ ୬-୦ ଗୋଲ୍‌ରେ ହରାଇ ବେୟର୍ଣ୍ଣ ମ୍ୟୁନିକ ଲଗାତାର ନବମ ଥର ପାଇଁ ବୁନ୍ଦେସଲିଗା ଟ୍ରଫି ବିଜେତା ହୋଇଛି। ଏଥି ସହିତ ବେୟର୍ଣ୍ଣର ‌କୀର୍ତ୍ତିମାନ ମଧ୍ୟ ଆଗକୁ ଲମ୍ବିଛି। ୬ ଗୋଲ୍‌ ମଧ୍ୟରୁ ରବର୍ଟ ଲିୱଣ୍ଡସ୍କି ହ୍ୟାଟ୍ରିକ ଅର୍ଜନ କରିବା ସହିତ ଏକ ୪୯ ବର୍ଷ ତଳର କୀର୍ତ୍ତିମାନର ନିକଟତର ହୋଇଛନ୍ତି। ୧୯୭୧-୭୨ ଋତୁରେ ଗର୍ଡ ମୁଲାର୍‌ ୪୦ ଗୋଲ୍‌ ଦେଇଥିବା ବେଳେ ଲିୱଣ୍ଡସ୍କିଙ୍କ ଗୋଲ୍‌ ସଂଖ୍ୟା ୩୯ରେ ପହଞ୍ଚିଯାଇଛି। ଆଉ ଦୁଇଟି ମ୍ୟାଚ୍‌ ଥିବାରୁ ସେ ମଲାରଙ୍କୁ ଟପିଯିବା ସମ୍ଭାବନା ରହିଛି। ଏଥର ଦୁଇଟି ମ୍ୟାଚ୍‌ ପୂର୍ବରୁ ପ୍ରତିଯୋଗିତାର ବିଜେତା ନିର୍ଣ୍ଣୟ ହୋଇଯାଇଛି। ନିଜର ହ୍ୟାଟ୍ରିକ୍ ପାଇଁ ଖୁସି ଜାହିର କରି ଲିୱଣ୍ଡସ୍କି କହିଛନ୍ତି ‘ପିଚ୍‌ରେ ଚାମ୍ପିଅନ୍ ଭଳି ଖେଳି ପଏଣ୍ଟ ଅର୍ଜନ କରିବା ଲକ୍ଷ୍ୟ ଥିଲା। ସାଥୀ ଖେଳାଳିମାନଙ୍କଠାରୁ ସହାୟତା ମିଳିଥିବାରୁ ଏତେ ଗୋଲ୍‌ ଦେଇ ପାରିଲି’।

ସୂଚନାଯୋଗ୍ୟ, ମ୍ୟାଚ୍‌ର ୭୫ତମ ମିନିଟରେ ତାଙ୍ଗୁଏ ନିଆ‌ଞ୍ଜୋ ସିଧାସଳଖ ଲାଲ୍ କାର୍ଡ ପାଇବାରୁ ବେୟର୍ଣ୍ଣ ମ୍ୟୁନିକ୍‌ ୧୦ ଜଣରେ ଖେଳିଥିଲା। ତଥାପି ଏହା ଫଳାଫଳକୁ କୌଣସି ଭାବେ ପ୍ରଭାବିତ କରିପାରିନଥିଲା। ବରଂ ୪ ମିନିଟ୍ ଥିବାବେଳେ ଲେୟର ସେନ୍‌ ଶେଷ ଗୋଲଟି ଦେଇଥିଲେ।

ସମ୍ବନ୍ଧିତ ଖବର