କଳିଙ୍ଗରେ ନୀରଜ କରିବେ ଅଲିମ୍ପିକ୍ସ ପ୍ରସ୍ତୁତି

ଭୁବନେଶ୍ବର: ଜାକର୍ତ୍ତା ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜୟୀ ନୀରଜ ଚୋପ୍ରାଙ୍କ ସହ ଦେଶର ୫ ଜଣ ଶୀର୍ଷସ୍ତରୀୟ ଜାଭେଲିନ୍ ତାରକା ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ‌ଢେର କିଛି ଦିନ ପ୍ରସ୍ତୁତି କରିବେ। ସେଥିପାଇଁ ଆସନ୍ତା ପ୍ରାୟ ଦେଢ଼ ମାସ ପର୍ଯ୍ୟନ୍ତ ସେମାନେ ଭୁବନେଶ୍ବରରେ ଡେରା ପକାଇବେ। ଅନ୍ତର୍ଜାତୀୟ ପ୍ରସ୍ତୁତି ପାଇଁ ପୂର୍ବଭାରତର ଶ୍ରେଷ୍ଠ କ୍ରୀଡ଼ା ଭିତ୍ତିଭୂମି କଳିଙ୍ଗ ଷ୍ଟାଡିୟମକୁ ବାଛିଥିବା ଅନ୍ୟ ଖେଳାଳିମାନେ ହେଲେ ଶିବପାଲ ସିଂହ, ରାଜୀନ୍ଦର ସିଂହ, ରୋହିତ ଯାଦବ ଓ ଅନୁ ରାଣୀ। ସେମାନଙ୍କ ମଧ୍ୟରୁ ଶିବପାଲ ଗତବର୍ଷର ଦୋହା ଏସିଆନ୍ ଦୌଡ଼କୁଦ ପ୍ରତିଯୋଗିତାର ପୁରୁଷ ଜାଭେଲିନରେ ‌ରୌପ୍ୟ ପଦକ ଜିତିଥି‌ଲେ। ରାଜୀନ୍ଦର ସିଂହଙ୍କର ମଧ୍ୟ ଏସୀୟ କ୍ରୀଡ଼ା ଭଳି ବଡ଼ ପ୍ରତିଯୋଗିତା ଖେଳିବାର ଅଭିଜ୍ଞତା ରହିଛି। ଗତବର୍ଷ ଜାତୀୟ ୧୮ ବର୍ଷରୁ କମ୍ ଜାଭେଲିନ୍ କୀର୍ତ୍ତିମାନ ଭାଙ୍ଗିଥିବା ‌ରୋହିତ ଯାଦବଙ୍କୁ ଭାରତୀୟ ଜାଭେଲିନର ଭବିଷ୍ୟତ ଭାବେ ବିବେଚନା କରାଯାଉଛି।

ଉତ୍ତରପ୍ରଦେଶର ଅନୁ ରାଣୀଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍ କିନ୍ତୁ ସୁଖଦ ସ୍ମୃତି ବହନ କରେ। ଏଠାରେ ଆୟୋଜିତ ୨୦୧୭ ଏସିଆନ୍ ଦୌଡ଼କୁଦ ପ୍ରତିଯୋଗିତାରେ ସେ କାଂସ୍ୟ ପଦକ ଜିତିବା ପରେ ୨୦୧୯ର ଦୋହା ସଂସ୍କରଣରେ ରୌପ୍ୟ ପଦକ ହାସଲ କରିଥିଲେ। ସେ ମଧ୍ୟ ସଂପ୍ରତି ମହିଳା ଜାଭେଲିନର ଜାତୀୟ କୀର୍ତ୍ତିମାନଧାରୀ। ନୀରଜ ବି ଭୁବନେଶ୍ବରରେ ଆୟୋଜିତ ୨୦୧୭ ଏସିଆନ୍ ଦୌଡ଼କୁଦ ପ୍ରତିଯୋଗିତାର ପୁରୁଷ ଜା‌‌ଭେଲିନରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଉଭୟ ଅନୁ ଓ ନୀରଜ ନିଜ ନିଜର ପ୍ରଦର୍ଶନ ପାଇଁ ସେତେବେଳେ ଓଡ଼ିଶା ସରକାରଙ୍କଠାରୁ ଆର୍ଥିକ ପୁରସ୍କାର ଲାଭ କରିଥିଲେ। ଏମାନଙ୍କ ସହ ଦୁଇ ଜଣ ଲେଖାଏଁ ପ୍ରଶିକ୍ଷକ (ୱି ହନ୍, କ୍ଲାଉସ୍ ବାର୍ଟୋନେଜ୍, ଉଭୟ ଜର୍ମାନୀ) ଓ ଫିଜିଓ (ଈଶାନ, ଦର୍ଶନ ସେଟ୍ଟୀ) ଏବଂ ଜଣେ ମାଲିସ୍‌ବାଲା (ଦେମତ୍ରୀ) ମଧ୍ୟ ଭୁବନେଶ୍ବର ଆସିଛନ୍ତି। ଗୁରୁବାର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ନୀରଜ କହିଛନ୍ତି ଯେ ଆମେ ପ୍ରଶିକ୍ଷଣ ଶିବିର ଲାଗି ଏଠାକୁ ଆସିଛୁ। ଏହା ପୂର୍ବରୁ ୨୦୧୭ରେ ଏସିଆନ୍ ଦୌଡ଼କୁଦ ପ୍ରତିଯୋଗିତା ଲାଗି ମୁଁ ଏଠାକୁ ଆସିଥିଲି। କଳିଙ୍ଗ ଷ୍ଟାଡିୟମ୍‌ର ଅନେକ ସ୍ମରଣୀୟ ସ୍ମୃତି ମୋ ସହ ରହିଛି। ଏଠାକୁ ପୁଣି ଥରେ ଆସି ବହୁତ ଭଲ ଲାଗୁଛି। ଦିନେ ଦୁଇ ଦିନ ଭିତରେ ଆମେ ଅଭ୍ୟାସ ଆରମ୍ଭ କରିବୁ। ଭୁବନେଶ୍ବରରେ ପାଖାପାଖି ମାସେ ଦେଢ଼ ମାସ ରହିବୁ ଏବଂ କଠିନ ପରିଶ୍ରମ କରି ଅଲିମ୍ପିକ୍ସ ପାଇଁ ଜୋରଦାର ପ୍ରସ୍ତୁତି କରିବାକୁ ଆଶା ରଖିଛୁ। ଆମେ ପାଞ୍ଚ ଜଣ ଖେଳାଳି ଥିଲା ବେଳେ ଆମ ସହ ଦୁଇ ଜଣ ଲେଖାଏଁ ପ୍ରଶିକ୍ଷକ, ଫିଜିଓ ଏବଂ ଜଣେ ମାଲିସ୍‌ବାଲା ଅଛନ୍ତି।

ସମ୍ବନ୍ଧିତ ଖବର