ଓ୍ବାର୍ଣ୍ଣଙ୍କ ମୃତ୍ୟୁ ପଛରେ କୌଣସି ଷଡ଼ଯନ୍ତ୍ର ନାହିଁ : ଥାଇଲାଣ୍ଡ୍ ପୁଲିସ

ବ୍ୟାଙ୍କକ୍ : କିମ୍ବଦନ୍ତୀ ସ୍ପିନର ସେନ ଓ୍ବାର୍ଣ୍ଣଙ୍କ ମୃତ୍ୟୁ ହୃଦଘାତ କାରଣରୁ ହୋଇଥିଲା । ଏହା ପଛରେ କୌଣସି ଷଡ଼ଯନ୍ତ୍ର ନାହିଁ ବୋଲି ଥାଇଲାଣ୍ଡ ପୁଲିସ କହିଛି । ରବିବାର ତାଙ୍କ ମୃତଦେହକୁ କୋହ ସାମୁହି ଦ୍ବୀପରୁ ନିକଟସ୍ଥ ସୁରଟ୍ ଥାନିକୁ ନିଆଯିବ । ସେଠାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ । ଏହା ପରେ ତାଙ୍କ ମୃତଦେହକୁ ଅଷ୍ଟ୍ରେଲିଆ ପଠେଇଦିଆଯିବ ।

ଗତ କାଲି ମାତ୍ର ୫୨ ବର୍ଷ ବୟସରେ ଓ୍ବାର୍ଣ୍ଣଙ୍କ ପରଲୋକ ହୋଇଥିଲା । ଏକ ସଂଦିଗ୍ଘ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ପ୍ରଥମେ କୁହାଯାଇଥିଲା । କିନ୍ତୁ ଏବେ ପୁଲିସର ବୟାନ ପରେ ଏହି କଳ୍ପନା ଜଳ୍ପନାର ଅନ୍ତ ହୋଇଛି ।

ଓ୍ବାର୍ଣ୍ଣଙ୍କ ମୃତ୍ୟୁରେ ସମଗ୍ର କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ଦେଶର କ୍ରିକେଟ ଖେଳାଳି, ରାଜନେତା, ସିନେତାରକା, ରକଷ୍ଟାର ଆଦି ଶୋକବ୍ୟକ୍ତ କରିଛନ୍ତି ।

୧୯୬୯ରେ ଜନ୍ମ ଗ୍ରହଣ କରିଥିବା ସେନ ଓ୍ବାର୍ଣ୍ଣ ଅଷ୍ଟ୍ରେଲିଆ ପାଇଁ ୧୪୫ଟି  ଟେଷ୍ଟ, ୧୯୪ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ସେ ଟେଷ୍ଟରେ ୭୦୮ଟି ଓ୍ବିକେଟ୍ ନେବା ସହ ୩୧୫୪ରନ ବି କରିଛନ୍ତି । ଭାରତର ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ବି ସେ ନିଜର ଛାପ ଛାଡ଼ିଥିଲେ । ୨୦୦୮ରେ ଅନୁଷ୍ଠିତ ପ୍ରଥମ ଆଇପିଏଲରେ ସେ ରାଜସ୍ଥାନ ରୟାଲ୍ସ ଦଳର ଉଭୟ କୋଚ୍ ଓ ଅଧିନାୟକ ଦାୟିତ୍ବ ନିର୍ବାହ କରି ଦଳକୁ ଚାମ୍ପିଅନ କରିଥିଲେ ।

ସମ୍ବନ୍ଧିତ ଖବର