ନତ ମସ୍ତକ ହୋଇ ବିଶ୍ବ ବିଜୟିନୀଙ୍କୁ ସମ୍ମାନ ଜଣାଇଲେ ଅଲିମ୍ପିକ୍ ବିଜେତା ନୀରଜ

ନୂଆଦିଲ୍ଲୀ: ଭାରତୀୟ ଯୁବା ଦଳ (୧୯ ବର୍ଷରୁ କମ୍‌ ମହିଳା) ରବିବାର ଦକ୍ଷିଣ ଆଫ୍ରିକାର ପଶ୍ଚଷ୍ଟ୍ରୁମ୍‌ରେ ପ୍ରଥମ ସଂସ୍କରଣ ବିଶ୍ବକପ୍‌ ଜିତି ମହିଳା କ୍ରିକେଟ୍‌ ପାଇଁ ଅପୂର୍ବ ସଫଳତା ଆଣିଛନ୍ତି। ଏହି ଖୁସି ଏବେ ଦେଶର ବିଭିନ୍ନ ପ୍ରାନ୍ତରେ ଖୁସିର ମାହୋଲ ଭରିଦେଇଛି। ସପ୍ତାହକ ତଳେ ଭାରତୀୟ ପୁରୁଷ ହକି ଦଳ ବିଶ୍ବକପ୍‌ରୁ ଅଶ୍ରୁଳ ବିଦାୟ ନେଇଥିବା ବେଳେ ଶେଫାଳି ବର୍ମାଙ୍କ ଯୁବା ଦଳ ଇଂଲଣ୍ଡକୁ ଫାଇନାଲରେ ହରାଇ ବିଶ୍ବକପ୍‌ ଜିତିଥିବାରୁ ଏବେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ରବିବାର କିନ୍ତୁ ଭାରତୀୟ ଯୁବା ଦଳର ମନୋବଳ ବଢ଼ାଇବାକୁ ଅଲିମ୍ପିକ୍ ଚାମ୍ପିଅନ୍ ଭାରତୀୟ ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଉପସ୍ଥିତ ରହିବା ଏବେ ଚର୍ଚ୍ଚାରେ ରହିଛି। ଫାଇନାଲ୍ ପୂର୍ବରୁ ନୀରଜ ବ୍ୟକ୍ତିଗତ ଭାବେ ପଶ୍ଚଷ୍ଟ୍ରୁମ ପଡ଼ିଆରେ ଉପସ୍ଥିତ ଥିଲେ। ଭାରତୀୟ କ୍ରିକେଟ୍ ଦଳର ଟି-ସାର୍ଟରେ ଆସି ଖେଳାଳିଙ୍କ ସହ ଆଲୋଚନା କରି ଉତ୍ସାହିତ କରିଥିଲେ। ଆଉ ଫାଇନାଲ୍‌ରେ ଯେତେବେଳେ ଭାରତୀୟ ଦଳ ଇଂଲଣ୍ଡକୁ ମାତ୍‌ ଦେଇଥିଲା ନୀରଜ ଏତେ ଖୁସି ହୋଇଯାଇଥିଲେ ଯେ ନତ ମସ୍ତକ ହୋଇ ଭାରତୀୟ ଯୁବା ଦଳକୁ ସଲାମ କରିଥିଲେ। ଏହି ଫଟୋ ଏବେ ଭାଇରାଲ୍ ହୋଇଛି। ଜଣେ ମହାନ ଖେଳାଳି ଯୁବ ଖେଳାଳିଙ୍କୁ ଉତ୍ସାହିତ କରିବାର ଦାୟିତ୍ବ ନେଇଥିବାରୁ ନୀରଜଙ୍କ ନିଆରା ବିଚାରକୁ ବିଭିନ୍ନ ବର୍ଗରୁ ପ୍ରଶଂସା କରାଯାଇଛି।

କେବଳ ‌ସେତିକି ନୁହେଁ ଲକ୍ଷ୍ନୌରେ ମଧ୍ୟ ସମାନ ସମୟରେ ଭାରତୀୟ ପୁରୁଷ ଦଳ ନ୍ୟୁଜିଲାଣ୍ଡ୍‌କୁ ଦ୍ବିତୀୟ ଦିନିକିଆରେ ପରାସ୍ତ କରିବାର ମୁହୂର୍ତ୍ତ ବାଳିକାଙ୍କ ବିଶ୍ବ ବିଜୟ ଖୁସିକୁ ଦ୍ବିଗୁଣିତ କରିଥିଲା। ଭାରତ ବିଜୟ ସହିତ ଚଳିତ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୧-୧ ସ୍ତରକୁ ଆଣିଥିଲା। ଏହି ସମୟରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ବରେ ସମସ୍ତ ଖେଳାଳିମାନେ ଏକାଠି ହୋଇ ବାଳିକା ଦଳକୁ ଅଭିନନ୍ଦନ ଜଣାଇଥିଲେ। ରାହୁଲ ଦ୍ରାବିଡ଼ ଓ ପୃଥ୍ବୀ ସ’ କହିଥିଲେ ‘ଭାରତୀୟ ମହିଳା କ୍ରିକେଟ୍ ପାଇଁ ଏହା ଏକ ସ୍ମରଣୀୟ ଦିବସ’। ସୂଚନାଯୋଗ୍ୟ, ୨୦୧୮ରେ ରାହୁଲ ଦ୍ରାବିଡ଼ଙ୍କ ପ୍ରଶିକ୍ଷିତ ଏବଂ ପୃଥ୍ବୀ ସ’ଙ୍କ ନେତୃତ୍ବାଧିନ ଭାରତୀୟ ଯୁବ ଦଳ (୧୯ ବ‌ର୍ଷରୁ କମ୍‌) ମଧ୍ୟ ବିଶ୍ବକପ୍‌ ଜିତିଥିଲା। ତେବେ ବରିଷ୍ଠ ମହିଳା ଦଳ ଯାହା କରିପାରିନାହାନ୍ତି ଯୁବା ଦଳ ଏବେ କରିପାରିଥିବାରୁ ଏହା ଭାରତୀୟ ମହିଳା କ୍ରିକେଟ୍ ପାଇଁ ଟର୍ଣ୍ଣିଂ ପଏଣ୍ଟ‌ ହେବ ବୋଲି ବିଶ୍ବାସ କରାଯାଉଛି।

ସମ୍ବନ୍ଧିତ ଖବର