ଟେରେସା (ସ୍ପେନ୍): ମହିଳା ହକିରେ ନେଦରଲାଣ୍ଡ୍ସର ପ୍ରାଧାନ୍ୟ ଜାରି ରହିଛି। ବିଗତ ଦଶନ୍ଧି ଧରି ଅପ୍ରତିଦ୍ବନ୍ଦ୍ବୀ ରହିଥିବା ଏହି ୟୁରୋପୀୟ ଦେଶ ଲଗାତାର ତୃତୀୟ ଥର ଏଫ୍ଆଇଏଚ୍ ମହିଳା ହକି ବିଶ୍ବକପ୍ ଟ୍ରଫି ଜିତି ହ୍ୟାଟ୍ରିକ ଅର୍ଜନ କରିଛି। ମୋଟ ଉପରେ ନବମ ଥର ବିଶ୍ବକପ୍ ଜିତି ମଧ୍ୟ କୀର୍ତ୍ତିମାନ ପ୍ରତିଷ୍ଠା କରିଛି ନେଦରଲାଣ୍ଡ୍ସ। ସ୍ପେନର ଟେରେସାରେ ରବିବାର ରାତିରେ ଅନୁଷ୍ଠିତ ଫାଇନାଲ୍ରେ ନେଦରଲାଣ୍ଡ୍ସ ୩-୧ ଗୋଲ୍ରେ ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲା। ପ୍ରତିଯୋଗିତାରେ ସମସ୍ତ ୬ ମ୍ୟାଚ୍ ସିଧାସଳଖ ଜିତି ମଧ୍ୟ ନିଜ ଖେଳକୁ ପ୍ରମାଣିତ କରିଥିଲା। ଏହା ପୂର୍ବରୁ ୧୯୭୪, ୧୯୭୮, ୧୯୮୩, ୧୯୮୬, ୧୯୯୦, ୨୦୦୬, ୨୦୧୪, ୨୦୧୮ରେ ମଧ୍ୟ ବିଜେତା ହୋଇଥିଲା ନେଦରଲାଣ୍ଡ୍ସ ମହିଳା ଦଳ। ଗତବର୍ଷ ଟୋକିଓ ଅଲିମ୍ପିକ୍ସରେ ବି ନେଦରଲାଣ୍ଡସ ସ୍ବର୍ଣ୍ଣ ପଦକ ଜିତିଥିଲା। ୨୦୧୬ ରିଓ ଅଲିମ୍ପିକ୍ସରେ କିନ୍ତୁ କାଂସ୍ୟ ପଦକ ଜିତିଥିଲା। ରବିବାର ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଅନୁଷ୍ଠିତ ତୃତୀୟ ସ୍ଥାନ ମୁକାବିଲାରେ ଅଷ୍ଟ୍ରେଲିଆ ୨-୧ରେ ଜର୍ମାନିକୁ ହରାଇ କାଂସ୍ୟ ପଦକ ହାସଲ କରିଥିଲା। ଅର୍ଜେଣ୍ଟିନାର ମାରିଆ ଜୋସ୍ ଗ୍ରାନାଟା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, ଅଗଷ୍ଟିନା ଗର୍ଜଲାନି (୮) ସର୍ବାଧିକ ଗୋଲ୍ ସ୍କୋରର୍, ବେଲେନ ସୁକି ଶ୍ରେଷ୍ଠ ଗୋଲରକ୍ଷିକା ଏବଂ ଜର୍ମାନିର ଚାର୍ଲୋଟ୍ ଏଞ୍ଜେଲବର୍ଟ ଶ୍ରେଷ୍ଠ ଯୁବା ଖେଳାଳି ପୁରସ୍କାର ପାଇଥିଲେ।
/sambad/media/post_attachments/wp-content/uploads/2022/07/654654dgh65sfhfhfhfhf.jpg)
ଟେରେସାରେ ଦିଲୀପ ତିର୍କିଙ୍କ ଉଲ୍ଲାସ
ସ୍ପେନ୍ର ଟେରେସାରେ ଖେଳାଯାଇଥିବା ବିଶ୍ବକପ୍ ଫାଇନାଲ୍ରେ ପୁରସ୍କାର ପ୍ରଦାନ କରିଥିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କି। ବିଶ୍ବକପ୍ର ଶ୍ରେଷ୍ଠ ଖେଳାଳି ଆର୍ଜେଣ୍ଟିନାର ମାରିଆ ଜୋସ୍ ଗ୍ରାନାଟାଙ୍କୁ ଦିଲୀପ ‘ଓଡ଼ିଶା ଶ୍ରେଷ୍ଠ ଖେଳାଳି’ ଲେଖାଥିବା ଚେକ୍ ନମୂନା ପ୍ରଦାନ କରିଥିଲେ। ପୁରସ୍କାର ପ୍ରଦାନ ବେଳେ ଦିଲୀପ ଭାବବିହ୍ବଳ ହୋଇପଡ଼ିଥିଲେ। ‘ଟେରେସା ଆସିବା ମୋ ପାଇଁ ଉଲ୍ଲାସର ମୁହୂର୍ତ୍ତ। ଏହା ଆଧୁନିକ ହକିର ଘର ଭଳି। ଓଡ଼ିଶାର ପ୍ରତିନିଧିତ୍ବ କରି ମାରିଆଙ୍କୁ ପୁରସ୍କୃତ କରିବାର ସମ୍ମାନ ପାଇଲି। ଏଠାରେ ପହଞ୍ଚିବା ପରେ ମୋ ଖେଳ ଜୀବନ କଥା ମନେ ପଡ଼ିଯାଇଥିଲା। ଓଡ଼ିଶା ଭଳି ସ୍ପେନ୍ ମଧ୍ୟ ହକିକୁ ଉତ୍ସାହିତ କରିଥାଏ ବୋଲି ଦିଲୀପ ପ୍ରକାଶ କରିଥିଲେ। ଦିଲୀପ ତିର୍କି ଏବଂ ପାକିସ୍ତାନୀ କିଂବଦନ୍ତି ସାହାବାଜ ଖାନ୍ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ। ଦିଲୀପଙ୍କ ଉପସ୍ଥିତି କିନ୍ତୁ ଦର୍ଶକମାନଙ୍କୁ ଅପୂର୍ବ ଆନନ୍ଦ ଓ ଉଲ୍ଲାସ ଦେଇଥିଲା। ପ୍ରଶଂସକମାନେ ବିଶ୍ବର ଏହି ପୂର୍ବତନ ମହାନ ଡିଫେଣ୍ଡରଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ସୂଚନାଯୋଗ୍ୟ, ୨୦୨୩ରେ ଓଡ଼ିଶାର ରାଉରକେଲା ଓ ଭୁବନେଶ୍ବରରେ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ୍ ଅନୁଷ୍ଠିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/65f4h654sfh65hf4s65hffhfh.jpg)