ଶ୍ରେୟସ୍ ଆୟର ଅସୁସ୍ଥ, କେକେଆରର ଅଧିନାୟକ ହେଲେ ନୀତୀଶ ରାଣା

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୩ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ(କେକେଆର)କୁ ନେଇ ଏକ ବଡ଼ ଖବର ଆସିଛି। ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ କେକେଆର ୨୯ବର୍ଷୀୟ ନୀତୀଶ ରାଣାଙ୍କୁ ଦଳର ଅଧିନାୟକତ୍ୱ ପ୍ରଦାନ କରିଛି। ପିଠିରେ ଆଘାତ ପାଇଁ ଶ୍ରେୟସ୍ ଆୟର ବର୍ତ୍ତମାନ ଖେଳରୁ ବିରତି ନେଇଥିବାରୁ ସେ ଆଇପିଏଲ୍ ୨୦୨୩ ସିଜନରୁ ବାଦ ପଡିବେ ବୋଲି ଆଶା କରାଯାଉଛି। ଆଇପିଏଲ ୨୦୨୩ରେ କେକେଆର, ପଞ୍ଜାବ କିଙ୍ଗସ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ, ଯାହା ଏପ୍ରିଲ ୧ରେ ଖେଳାଯିବ।

ତେବେ କୋଲକାତା ନାଇଟ୍ ରାଇଡର୍ସ ଆଶା ପ୍ରକଟ କରିଛି ଯେ ଆଇପିଏଲ୍ ୨୦୨୩ରେ କିଛି ମ୍ୟାଚରେ ଶ୍ରେୟସ୍ ନିଶ୍ଚିତ ଭାବରେ ଉପଲବ୍ଧ ହେବେ। କେକେଆର ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ‘ଆମେ ନିଜକୁ ଭାଗ୍ୟବାନ ମନେ କରୁଛୁ ଯେ ନୀତୀଶଙ୍କୁ ହ୍ବାଇଟ-ବଲ କ୍ରିକେଟରେ ରାଜ୍ୟ ଅଧିନାୟକ ହେବାର ଅଭିଜ୍ଞତା ରହିଛି ଏବଂ ସେ ୨୦୧୮ମସିହାରୁ କେକେଆର ସହିତ ଜଡିତ ଅଛନ୍ତି, ଆଶା କରିଛୁ ଯେ ସେ ଭଲ ପ୍ରଦର୍ଶନ କରିବେ।’

ନୀତୀଶ ରାଣା ଜଣେ ଡାହାଣ ହାତୀ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍। ନୀତୀଶ ରାଣା ଏପର୍ଯ୍ୟନ୍ତ ୯୧ଟି ଆଇପିଏଲ୍ ମ୍ୟାଚ୍ ଖେଳିଛନ୍ତି। ଏହା ସହ ସେ ୮୫ ଇନିଂସରେ ୨୧୮୧ରନ୍ ସଂଗ୍ରହ କରିଛନ୍ତି। ଆଇପିଏଲରେ ନୀତୀଶଙ୍କ ଷ୍ଟ୍ରାଇକ୍ ହାର ୧୩୪.୨୨ ଥିବା ବେଳେ ଆଇପିଏଲରେ ନୀତୀଶ ୧୫ଅର୍ଦ୍ଧଶତକ ହାସଲ କରିଛନ୍ତି। କୋଲକାତା ବ୍ୟତୀତ ନୀତୀଶ ରାଣା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମଧ୍ୟ ଆଇପିଏଲ ଖେଳିଛନ୍ତି।

ସମ୍ବନ୍ଧିତ ଖବର