ବିଶ୍ୱକପ୍ ସେମିଫାଇନାଲରେ କୌଣସି ଦକ୍ଷିଣ ଆମେରିକୀୟ ଦଳ ନଥିବା ଦେଖି ବହୁତ ଦୁଃଖ ଲାଗୁଛି। ବ୍ରାଜିଲ ଏବଂ ଉରୁଗୁଏ ସେଠାରେ ରହି ପାରି ଥାଆନ୍ତେ। ହେଲେ ଉରୁଗୁଏକୁ ସୁଯୋଗ ହାତଛଡ଼ା କରିବାର ମୂଲ୍ୟ ଦେବାକୁ ପଡ଼ିଲା। ପ୍ରତ୍ୟାବର୍ତନ ପାଇଁ ସଂଘର୍ଷ କରୁଥିଲା ବେଳେ ଗୋଲ୍ ରକ୍ଷଣ ତ୍ରୁଟି ପାଇଁ ବ୍ରାଜିଲ ବିଦାୟ ନେଲା। ଏହି ଦୁଇ ଦଳକୁ ହରାଇଥିବା ଦୁଇ ୟୁରୋପୀୟ ଦେଶ ଫ୍ରାନ୍ସ ଏବଂ ବେଲଜିୟମ ପ୍ରଥମ ସେମିଫାଇନାଲରେ ମୁହାଁ ମୁହିଁ ହେବେ। ଘରୋଇ ପରିବେଶରେ ୨୦୧୬ ୟୁରୋକପ୍ ଫାଇନାଲ ପରାଜୟ ସ୍ମୃତିକୁ ଦୂର କରିବା ଲକ୍ଷ୍ୟରେ ଥିବା ଫ୍ରାନ୍ସ ଏକ ସନ୍ତୁଳିତ ଦଳ। ବେଲିଜିୟମ ମଧ୍ୟ କିଛି କମ୍ ନୁହେଁ। କ୍ୱାର୍ଟର ଫାଇନାଲରେ ଶକ୍ତିଶାଳୀ ଦଳକୁ ହରାଇ ସେମିଫାଇନାଲକୁ ଯାଇଥିବାରୁ ଉଭୟ ଦଳର ଆତ୍ମବିଶ୍ୱାସ ଢେର ଉଚ୍ଚରେ ଥିବ। କେହି ଜଣେ ଆଗୁଆ ଗୋଲ ନକଲେ ଏହି ମ୍ୟାଚ୍ର ପ୍ରଥମାର୍ଧରେ ଆତସବାଜୀ ଅପେକ୍ଷା କୌଶଳର ଲଢ଼େଇ ଅଧିକ ଦେଖିବାକୁ ମିଳିବ ବୋଲି ମୋର ଆଶା। ୧୯୮୬ ସେମିଫାଇନାଲ ଏବଂ ୨୦୧୪ କ୍ୱାର୍ଟର ଫାଇନାଲରେ ଆମଠୁ ହାରିଥିବା ବେଲଜିୟମ ପାଖରେ ଏକ ସାହସିକ ଦଳ ଅଛି। ସେମାନଙ୍କ ପାଖରେ ଯେ କୌଣସି ଶକ୍ତିଶାଳୀ ଦଳର ମୁକାବିଲା କରିବାର ଦକ୍ଷତା ଏବଂ ଇଚ୍ଛାଶକ୍ତି ରହିଛି। ବ୍ରାଜିଲ ସେମାନଙ୍କୁ ଆଗୁଆ ହେବାର ସୁଯୋଗ ଦେଇଥିଲା। ହେଲେ ସେମାନେ ଏଥିରୁ ଯେଭଳି ଭାବେ ଲାଭ ଉଠାଇଲେ ଏବଂ ଏହାକୁ ଶେଷ ପର୍ଯ୍ୟନ୍ତ ବଜାୟ ରଖିଲେ ତାହା ପ୍ରଶଂସନୀୟ। ଫ୍ରାନ୍ସ ଚାପ ପକାଇ ଖେଳିବାରେ ପୂରା ଓସ୍ତାଦ। କିଲିଆନ୍ ଏମବାପେଙ୍କ ଗତି ଏବଂ ଆଣ୍ଟୋନି ଗ୍ରିଜମ୍ୟାନଙ୍କ ଷ୍ଟ୍ରାଇକିଂ ଦକ୍ଷତା ଏହି ଦଳର ଅମୋଘ ଅସ୍ତ୍ର। ବେଲଜିୟମ ତୁଳନାତ୍ମକ ଭାବେ ଅଧିକ ପ୍ରତିକ୍ରିୟାଶୀଳ। ସେମାନେ ପରିସ୍ଥିତି ମୁତାବକ ଖେଳି ଥାଆନ୍ତି। ଜାପାନ ବିପକ୍ଷରେ ୦-୨ରେ ପଛୁଆ ଥିଲା ବେଳେ ସେମାନେ ୩୦ ମିିନିଟ୍ ଭିତରେ ତିନିଟି ଗୋଲ୍ ଦେଇଥିଲେ। ବ୍ରାଜିଲ ବିପକ୍ଷରେ ନିଜ ଅଗ୍ରଣୀକୁ କଳେ ବଳେ କୌଣଶୟଳେ କାୟମ ରଖିଥିଲେ। ରୋମେଲୁ ଲୋକାକୁ ଶକ୍ତିିର ଖଣି। ଇଡେନ୍ ହାଜାର୍ଡ ଏବଂ କେଭିନ ଡି ବ୍ରୁନେଙ୍କ ଭଳି ଖେଳାଳି ତାଙ୍କୁ ଭଲ ସମର୍ଥନ ଦେଉଛନ୍ତି। ସେମାନେ ଯେଭଳି ଭାବେ ଛୋଟ ଛୋଟ ପାସ୍ ଦେଇ ଗୋଲ୍ ମୁହଁରେ ପହଞ୍ଚୁଛନ୍ତି ତାହା ଦେଖିବାକୁ ବହୁତ ମଜା ଲାଗୁଛି। ଫ୍ରାନ୍ସ ଅବଶ୍ୟ ଅଲଗା ପରୀକ୍ଷା ହେବ। ପଲ୍ ପଗବା ଏବଂ ଏନ୍ ଗୋଲୋ କଣ୍ଟେ ତାଙ୍କୁ ଖୋଲା ଖେଳ ଖେଳିବାର ସୁଯୋଗ ଦେବେନି। ଫ୍ରାନ୍ସ ଆକ୍ରମଣ ଆରମ୍ଭ କରିବା ଏବଂ ଚଲ୍ ଚଳାଇବାରେ ବେଶ୍ ଶକ୍ତିିଶାଳୀ। ଉଭୟ ଦଳର ମଧ୍ୟଭାଗ ବେଶ୍ ଶକ୍ତିଶାଳୀ। ବ୍ରାଜିଲ ବିପକ୍ଷରେ ବେଲଜିୟମ ନିଜ ଯୋଜନାକୁ ଯେମିତି ଭାବେ କାମରେ ଲଗାଇଲା ତାହା କରିବା ସହଜ ନୁହେଁ। ଏଭଳି ମ୍ୟାଚ୍ ଜିତିବା ଲାଗି ସାହସ, ଏକାଗ୍ରତା ଓ ପ୍ରବଳ ଇଚ୍ଛାଶକ୍ତିର ଢେର ଆବଶ୍ୟକତା ରହିଛି। ବେଲଜିୟମ-ଫ୍ରାନ୍ତ ମ୍ୟାଚ୍ ତୀବ୍ର ସଂଘର୍ଷପୂର୍ଣ୍ଣ ହେବ ବୋଲି ମୋର ଆଶା ଓ ବିଶ୍ୱାସ। କାରଣ ଉଭୟ ଦଳ ଆକ୍ରମଣ, ରକ୍ଷଣଭାଗ ଏବଂ ମଧ୍ୟଭାଗ ଶକ୍ତିି ପ୍ରାୟ ସମାନ। ଉଭୟଙ୍କ ପାଖରେ ନିର୍ଭର ଯୋଗ୍ୟ ଗୋଲ୍ ରକ୍ଷକ ଅଛନ୍ତି। ଏହା ପ୍ରତିଯୋଗିତାର ଶ୍ରେଷ୍ଠ ମ୍ୟାଚ୍ ହୋଇପାରେ।
କେହି କାହାକୁ କମ୍ ନୁହନ୍ତି:ହ୍ୟାଣ୍ଡ୍ ଅଫ୍ ଗଡ୍ :- ଡିଏଗୋ ମାରାଡୋନା
/sambad/media/post_attachments/wp-content/uploads/2018/07/mardona.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)