ନୂଆଦିଲ୍ଲୀ: ଭାରତରେ ସୀମାପାର ଆତଙ୍କବାଦ ଓ ଅନୁପ୍ରବେଶ ବନ୍ଦ ନକଲେ ପାକିସ୍ତାନ ସହ ଦ୍ୱିପାକ୍ଷିକ କ୍ରିକେଟ୍ ଖେଳାଯିବ ନାହିଁ ବୋଲି ବିସିସିଆଇ ବହୁ ପୂର୍ବରୁ ନିଷ୍ପତ୍ତି ନେଇଥିଲା ବୋଲି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଖରାପ ସଂପର୍କ କାରଣରୁ ଗତ କିଛି ବର୍ଷ ହେଲା ଉଭୟ ଦଳ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ୍ ସମ୍ପର୍କ ସ୍ଥଗିତ ରହିଛି ଏବଂ ଉଭୟ ଦଳ କେବଳ ଆଇସିସି ଏବଂ ମହାଦେଶୀୟ ପ୍ରତିଯୋଗିତାରେ ପରସ୍ପର ବିପକ୍ଷରେ ମ୍ୟାଚ୍ ଖେଳୁଛନ୍ତି।

Advertisment

ନିକଟରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଜମ୍ମୁ-କଶ୍ମୀର ପୁଲିସର ଜଣେ ସେନା କର୍ଣ୍ଣେଲ, ଜଣେ ମେଜର ଏବଂ ଜଣେ ଡେପୁଟି ସୁପରିଟେଣ୍ଡେଣ୍ଟ ସହିଦ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ସମ୍ପର୍କ ପୁଣି ଚର୍ଚ୍ଚାରେ ରହିଛି।

ଭାରତୀୟ ପୁରୁଷ କ୍ରିକେଟ୍ ଦଳ ବର୍ତ୍ତମାନ ଏସିଆ କପ ଖେଳିବାକୁ ଶ୍ରୀଲଙ୍କାରେ ରହିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ଦୁଇ ଥର ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ରେ ଭାରତ ପାକିସ୍ତାନକୁ ୨୨୮ ରନ୍ ରେ ପରାସ୍ତ କରିଥିଲା। ଚଳିତ ଏସିଆ କପ୍ ସଂପୂର୍ଣ୍ଣଭାବେ ପାକିସ୍ତାନରେ ଖେଳାଯିବାକୁ ଥିବାବେଳେ ଭାରତୀୟ ଦଳ ପାକିସ୍ତାନ ନ ଯିବାରୁ କିଛି ମ୍ୟାଚ ଶ୍ରୀଲଙ୍କାରେ ଆୟୋଜନ ହେଉଛି ।