ନୀତିନ ଭାରତର ୬୨ତମ ଟେଷ୍ଟ୍‌ ଅମ୍ପାୟାର

ନୂଆଦିଲ୍ଲୀ: ନୀତିନ ମେନନ ୬୨ ତମ ଭାରତୀୟ ଅମ୍ପାୟାର ଭାବେ ଟେଷ୍ଟ୍‌ ପଦାର୍ପଣ କରିବେ। ଚଳିତ ବର୍ଷ ନଭେମ୍ବର ୨୭ ତାରିଖରୁ ହେବାକୁଥିବା ବାଂଲାଦେଶ-ଆଫଗାନିସ୍ତାନ ମ୍ୟାଚ୍‌କୁ ପରିଚାଳନା କରିବା ପରେ ହିଁ ସେ ଏହି ଗୌରବ ପାଇବେ। ୨୦୧୩ ଅକ୍ଟୋବରରେ ଚାଟୋଗ୍ରାମରେ ଖେଳାଯାଇଥିବା ବାଂଲାଦେଶ-ନ୍ୟୁଜିଲାଣ୍ଡ ଟେଷ୍ଟ୍‌ରେ ଏସ୍‌ ରବିଙ୍କ ପଦାର୍ପଣ ପରେ କୌଣସି ନୂଆ ଭାରତୀୟ ଅମ୍ପାୟାରଙ୍କୁ ସୁଯୋଗ ମିଳିନଥିଲା। ବାଂଲାଦେଶ-ଆଫଗାନିସ୍ତାନ ମ୍ୟାଚ୍‌କୁ ପରିଚାଳନା କରିବା ରବିଙ୍କ ପରେ ମେନନ୍‌ ପ୍ରଥମ ଭାରତୀୟ ଅମ୍ପାୟାର ହେବେ। ମେନନ୍‌ ହେଉଛନ୍ତି ପୂର୍ବତନ ମଧ୍ୟପ୍ରଦେଶ ଖେଳାଳି। ସେ ୨୦୦୬ରେ ସର୍ବଭାରତୀୟ ଅମ୍ପାୟାରିଂ ପରୀକ୍ଷାରେ ସଫଳତା ସହ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୦୭-୦୮ରୁ ସେ ଘରୋଇ କ୍ରିକେଟ୍‌ ପରିଚାଳନା କରିଆସୁଛନ୍ତି। ଅନ୍ତର୍ଜାତୀୟସ୍ତରରେ ସେ ୨୨ ଦିନିକିଆ ଓ ୯ ‌ଟ୍ବେଣ୍ଟି-୨୦ ମ୍ୟାଚ୍‌ ପରିଚାଳନା କରିସାରିଛନ୍ତି। ଏହାସହ ସେ ୪୦ ଆଇପିଏଲ୍‌ ଏବଂ ୫୭ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ପରିଚାଳନା କରିବାର ଅଭିଜ୍ଞତା ରଖିଛନ୍ତି।

ସମ୍ବନ୍ଧିତ ଖବର