ନୂଆଦିଲ୍ଲୀ : ପୂର୍ବ ପ୍ରକାଶିତ ୨୯ ଜଣିଆ ଅର୍ଜୁନ ପୁରସ୍କାର ତାଲିକାକୁ କ୍ରୀଡ଼ା ମନ୍ତ୍ରଣାଳୟ ଶୁକ୍ରବାର କାଣ୍ଟଛାଣ୍ଟ କରିଛି। ବହୁ ପୂର୍ବରୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇ ସାରିଥିବା କୁସ୍ତିବିତ୍ ସାକ୍ଷୀ ମଲ୍ଲିକ ଓ ଭାରୋତ୍ତୋଳିକା ମୀରାବାଇ ଚାନୁଙ୍କୁ ଅର୍ଜୁନ ପୁରସ୍କାର ତାଲିକାରୁ ବାଦ୍ ଦେଇଛି। ଫଳରେ ଗତ ସପ୍ତାହରେ ଅବସରପ୍ରାପ୍ତ ବିଚାରପତି ମୁକୁନ୍ଦନ ଶର୍ମାଙ୍କ ଅଧ୍ୟକ୍ଷତାରେ ଚୟନ କରାଯାଇଥିବା ୨୯ ଜଣିଆ ଅର୍ଜୁନ ପୁରସ୍କାର ତାଲିକା ୨୭କୁ ଖସି ଆସିଛି। ସାକ୍ଷୀ ରିଓ ଅଲିମ୍ପିକ୍ସ କାଂସ୍ୟ ପଦକ ଏବଂ ମୀରାବାଇ ୨୦୧୭ରେ ବିଶ୍ବ ବିଜୟିନୀ ହେବା ପରେ ଖେଳରତ୍ନ ପୁରସ୍କାର ପାଇଥିଲେ। କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ କିନ୍ତୁ ନିଜ ସ୍ବତନ୍ତ୍ର ଅଧିକାର ପ୍ରୟୋଗ କରି ଏହି ଦୁଇ ନାମକୁ ବାଦ୍ ଦେଇଥିଲେ। ସର୍ବୋଚ୍ଚ ସମ୍ମାନ ପାଇବା ପରେ ଆଉ ଏହାଠୁ ନିମ୍ନ ଅର୍ଜୁନ ପୁରସ୍କାର ପ୍ରଦାନ ନ କରିବାକୁ ମନ୍ତ୍ରଣାଳୟ ଚୂଡାନ୍ତ ନିଷ୍ପତ୍ତି ନେଇଥିଲା। ଏମାନଙ୍କ ନାମ ସାମିଲ ପରେ ତୀବ୍ର ସମାଲୋଚନା ଓ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ ଏକ ଅପ୍ରତ୍ୟାଶିତ ନିଷ୍ପତ୍ତିକ୍ରମରେ ଚଳିତ ବର୍ଷ ୫ ଜଣଙ୍କୁ ରାଜୀବଗାନ୍ଧୀ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯିବାକୁ ବଛାଯାଇଛି। ସେମାନେ ହେଲେ-ତାରକା କ୍ରିକେଟର୍ ରୋହିତ ଶର୍ମା, ମହିଳା କୁ୍ସ୍ତିଯୋଦ୍ଧା ଭିନେଶ ଫୋଗଟ, ପାରାଅଲିମ୍ପିକ୍ ସ୍ବର୍ଣ୍ଣ ବିଜେତା ମାରିୟାପାନ୍ ଥଙ୍ଗାଭେଲୁ, ଟିଟି ଖେଳାଳି ମନିକା ବାତ୍ରା ଏବଂ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ। ଅର୍ଜୁନ ପୁରସ୍କାର ତାଲିକାରେ ୨ ଖେଳାଳିଙ୍କ ନାମକୁ ଛାଡ଼ିଦେଲେ ପୂର୍ବରୁ ପ୍ରକାଶିତ ତାଲିକା ଅପରିବର୍ତିତ ରହିଛି। କ୍ରୀଡ଼ା ମନ୍ତ୍ରଣାଳୟ ଶୁକ୍ରବାର ଏଥିରେ ମୋହର ଲଗାଇ ଅନୁଷ୍ଠାନିକ ଭାବେ ପ୍ରେସ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିସହ ଅର୍ଜୁନ ପୁରସ୍କାର ତାଲିକାରେ ଥିବା ଦେଶର ଶ୍ରେଷ୍ଠ ଧାବିକା ଦୂତି ଚାନ୍ଦ ଏହି ଜାତୀୟ ସମ୍ମାନ ପାଇବାରେ ନବମ ଓଡ଼ିଆ ହୋଇଛନ୍ତି। ଅଗଷ୍ଟ ୨୯ ତାରିଖ ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ଏହି ପୁରସ୍କାର ଭର୍ଚୁଆଲ ଉତ୍ସବରେ ପ୍ରଦାନ କରିବେ।
ଖେଳରତ୍ନ ସାକ୍ଷୀ ଓ ମୀରାବାଇଙ୍କୁ ଅର୍ଜୁନ ପୁରସ୍କାର ମନା
/sambad/media/post_attachments/wp-content/uploads/2020/08/sakshi-mirabai.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)