ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ଲଗାତାର ଦୁଇଟି ମ୍ୟାଚ୍‌ରେ ନୋ ବଲ୍‌କୁ ନେଇ ଚର୍ଚ୍ଚା ଓ ବିବାଦ ଦେଖା ଦେଇଛି। ଗୁରୁବାର ରାତିରେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟର୍‌ ରୢାନ୍ ରିକେଲଟନ୍‌ଙ୍କୁ ଅଫସ୍ପିନର୍ ଜୀସାନ ଅନସାରି ବୋଲିଂ କରିଥିବା ବେଳେ କଭର୍ ଅଞ୍ଚଳରେ ପ୍ୟାଟ୍ କମିନ୍ସ ଏକ କ୍ୟାଚ୍‌ ନେଇଥିଲେ। କିନ୍ତୁ ଏଠି ବୋଲରଙ୍କ ଭୁଲ୍ ପାଇଁ ନୁ‌ହେଁ ୱିକେଟ୍‌କିପର୍‌ ହେନରିକ୍ କ୍ଲାସେଁଙ୍କ ମାତ୍ରାଧିକ ସଜାଗ କାରଣରୁ ତୃତୀୟ ଅମ୍ପାୟାର୍‌ ଏହାକୁ ନୋ ବଲ୍ ଘୋଷଣା କରିଥିଲେ। ରିକେଲଟନ୍ ପ୍ୟାଭିଲିଅନ୍‌ ଫେରିଯାଉଥିବା ବେଳେ ପୁଣି ଲେଉଟିଥିଲେ। କ୍ଲାସେଁଙ୍କ ଭୁଲ୍‌ ଥିଲା ରିକେଲଟନ୍ ସଟ୍‌ ଖେଳିବା ବେଳେ ତାଙ୍କ ଗ୍ଲୋଭ୍‌ସ ଷ୍ଟମ୍ପ୍‌ଠାରୁ ସାମାନ୍ୟ ଆଗରେ ରହିଥିଲା।

Advertisment

ରିପ୍ଲେରୁ ଚିତ୍ର ସ୍ପଷ୍ଟ ହେବା ପରେ ତୃତୀୟ ଅମ୍ପାୟାର୍‌ ନୋ ବଲ୍‌ ସଙ୍କେତ ଦେଇଥିଲେ। କ୍ରିକେଟ୍ ନିୟମ ଅନୁସାରେ ୱିକେଟ୍‌ରକ୍ଷକ ସବୁବେଳେ ବଲ୍‌କୁ ଷ୍ଟମ୍ପ୍‌ ଲାଇନ୍ ପରେ ହିଁ ସଂଗ୍ରହ‌ କରିପାରିବେ। ଷ୍ଟ୍ରାଇକର୍ ବ୍ୟାଟ୍‌କୁ ବଲ୍ ସ୍ପର୍ଶ କରୁ ନ କରୁ, ଷ୍ଟ୍ରାଇକର୍ ରନ୍‌ ପ୍ରୟାସ କରୁଥିଲେ ବି ଏହି ସୀମା ପୂର୍ବରୁ ବଲ୍ ସଂଗ୍ରହ ହେଲେ ଏହାକୁ ନୋ ବଲ୍‌ ଘୋଷଣା କରିଦିଆଯିବ। ଯେଉଁଥିରେ ବୋଲରର ତ୍ରୁଟି ନଥିଲେ ବି ତାଙ୍କୁ ଆଉ ଏକ ବଲ୍ ବୋଲିଂ କରିବାକୁ ପଡ଼ିବ।

ଅନ୍‌ସାରିଙ୍କ ନୋ ବଲ୍ ପୂର୍ବରୁ ବୁଧବାର ରାତିରେ ମିଚେଲ୍ ଷ୍ଟାର୍କ ବି ଏକ ବିରଳ ପରିସ୍ଥିତିରେ‌ ନୋ ବଲ୍‌ର ଶିକାର ହୋଇଥିଲେ। ସୁପର୍ ଓଭର ସମୟରେ ଷ୍ଟାର୍କଙ୍କ ପାଦ ରିଟର୍ଣ୍ଣ କ୍ରିଜ୍‌ (ୱିକେଟ୍‌ର ପାର୍ଶ୍ବ ସୀମାରେଖା) ଛୁଇଁ ଯାଇଥିବାରୁ ଏଭଳି ବିରଳ ନୋ ବଲ୍‌ ଦେଇଥିଲେ ଅମ୍ପାୟାର୍‌। ରିଟର୍ଣ୍ଣ କ୍ରିଜ୍‌କୁ ପାଦ ଛୁଇଁଲେ ଏହା ନୋ ବଲ୍ ଘୋଷିତ ହୋଇଥାଏ। ଷ୍ଟାର୍କଙ୍କୁ‌ ନୋ ବଲ୍ ଦିଆଯିବା ପରେ ପ୍ରଶଂସକ କିନ୍ତୁ ଅମ୍ପାୟାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଅନ୍ୟ ଏକ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ବିଘ୍ନେଶ ପୁଥୁର ସମାନ ଭୁଲ୍‌ କରିଥିଲେ ମଧ୍ୟ ଅମ୍ପାୟାର୍ କାହିଁକି ନୋ ବଲ୍ ଦେଇ ନଥିଲେ ବୋଲି ପ୍ରଶଂସକମାନେ ପ୍ରଶ୍ନ କରିଛନ୍ତି।