କଟକ: ନିଶାନ୍ତ ବିଶ୍ୱାଳ ୨୪ତମ ରାଜ୍ୟ ସ୍ନକର ପ୍ରତିଯୋଗିତାର ବିଜେତା ହୋଇଛନ୍ତି। ରବିବାର କଟକ କ୍ଲବ୍ରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚରେ ପ୍ରତିପକ୍ଷ ଅଭିଜ୍ଞ ନିଶାନ୍ତ ଯୁବ ତାରକା ମହମ୍ମଦ ରାଜାଙ୍କୁ ୬-୨ ଫ୍ରେମ୍ରେ ପରାସ୍ତ କରି ସେ ଏହି ସଫଳତା ପାଇଛନ୍ତି। ପ୍ରଥମ ତିନି ଫ୍ରେମ୍ରେ (୪୬-୪୪, ୫୨-୨୩, ୭୯-୯) ନିଶାନ୍ତ ଅଗ୍ରଣୀ ପାଇଥିଲେ। ତେବେ ଏହାର ପରବର୍ତ୍ତୀ ଦୁଇଟିକୁ ରାଜା ୨୨-୬୨, ୩୩-୪୫ରେ ଜିତିଥିଲେ ବି ପଛରେ ପଡ଼ିଯାଇଥିଲେ। ଶେଷ ତିନି ଫ୍ରେମ୍କୁ (୫୨-୪୫, ୮୨-୬୩, ୪୮-୪୫) ନିଶାନ୍ତ ନିଜ ନାମରେ କରିବାରେ ସଫଳ ହୋଇଥିଲେ। ୨୦୧୨ରେ ପ୍ରଥମ ଥର ବିଜେତା ହୋଇଥିବା ନିଶାନ୍ତ ଦ୍ୱିତୀୟ ଥର ଟ୍ରଫି ହାତେଇ ନେଇଛନ୍ତି। ପୁରସ୍କାର ପ୍ରଦାନ ସମାରୋହରେ କଟକ କ୍ଲବ୍ ସଭାପତି ମନୋରଂଜନ ମହାପାତ୍ର, ଉପ ସଭାପତି ଗିରିଜା ପ୍ରସାଦ ତ୍ରିପାଠୀ, ସଂପାଦକ ଯଶୋବନ୍ତ ଦାସ, ଯୁଗ୍ମ ସମ୍ପାଦକ ସତ୍ୟସୁନ୍ଦର କାନୁନ୍ଗୋ ଓ ଆୟୋଜନ ସମିତି ସଦସ୍ୟ ମେହୁଲ ରାଥୋଡ୍ ଯୋଗଦେଇଥିିଲେ। ରାଜ୍ୟ ସ୍ନକରର ବିଜେତା ଓ ଉପ ବିଜେତାଙ୍କ ସହ ରାଜ୍ୟ ବିଲିୟାର୍ଡ୍ସର ବିଜେତା ସୁବ୍ରତ ଦାସ, ଉପ ବିଜେତା କୁନାଲ ଅଗ୍ରଓ୍ଵାଲ, ରାଜ୍ୟ କନିଷ୍ଠ ସ୍ନକର ପ୍ରତିଯୋଗିତାର ବିଜେତା ରାହୁଲ ନାୟାର, ଉପ ବିଜେତା ଅବିନାଶ ମହାପାତ୍ରଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଅବସରରେ କ୍ୟୁ ସ୍ପୋର୍ଟ୍ସର ପ୍ରଶଂସକ ମହମ୍ମଦ ସୋହେଲ୍ଙ୍କ ତରଫରୁ ରାଜ୍ୟ ବିଲିୟାର୍ଡ୍ସ ବିଜେତା ସୁବ୍ରତ ଦାସଙ୍କୁ ସ୍ୱତନ୍ତ୍ର ଭାବେ ୨୧ହଜାର ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ଦେଇଥିଲେ। ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମକୁ ବରିଷ୍ଠ ଖେଳାଳି ଗୋବିନ୍ଦ ଶର୍ମା ପରିଚାଳନା କରିଥିଲେ।