ଇତିହାସ ରଚିଲେ ନୀରଜ, ପ୍ରଥମ ଭାରତୀୟ ଭାବେ ଜିତିଲେ ଡାଇମଣ୍ଡ୍‌ ଲିଗ୍‌ ମୁକୁଟ

ଜୁରିକ୍‌ : ଭାରତୀୟ ଜାଭ୍‌ଲିନ୍‌ ତାରକା ନୀରଜ ଚୋପ୍ରା ଆଉ ଏକ ଏତିହାସିକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି। ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ସମ୍ମାନଜନକ ଡାଇମଣ୍ଡ୍‌ ଲିଗ୍‌ ଫାଇନାଲ୍‌ସ ଜିତି ପ୍ରଥମ ଭାରତୀୟ ଭାବେ ଏହି ମୁକୁଟ ପିନ୍ଧିବାର ଗୌରବ ବହନ କରିଛନ୍ତି। ଫଳରେ ଅଲିମ୍ପିକ୍‌ ସ୍ବର୍ଣ୍ଣ ଏବଂ ବିଶ୍ବ ଚାମ୍ପିଅନ୍‌ସିପ୍‌ ରୌପ୍ୟ ପଦକ ପରେ ଏବେ ଡାଇମଣ୍ଡ ଲିଗ୍‌ ବିଜେତା ହୋଇ ବିରଳ ଗୌରବର ଅଧିକାରୀ ହୋଇଛନ୍ତି। ପୁଣି ଏହି ସମସ୍ତ ସଫଳତା ନୀରଜ ମାତ୍ର ୧୩ ମାସ ମଧ୍ୟରେ ହାସଲ କରିନେଇଛନ୍ତି।

ଗତବର୍ଷ ଅଗଷ୍ଟ ୭ ତାରିଖରେ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବା ପରେ ଚଳିତ ବର୍ଷ ସେପ୍ଟେମ୍ବର ୮ ତାରିଖରେ ଡାଇମଣ୍ଡ୍‌ ଲିଗ୍‌ ବିଜେତା ହୋଇଛନ୍ତି। ଡାଇମଣ୍ଡ୍‌ ଲିଗ୍‌ ଫାଇନାଲ୍‌ସରେ ଫାଉଲରୁ ନୀରଜ ଅଭିଯାନ ଆରମ୍ଭ କରିଥିଲେ। ହେଲେ ଦ୍ବିତୀୟ ପ୍ରୟାସରେ ୮୮.୪୪ ମିଟର ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି ସେ ଶୀର୍ଷ ସ୍ଥାନକୁ ଲମ୍ଫ ମାରିଥିଲେ। ଏହ‌ାପର ୪ ପ୍ରୟାସରେ ସେ ଯଥାକ୍ରମେ ୮୮.୦୦ ମିଟର, ୮୬.୧୧ ମିଟର, ୮୭.୦୦ ମିଟର ଏବଂ ୮୩.୬୦ ମିଟର ଦୂରକୁ ଫିଙ୍ଗିପାରିଥିଲେ। ତେବେ ତାଙ୍କ ଦ୍ବିତୀୟ ପ୍ରୟାସ ହିଁ ଡାଇମଣ୍ଡ୍‌ ଲିଗ୍‌ ଫାଇନାଲ୍‌ସରେ ବିଜେତା ହେବାପାଇଁ ଯଥେଷ୍ଟ ଥିଲା। ଏହା ନୀରଜଙ୍କର ଡାଇମଣ୍ଡ୍‌ ଲିଗ୍‌ରେ ତୃତୀୟ ଥର ଅଂଶଗ୍ରହଣ ଥିଲା।

ଡାଇମଣ୍ଡ୍‌ ଟ୍ରଫି ସହ ୩୦,୦୦୦ ଆମେରିକୀୟ ଡଲାର ପୁରସ୍କାର ରାଶି ଜିତିଲେ
୨୦୨୩ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାକୁ ମିଳିଲା ୱାଇଲ୍‌ଡ କାର୍ଡ
୧୩ ମାସ ମଧ୍ୟରେ ୩ ବଡ଼ ସଫଳତା

