ଓଡ଼ିଶାରେ ଖେଳାଳିଙ୍କୁ ମିଳିନି ଗୁରୁତ୍ବ

ଭୁବନେଶ୍ବର: ଓଡ଼ିଶାରେ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜିତ ହେବା ପରେ ଭୁବନେଶ୍ବରକୁ ଦେଶର କ୍ରୀଡ଼ା ରାଜଧାନୀ କରାଯିବାର ଦାବି ହେଉଥିଲା। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାର ଅଧିକାଂଶ ରାଜନୈତିକ ଦଳ ରାଜ୍ୟର ଖ୍ୟାତି ସମ୍ପନ୍ନ ଖେଳାଳିଙ୍କୁ ନିଜ ଦଳର ପ୍ରାର୍ଥୀ କରିବାରେ ଆଦୌ ଗୁରୁତ୍ବ ଦେଇନାହାନ୍ତି। ଗତଥର ରାଜ୍ୟସଭା ସାଂସଦ ଥାଇ ‌ସୁନ୍ଦରଗଡ଼ ଲୋକସଭା ଆସନରୁ ହକି କିମ୍ବଦନ୍ତୀ ଦିଲ୍ଲୀପ ତିର୍କି ହାରିଯିବା ପରେ ଏହି ଧାରାରେ ଏକ ପ୍ରକାର ପୂର୍ଣ୍ଣଛେଦ ପଡ଼ିଛି। ସିନେ ତାରକାଙ୍କ ତୁଳନାରେ ଖେଳାଳିଙ୍କ ପ୍ରାର୍ଥୀତ୍ବ ଗୌଣ ହୋଇପଡ଼ିଛି। ଏଥର ବିଜେଡି ଏବଂ ବିଜେପି‌ ଆଦୌ ରାଜ୍ୟର ଆଗଧାଡ଼ିର ଖେଳାଳିଙ୍କୁ ଗୁରୁତ୍ବ ଦେଇନାହିଁ। ବରଂ କଂଗ୍ରେସ ଏ କ୍ଷେତ୍ରରେ ସାମାନ୍ୟ ଆଗରେ ରହିଛି। ସୁନ୍ଦରଗଡ଼ ଲୋକସଭା ଆସନରୁ ବିଗତ ଦିନର ହକି‌ ଖେଳାଳି ଜର୍ଜ ତିର୍କି ଏବଂ ସୁନ୍ଦରସ୍ବାସ୍ଥ୍ୟରେ ପ୍ରତିଷ୍ଠା ଅର୍ଜନ କରିଥିବା ସୁରେନ୍ଦ୍ର ସିଂହ ଭୋଇଙ୍କୁ ଟିଟିଲାଗଡ଼ ବିଧାନସଭା ପାଇଁ ପ୍ରାର୍ଥୀ କରିଛି। ଅନ୍ୟତମ ଜଣାଶୁଣା ଜାତୀୟ କ୍ରୀଡ଼ାବିତ୍ ପାର୍ଥସାରଥୀ ପହିଙ୍କ ପତ୍ନୀ ସ୍ମୃତିରେଖା ପହି ମଧ୍ୟ ଧର୍ମଶାଳାରୁ ବିଧାନସଭା ପ୍ରାର୍ଥୀ ହୋଇଛନ୍ତି। ବ୍ରହ୍ମଗିରିରୁ ବିଜେପି କ୍ରିକେଟର୍‌ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ମଧ୍ୟ ପ୍ରାର୍ଥୀ କରିଛି। ସେହିଭଳି କ୍ରିକେଟର୍‌ ରଂଜୀବ ବିଶ୍ବାଳ ବର୍ତ୍ତମାନ ରାଜ୍ୟସଭା ସାଂସଦ ଥିବାରୁ କଂଗ୍ରେସର ଖେଳାଳିଙ୍କ ଗୁରୁତ୍ବ ଧାରା ଅବ୍ୟାହତ ରହିଛି। କ୍ରୀଡ଼ା ପ୍ରଶାସକ ଭାବେ ଦେଖିଲେ ବିଜେପି କେବଳ ସଂଗୀତା ସିଂହଦେଓ ଏବଂ ବିଜେଡି କଳିକେଶ ସିଂହଦେସଙ୍କୁ ବଲାଙ୍ଗୀରରୁ ଲୋକସଭା ପ୍ରାର୍ଥୀ କରିଛି। କଂଗ୍ରେସ ‌କାମାକ୍ଷାପ୍ରସାଦ ସିଂହ ଦେଓଙ୍କୁ ଢେଙ୍କାନାଳ ଲୋକସଭା ପାଇଁ ପ୍ରାର୍ଥୀ କରିଛି।

ସମ୍ବନ୍ଧିତ ଖବର