ନିଶାନଙ୍କୁ ଅନ୍ତର୍ଜାତୀୟ ସୁଯୋଗ

ଭୁବନେଶ୍ବର: ଓଡ଼ିଶା ହକି ପାଇଁ ଶନିବାର ମାଲେସିଆରୁ ଏକ ବଡ଼ ଖୁସି ଖବର ମିଳିଛି। ଏହି ଦେଶର ଇପୋ ସହରରେ ଆୟୋଜିତ ହେବାକୁ ଥିବା ସୁଲତାନ ଆଜଲାନ ଶାହା ବହୁରାଷ୍ଟ୍ରୀୟ ହକି ପ୍ରତିଯୋଗିତା ଲାଗି ଓଡ଼ିଶାର ଉଦୀୟମାନ ଅମ୍ପାୟାର ନିଶାନଜ୍ୟୋତି ମହାନ୍ତି ବୈଷୟିକ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ତା’ ସହ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଥିବା ଓଡ଼ିଆଙ୍କ ସଂଖ୍ୟା ୪ରେ ପହଞ୍ଚଛି। ପୂର୍ବରୁ ଏଥିଲାଗି ଘୋଷିତ ଭାରତୀୟ ଦଳରେ ତିନି ଜଣ ଓଡ଼ିଆ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଓ ଶିଳାନନ୍ଦ ଲାକ୍ରା ସ୍ଥାନ ପାଇଥିଲେ। ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳତାର ସହ ଅମ୍ପାୟାରିଂ ଓ ବୈଷୟିକ ଅଧିକାରୀ ଦାୟିତ୍ବ ତୁଲାଇ ସାରିଥିବା ନିଶାନ ପ୍ରଥମ ଥର ପାଇଁ ଆଜଲାନ ସାହା ହକିର ପରିଚାଳନା ମଣ୍ଡଳିରେ ସ୍ଥାନ ପାଇଛନ୍ତି। ହକି ଇଣ୍ଡିଆର ସୁପାରିସ୍ କ୍ରମେ ଅନ୍ତର୍ଜାତୀୟ ହକି ମହାସଂଘ ଓ ମାଲେସିଆ ହକି ମହାସଂଘ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛି। ଏହି ସଫଳତା ଲାଗି ନିଶାନଙ୍କୁ ହକି ଓଡ଼ିଶାର ସଂପାଦକ ପ୍ରତାପ ଶତପଥୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ନିଶାନ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଭାରତ-ଜାପାନ ଟେଷ୍ଟ ଶୃଙ୍ଖଳାରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ସୁଯୋଗ ପାଇଥିଲେ। ସେହି ପ୍ରତିଯୋଗିତାରେ ସେ ଜଜ୍ ଦାୟିତ୍ବ ତୁଲାଇଥିଲେ। ଆଜଲାନ୍ ସାହା ପ୍ରତିଯୋଗିତା ବୈଷୟିକ ଅଧିକାରୀ ଭାବେ ତାଙ୍କର ପ୍ରଥମ ଓ ମୋଟ ଉପରେ ଦ୍ବିତୀୟ ଅନ୍ତର୍ଜାତୀୟ ଦାୟିତ୍ବ ହେବ। ତେବେ ବିଦେଶ ମାଟିରେ ସେ ପ୍ରଥମ ଥର ପାଇଁ ବୈଷୟିକ ଅଧିକାରୀ ଦାୟିତ୍ବ ତୁଲାଇବେ। ଆଜଲାନ ସାହା ହକି ଆସନ୍ତା ୨୩ରୁ ୩୦ ପର୍ଯ୍ୟନ୍ତ ଆୟୋଜିତ ହେବ। ଭାରତ ଏବଂ ମାଲେସିଆ ସହ କାନାଡା, ଦକ୍ଷିଣ କୋରିଆ, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଜାପାନ ଏଥିରେ ଅଂଶ ଗ୍ରହଣ କରିବେ। ଭାରତ ତା’ର ପ୍ରଥମ ମ୍ୟାଚ୍ ଜାପାନ ବିପକ୍ଷରେ ଖେଳିବ।

ସମ୍ବନ୍ଧିତ ଖବର