ପୂର୍ବରୁ ଦୁଇ ଥର (୨୦୧୭ ଓ ୨୦୧୮) ଅଂଶଗ୍ରହଣ କରିଥିଲା ବେଳେ ଯଥାକ୍ରମେ ସପ୍ତମ ଓ ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲେ। କିନ୍ତୁ ଏଥର ପଦକ ସଫଳତାକୁ ହାତଛଡ଼ା କରିନଥିଲେ ୨୪ ବର୍ଷ ବୟସ୍କ ନୀରଜ। ଏହା ପୂର୍ବରୁ ଡାଇମଣ୍ଡ୍‌ ଲିଗ୍‌ର ଲୌସାନେ ଚରଣରେ କ୍ୟାରିୟରର ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନ ୮୯.୦୮ ମିଟର ବଳରେ ମିଟ୍‌ ବିଜେତା ମଧ୍ୟ ହୋଇଥିଲେ। ଏହି ପ୍ରଦର୍ଶନ ବଳରେ ସେ ମଧ୍ୟ ପ୍ରଥମ ଭାରତୀୟ ହୋଇଥିଲେ। କେବଳ ସେତିକି ନୁହେଁ ଚଳିତ ଋତୁରେ ୬ ଥର ପାଇଁ ମଧ୍ୟ ନୀରଜ ୮୮ ମିଟରରୁ ଅଧିକ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି ନିଜର ସ୍ଥିର ପ୍ରଦର୍ଶନର ନମୂନା ଦେଖାଇଥିଲେ। ଚଳିତ ଋତୁରେ ୮୯.୯୪ ମିଟରର ଜାତୀୟ ‌କୀର୍ତ୍ତିମାନ ମଧ୍ୟ ନିଜ ନାମରେ ରଖିଛନ୍ତି।

ଲୌସାନେ ପରେ ଡାଇମଣ୍ଡ୍‌ ଲିଗ୍‌ର ଜୁରିକ୍‌ ଚରଣ ତଥା ଫାଇନାଲ୍‌ସରେ ୬ ପ୍ରତିଯୋଗୀ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ହୋଇଥିଲେ। ଯଦିଓ ବିଶ୍ବ ବିଜେତା ଗ୍ରେନେଡା ତାରକା ଆଣ୍ଡରସନ୍‌ ପିଟର୍ସ ଡାଇମଣ୍ଡ୍‌ ଲିଗ୍‌ରେ ଅଂଶଗ୍ରହଣ କରିନଥିଲେ ତଥାପି ଅଲିମ୍ପିକ୍‌ ରୌପ୍ୟ ବି‌ଜେତା ଚେକ୍‌ ଗଣରାଜ୍ୟର ଜାକୁବ ଭାଡ୍‌ଲେଚ୍‌ ଏବଂ ଜର୍ମାନିର ଜୁଲିଏନ୍‌ ୱେବର୍‌ଙ୍କୁ ପଛରେ ପକାଇ ନୀରଜ ବିଜେତା ମୁକୁଟ ଜିତି ନେଇଥିଲେ। ଜାକୁବ୍‌ ତାଙ୍କ ଚତୁର୍ଥ ପ୍ରୟାସ (୮୬.୯୪ ମିଟର) ବଳରେ ଦ୍ବିତୀୟ ଏବଂ ୱେବର୍‌ ତୃତୀୟ ପ୍ରୟାସ (୮୩.୭୩ ମିଟର) ବଳରେ ତୃତୀୟ ସ୍ଥାନ ପାଇ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଥିଲେ। ଗୁରୁବାର ବିଜୟ ବଳରେ ନୀରଜ ମଧ୍ୟ ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପରଠାରୁ ୩୧ ବର୍ଷ ବୟସ୍କ ଭାଡ୍‌ଲେଚ୍‌ଙ୍କୁ ପଞ୍ଚମ ଥର ପରାସ୍ତ କରିଛନ୍ତି।

ବିଜେତା ବଳରେ ନୀରଜ ମଧ୍ୟ ଡାଇମଣ୍ଡ୍‌ ଟ୍ରଫି ସାଙ୍ଗକୁ ୩୦,୦୦୦ ଆମେରିକୀୟ ଡଲାର ପୁରସ୍କାର ରାଶି ପାଇଥିଲା ବେଳେ ହଙ୍ଗେରିର ବୁଦାପେଷ୍ଟରେ ଆୟୋଜିତ ହେବାକୁ ଯାଉଥିବା ଆଗାମୀ ୨୦୨୩ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାକୁ ୱାଇଲ୍‌ଡ କାର୍ଡ ପାଇଯାଇଛନ୍ତି। ନୀରଜ ମଧ୍ୟ ଏହା ପୂର୍ବରୁ ଲୌସାନେ ଚରଣରେ ଯୋଗ୍ୟତା ମାନଦଣ୍ଡ ୮୫.୨୦ ମିଟରକୁ ଟପି ଯାଇଥିବାରୁ ବିଶ୍ବ ଚାମ୍ପିଅନ୍‌ସିପ୍‌ ଯୋଗ୍ୟତା ହାସଲ କରିସାରିଛନ୍ତି।

ସମ୍ବନ୍ଧିତ ଖବର