ନୂଆଦିଲ୍ଲୀ: ବିସିସିଆଇ ସଂପାଦକ ଜୟ ଶାହଙ୍କ ପରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ଯୁବ ଖେଳାଳିଙ୍କୁ ସ୍ପଷ୍ଟ ଚେତାବନୀ ଦେଇଛନ୍ତି। ଯେଉଁମାନଙ୍କର କ୍ରିକେଟ୍ ଖେଳିବାର ଭୋକ ନାହିଁ, ସେମାନଙ୍କ ପାଇଁ ସୁଯୋଗ ମିଳିବାର ନାହିଁ ବୋଲି ରାଞ୍ଚିରେ ଇଂଲଣ୍ଡକୁ ହରାଇବା ପରେ ରୋକ୍ଠୋକ୍ ଭାବେ କହିଛନ୍ତି ରୋହିତ। ପ୍ରଶଂସକମାନେ ତାଙ୍କର ଏଭଳି ଚରମ ବାଣୀକୁ ଈଶାନ କିଶନ ଓ ଶ୍ରେୟସ୍ ଆୟର୍ଙ୍କ ସହ ଯୋଡ଼ିଛନ୍ତି। ଉଭୟ ଈଶାନ ଓ ଆୟର ଫିଟ୍ ଥାଇ ମଧ୍ୟ୍ୟ ଘରୋଇ କ୍ରିକେଟ୍ ଖେଳିବାକୁ ମନା କରି ବିବାଦ ଘେରକୁ ଆସିଥିଲେ। ଏହି କାରଣରୁ ସେମାନେ ବିସିସିଆଇ ଚୁକ୍ତି ହରାଇବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି।
ସୋମବାର ଭାରତ ବିଜୟ ପର ସାମ୍ବାଦିକ ସମ୍ମିଳନୀରେ ରୋହିତ ଏହି ବିବାଦ ଉପରେ ପରୋକ୍ଷ ପ୍ରତିକ୍ରିୟା ରଖି କହିଥିଲେ, ଯେଉଁ ଯୁବ ଖେଳାଳିମାନଙ୍କର କ୍ରିକେଟ୍ ପ୍ରତି ଭୋକ ରହିଛି, ଆମେ କେବଳ ସେମାନଙ୍କୁ ହିଁ ଦଳରେ ସୁଯୋଗ ଦେବୁ। ଯଦି ଭୋକ ନାହିଁ, ତାହେଲେ ସେମାନଙ୍କୁ ଖେଳାଇବାର କୌଣସି ମାନେ ନାହିଁ। ସଂପ୍ରତି ଦଳରେ ଏମିତି ଜଣେ ହେଲେ ବି ଖେଳାଳି ନାହାନ୍ତି, ଯାହା ଭିତରେ ଭଲ କରିବାର ଭୋକ ମୁଁ ଦେଖିବାକୁ ପାଉନାହିଁ। ଦଳରେ ଥିବା ଓ ଦଳକୁ ଆସିବାକୁ ଚାହୁଥିବା ସବୁ ଖେଳାଳି ସବୁବେଳେ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଟେଷ୍ଟ୍ କ୍ରିକେଟ୍ରେ ହାତଗଣତି ସୁଯୋଗ ମିଳିଥାଏ। ଆପଣଙ୍କୁ ସେହି ଗୋଟିଏ ଦୁଇଟି ସୁଯୋଗରୁ ଭରପୂର ପାଇଦା ଉଠାଇବାକୁ ପଡ଼ିଥାଏ। ଯଦି ଆପଣ ଏହାକୁ ହାତଛଡ଼ା କରନ୍ତି, ତାହେଲେ ଏହା ସହଜରେ ଆଉ ମିଳି ନଥାଏ। ଏଭଳି ଉକ୍ତି ମାଧ୍ୟମରେ ଯେଉଁ ଖେଳାଳିମାନେ କ୍ରିକେଟ୍କୁ ସମ୍ମାନ ଦେବା ଜାଣି ନାହାନ୍ତି, ସେମାନଙ୍କୁ ଦଳ ଚୟନ ବେଳେ ଆଦୌ ବିଚାରକୁ ନିଆଯିବ ନାହିଁ ବୋଲି ରୋହିତ ସ୍ପଷ୍ଟ କରିଦେଇଛନ୍ତି।
ସୂଚନାଯୋଗ୍ୟ ଯେ ନିକଟରେ ଈଶାନ କିଶନ ଓ ଶ୍ରେୟସ ଆୟରଙ୍କୁ ରଣଜୀ ଟ୍ରଫିରେ ଖେଳିବା ପାଇଁ ବିସିସିଆଇ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେମାନେ ଆଇପିଏଲ୍ ପ୍ରସ୍ତୁତିକୁ ଅଗ୍ରାଧିକାର ଦେଇଥିଲେ। ଏଥିସହିତ କେତେକ ବୈଷୟିକ ଦିଗକୁ ସୁଧାରିବା ପାଇଁ ସମୟ ଆବଶ୍ୟକ ବୋଲି ଈଶାନ ବାହାନା ଦେଖାଇଥିଲେ।