ବିଶ୍ବର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଦୌଡ଼ରେ ନୀରଜ

ନୂଆଦିଲ୍ଲୀ: ଭାରତୀୟ ଜାଭଲିନ୍‌ ଫିଙ୍ଗାଳି ତଥା ବିଶ୍ବ ବିଜେତା ନୀରଜ ଚୋପ୍ରା ଚଳିତ ବର୍ଷ ପାଇଁ ବିଶ୍ବର ଶ୍ରେଷ୍ଠ ପୁରୁଷ କ୍ରୀଡ଼ାବିତ୍‌ ପୁରସ୍କାର ଦୌଡ଼ରେ ଅଛନ୍ତି। ମଙ୍ଗଳବାର ବିଶ୍ବ ଦୌଡ଼କୁଦ ମହାସଂଘ ୫ ଜଣ ଆଶାୟୀ କ୍ରୀଡ଼ାବିତ୍‌ଙ୍କ ନାମ ଘୋଷଣା କରିଛି। ଏହି କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ନୀରଜଙ୍କ ସମେତ ଆମେରିକାର ରିୟାନ କ୍ରୋଜର (ସଟ୍‌ପୁଟ୍‌) ଓ ନୋଆ ଲିଲେସ୍‌ (ଦୌଡ଼), ସ୍ବିଡେନର ମଣ୍ଡୋ ଡୁପ୍ଲାଣ୍ଟିସ୍‌ (ପୋଲ୍‌ ଭଲ୍ଟ), ଓ କେନିୟାର କେଲଭିନ କିପ୍ଟମ (ମାରାଥନ୍‌) ସ୍ଥାନ ପାଇଛନ୍ତି। ବିଜେତାଙ୍କ ନାମ ଡିସେମ୍ବର ୧୧ରେ ଘୋଷଣା କରାଯିବ। ଏଥିପାଇଁ ବିଜେତା ବାଛିବାକୁ ତ୍ରିସ୍ତରୀୟ ଭୋଟିଂ ବ୍ୟବସ୍ଥା କରାଯାଇଛି। ବିଶ୍ବ ଦୌଡ଼କୁଦ ପରିଷଦ ଓ ବିଶ୍ବ ଦୌଡ଼କୁଦ ପକ୍ଷରୁ ଇ-ମେଲ୍‌ ଜରିଆରେ ଭୋଟିଂ କରାଯିବ। ଏଥିପୂର୍ବରୁ ବିଶ୍ବ ଦୌଡ଼କୁଦର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ପ୍ରଶଂସକଙ୍କୁ ନେଇ ଭୋଟିଂ କରାଯାଇଥିଲା। ଅକ୍ଟୋବର ୨୮ ତାରିଖରେ ଏହି ଭୋଟିଂ ଶେଷ ହୋଇଥିଲା ବେଳେ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ଏଥିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର