ମୁମ୍ବାଇ : ଅଷ୍ଟ୍ରେଲିଆରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜ ଆୟୋଜନ ଲାଗି ମେଲବୋର୍ଣ୍ଣ କ୍ରିକେଟ କ୍ଲବ (ଏମସିସି) ଦେଇଥିବା ପ୍ରସ୍ତାବକୁ ବିସିସିଆଇ ଖାରଜ କରିଦେଇଛି । ଏପରି ସିରିଜ ଆୟୋଜନର କୌଣସି ସମ୍ଭାବନା ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଦେଇଛି ।
ଗତ ଟି-୨୦ ବିଶ୍ବକପ ବେଳେ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ହୋଇଥିବା ଭାରତ-ପାକିସ୍ତାନ ମ୍ୟାଚ ତୀବ୍ର ପ୍ରତିଦ୍ବନ୍ଦିତାମୂଳକ ହୋଇଥିଲା । ସାରା ବିଶ୍ବରେ କୋଟି କୋଟି ଲୋକ ଏହି ମ୍ୟାଚକୁ ଦେଖିଥିଲେ । ଏହି ସଫଳତାରେ ଉତ୍ସାହିତ ହୋଇ ମେଲବୋର୍ଣ୍ଣ କ୍ରିକେଟ କ୍ଲବ (ଏମସିସି) ପକ୍ଷରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଟେଷ୍ଟ ସିରିଜ ଆୟୋଜନ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ନିଜେ ଏମସିସି ମୁଖ୍ୟ ଷ୍ଟୁଆଟ ଫକ୍ସ ଏହି ପ୍ରସ୍ତାବ ଦେଇଥିଲେ । ଦୁଇ ଦେଶ ମଧ୍ୟରେ ୩ଟି ଟେଷ୍ଟ ହେଲେ ଭଲ ହୁଅନ୍ତା ବୋଲି ସେ କହିଥିଲେ । ଏହି ପ୍ରସ୍ତାବରେ ପାକିସ୍ତାନ ବୋର୍ଡ ରାଜି ଥିଲେ ବି ବିସିସିଆଇ ରାଜି ହୋଇନାହିଁ ।
ପାକିସ୍ତାନ ସରକାର ଆତଙ୍କବାଦକୁ ପ୍ରେତ୍ସାହନ ଦେଉଥିବାରୁ ତାହାର ପ୍ରତିବାଦରେ ଭାରତ ପାକିସ୍ତାନ ସହ କ୍ରିକେଟ ସଂପର୍କକୁ ଛିନ୍ନ କରିଛି । ଗତ ୧୦ ବର୍ଷ ହେଲା ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ଦ୍ବିପାକ୍ଷିକ ଟେଷ୍ଟ ସିରିଜ ହୋଇନାହିଁ ।