ନୂଆଦିଲ୍ଲୀ : ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ କମ୍ପ୍ଲେକ୍ସରେ ଚାଲିଥିବା ଆଇବିଏ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ମୁଷ୍ଟିଯୋଦ୍ଧା ନୀତୁ ଗନହାସ୍ । ୪୮ କେଜି ଫାଇନାଲରେ ସେ ୫-୦ ଗୋଲରେ ମଙ୍ଗୋଲିଆର ଲୁତସେଖାନ ଅଲଟାନସେତସେଗଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ ସହ ନୀତୁ ଷଷ୍ଠ ଭାରତୀୟ ବକ୍ସର (ପୁରୁଷ କିମ୍ବା ମହିଳା) ଭାବେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ସେହିପରି ୮୧ କେଜି ଫାଇନାଲରେ ତିନି ଥର ଏସୀୟ ପଦକ ବିଜେତା ସ୍ୱିଟି ବୋରା ଚୀନର ୱାଙ୍ଗ ଲିନାଙ୍କୁ ଭେଟିବେ । ୨୨ ବର୍ଷୀୟ ନୀତୁ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଚାମ୍ପିୟନ ହୋଇଥିଲେ । ଏଥର ସେ ନିଜର ଦ୍ୱିତୀୟ ବିଶ୍ୱ ଚାମ୍ପିୟନଶିପରେ ଭାଗ ନେଇଥିଲେ ।

Advertisment

ପୂର୍ବରୁ ଏମସି ମେରିକମ ୬ ଥର (୨୦୦୨, ୨୦୦୫, ୨୦୦୬, ୨୦୦୮, ୨୦୧୦ ଓ ୨୦୧୮),ସରିତା ଦେବୀ (୨୦୦୬),ଜେନି ଆରଏଲ୍ (୨୦୦୬), ଲେଖା କେସି (୨୦୦୬) ଓ ନିଖାଟ ଜରିନ୍ (୨୦୨୨) ବିଶ୍ୱ ଚାମ୍ପିଅନସିପରେ ସ୍ବର୍ଣ୍ଣ ଜିତିଥିଲେ ।  ଏଣୁ ବିଶ୍ବ ଚାମ୍ପିଅନସିପରେ ସ୍ବର୍ଣ୍ଣ ଜିତିବାରେ ସେ ୬ଷ୍ଠ ଭାରତୀୟ ପାଲଟିଛନ୍ତି । ଏସମସ୍ତଙ୍କ ସଫଳତାକୁ ମିଶାଇଲେ ଭାରତ ମୋଟ ୧୧ ଥର ବିଶ୍ବ ଚାମ୍ପିଅନସିପ୍ ସ୍ବର୍ଣ୍ଣ ଜିତିସାରିଲାଣି ।

ନିଜର ଦ୍ୱିତୀୟ ବିଶ୍ୱ ଚାମ୍ପିୟନଶିପ୍ ଫାଇନାଲ୍ ଖେଳୁଥିବା ସ୍ୱିଟି (୮୧ କେଜି) ଶନିବାର ଫାଇନାଲରେ ୨୦୧୮ ବିଶ୍ୱ ଚାମ୍ପିୟନ ଚୀନର ୱାଙ୍ଗ ଲିନାଙ୍କୁ ଭେଟିବେ।