କୃଷି ଉତ୍ପାଦନକୁ ରପ୍ତାନୀ ଭିତ୍ତିକ କରିବାକୁ ନିତି ଆୟୋଗ ବୈଠକରେ ନିଷ୍ପତ୍ତି

ଭୁବନେଶ୍ବର: ରାଜ୍ୟରେ ସମସ୍ତ କୃଷି ଉତ୍ପାଦନକୁ ରପ୍ତାନୀଭିତ୍ତିକ କରାଯିବ। ଏଥିପାଇଁ ଆଜି ମୁମ୍ବାଇରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ନିଷ୍ପତ୍ତି ହୋଇଛି। ମୁମ୍ବାଇର ମାଲାବାର ହିଲସ୍ଥିତ ସୟଦ୍ରୀ ଗେଷ୍ଟ ହାଉସରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ କୃଷି କ୍ଷେତ୍ରରେ ଆଧିୁନିକ ଜ୍ଞାନ କୌଶଳ ଉପଯୋଗ କରି ଚାଷୀଙ୍କ ଦକ୍ଷତା ବୃଦ୍ଧି କରିବା ଉପରେ ଗୁରୁତ୍ବ ଦିଆଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ପ୍ରତିନିଧିତ୍ବ କରିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସଙ୍କ ଆବାହକତ୍ବରେ ଅନୁଷ୍ଠିତ ବୈଠକରେ କୃଷି ବିପଣନ ନେଇ ଆଲୋଚନା ହୋଇଥିଲା। ଏଥିରେ ଯୋଗଦେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଥିଲେ, ଏଣିକି କୃଷି ଅର୍ଥନୀତିକୁ ପ୍ରାଧାନ୍ୟ ଦେଉଥିବା ରାଜ୍ୟର ସବୁ କୃଷି ଉତ୍ପାଦନ ପାଇଁ ଗୋଟିଏ ବଜାର ସୃଷ୍ଟି କରାଯିବ। ଏହାସହିତ ରପ୍ତାନୀ କ୍ଲଷ୍ଟର ପ୍ରତିଷ୍ଠା କରାଯିବ। ଇ-ନାମ ଜରିଆରେ ଗୋଟିଏ ଅଞ୍ଚଳର ଚାଷୀ ଦେଶର ଯେ କୌଣସି ସ୍ଥାନରେ ଅନଲାଇନ୍ ଯୋଗେ ତାର କୃଷି ଉତ୍ପାଦନ ବିକ୍ରି କରିପାରିବ। ଏଥିପାଇଁ କୃଷି ଉତ୍ପାଦାନ ଆଇନରେ (ଏପିଏମସି) ଆବଶ୍ୟକ ସଂଶୋଧନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଚୁକ୍ତିଭିତ୍ତିକ କୃଷି ପାଇଁ ଆଇନ ପ୍ରଣୟନ କରାଯିବ। ଫଳରେ ଚାଷୀମାନେ ବଡ଼ ବଡ଼ ମାର୍କେଟିଂ ଏଜେନସିକୁ ସେମାନଙ୍କର ବଳକା ଉତ୍ପାଦ ବିକ୍ରି କରି ଆର୍ଥିକ ଲାଭାବାନ ହୋଇପାରିବେ। ଚ‌ାଷୀଙ୍କୁ ସୁବିଧାରେ ବ୍ୟାଙ୍କ ଋଣ ଓ ସୁଲଭ ମୂଲ୍ୟରେ ଯନ୍ତ୍ରପାତି ଯୋଗାଇ ଦେବା ଲାଗି ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଓଡ଼ିଶା ପକ୍ଷରୁ ପ୍ରସ୍ତାବ ଦେଇ କୃଷି ମନ୍ତ୍ରୀ ଅରୁଣ ସାହୁ କହିଥିଲେ, ପଶୁପାଳନ ଓ ମତ୍ସ୍ୟଚାଷୀଙ୍କୁ ଚାଷ ପାଇଁ ସମସ୍ତ ସୁବିଧାସୁଯୋଗ ଉପଲବ୍ଧ କରାଇବା ପାଇଁ ଆବଶ୍ୟକ ନୀତି ପ୍ରଣୟନ କରାଯିବା ଉଚିତ୍। ଏହାସହିତ ଓଡ଼ିଶାର ଚାଷୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ପ୍ରଶିକ୍ଷଣ ଓ ଦକ୍ଷତା ବୃଦ୍ଧି କରି ଅର୍ଥକାରୀ ଫସଲ ଉତ୍ପାଦନ ପାଇଁ ପ୍ରୋତ୍ସାହନ ଦେବା ସହ ତାକୁ ବ୍ୟାବସାୟିକ ଭିତ୍ତିରେ ତାର ଅଭିବୃଦ୍ଧି କରିବା ନିମନ୍ତେ ଦକ୍ଷତା ବିକାଶ ପାଇଁ ମନ୍ତ୍ରୀ ଶ୍ରୀ ସାହୁ ପ୍ରସ୍ତାବ ଦେଇଥିଲେ।

ନୀତି ଆୟୋଗ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଯୋଗଦେଇଥିଲେ। ଏହାସହିତ ଭିଡିଓ କନଫରେସିଂ ଜରିଆରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର