‘କୌଣସି ସରକାର ଧ୍ୟାନଚାନ୍ଦଙ୍କ ଅବଦାନକୁ ସ୍ବୀକାର କଲେନି’

ନୂଆଦିଲ୍ଲୀ: ପୂର୍ବର କଂଗ୍ରେସ ନେତୃତ୍ବାଧିନ ଉପା ସରକାର ହେଉ ଅବା ବର୍ତମାନର ଭାଜପା ସରକାର‌ କେହି ବି ମୋ ପିତା ମେଜର ଧ୍ୟାନଚାନ୍ଦଙ୍କ ଅବଦାନକୁ ସ୍ବୀକାର କଲେନାହିଁ। ଫଳରେ ଭାରତ ରତ୍ନ ପାଇଁ ହେଉଥିବା ଦାବି ତୃତୀୟ ଥର ପାଇଁ ପ୍ରତ୍ୟାଖାତ ହୋଇଛି ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି କିମ୍ବଦନ୍ତୀ ହକି ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ସୁପୁତ୍ର ଅଶୋକ କୁମାର। ୨୦୧୩ ମସିହାରେ ସଂଶୋଧିତ ଭାରତ ରତ୍ନ ନିୟମରେ କ୍ରୀଡ଼ାକୁ ପ୍ରଥମ ଥର ସାମିଲ କରାଯାଇଥିଲା। ଏହା ପରଠାରୁ ସଚିନ ତେନ୍ଦୁଲକର ପ୍ରଥମ ଏବଂ ଏକମାତ୍ର କ୍ରୀଡ଼ାବିତ୍ ଭାବେ ଭାରତ ରତ୍ନ ପାଇଛନ୍ତି। ଦେଶର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନକୁ ହକି ଯାଦୁକର ‌ଧ୍ୟାନଚାନ୍ଦଙ୍କୁ ପ୍ରଦାନ ଲାଗି ଦୀର୍ଘ ଦିନଧରି ଦାବି‌ ହୋଇ ଆସୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି। ଚଳିତ ବର୍ଷ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଜନସଂଘ ନେତା ତଥା ସାମାଜିକ କର୍ମୀ ନାନାଜୀ ଦେଶମୁଖ ଏବଂ ସଂଗୀତ ଦୁନିଆର ଅଗ୍ରଜ ଭୂପେନ ହଜାରିକାଙ୍କୁ ଏହି ସମ୍ମାନ ଲାଗି ମନୋନୀତ କରାଯାଇଛି। କ୍ଷୋଭର ସହ ଅଶୋକ କୁମାର କହିଛନ୍ତି ଯେ, ସମଗ୍ର ବିଶ୍ବ ଧ୍ୟାନଚାନ୍ଦଙ୍କ ହକି ଅବଦାନକୁ ସ୍ବୀକାର କରୁଛି। ତାଙ୍କ ପ୍ରତିମୂ୍ର୍ତି କେବଳ ଭାରତ ନୁହେଁ ବ୍ରିଟେନ୍ ଏବଂ ନେଦରଲାଣ୍ଡ୍‌ରେ ମଧ୍ୟ ପ୍ରତିଷ୍ଠା କରାଯାଇଛି। ତେବେ ବିଶ୍ବ କ୍ରୀଡ଼ା ପ୍ରତି ତାଙ୍କ ଅବଦାନକୁ ସରକାର ବୁଝି ପାରୁନାହାନ୍ତି। ସ୍ବାଭାବିକ ଭାବେ ଆମେ ନିରାଶ ହେଉଛୁ। କେବଳ ଆମେ ନୁହଁ ସମସ୍ତ କ୍ରୀଡ଼ାପ୍ରେମୀ ମଧ୍ୟ ଧ୍ୟାନଚାନ୍ଦଙ୍କୁ ଭାରତ ରତ୍ନ ମିଳୁ ବୋଲି ଆଶା କରୁଛନ୍ତି ବୋଲି ୧୯୭୨ ମ୍ୟୁନିକ୍ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟୀ ଅଶୋକ କୁମାର କହିଛନ୍ତି। ଭାରତ ସର୍ବାଧିକ ୮ ଥର ଅଲିମ୍ପିକ ସ୍ବର୍ଣ୍ଣ ପଦକ ଜିତି ବିଶ୍ବ କୀର୍ତିମାନ କରିଥିବାବେଳେ ଧ୍ୟାନଚାନ୍ଦ ଏହାର ପ୍ରଥମ ୩ ସଂସ୍କରଣ (୧୯୨୮-ଆମଷ୍ଟରଡାମ, ୧୯୩୨-ଲସ୍ ଏଞ୍ଚେଲ୍‌ସ, ୧୯୩୬-ବର୍ଲିନ) ବିଜୟର ମୁଖ୍ୟ କର୍ଣ୍ଣଧାର ଥିଲେ। ନିକଟ ଅତୀତରେ ୩ ଜଣ କ୍ରୀଡ଼ାମନ୍ତ୍ରୀ ଅଜୟ ମାକନ୍‌, ଜିତେନ୍ଦ୍ର ସିଂହ ଏବଂ ବିଜୟ ଗୋଏଲ୍‌ ମେଜର ଧ୍ୟାନଚାନ୍ଦଙ୍କ ନାମ ସୁପାରିସ୍ କରିଥିଲେ ମଧ୍ୟ ଏହାକୁ ବିଚାରକ ମଣ୍ଡଳି କାଟି ଦେଇଛନ୍ତି। ୨୦୧୧ ମସିହାରେ ୮୦ ଜଣ ସାଂସଦ ଏବଂ ୨୦୧୬ରେ ବହୁ ପୂର୍ବତନ ଅଲିମ୍ପିଆନ୍ ଏ ନେଇ ସ୍ବର ଉଠାଇଥିଲେ। ଓଡ଼ିଶାର କ୍ରୀଡ଼ା କିମ୍ବଦନ୍ତୀ ଦିଲୀପ ତିର୍କି ମଧ୍ୟ ରାଜ୍ୟସଭାରେ ବହୁ ବାର ଏ ନେଇ ସ୍ବର ଉଠାଇଥିଲେ। ପୂର୍ବତନ ଅଲିମ୍ପିଆନ୍ ତଥା ଅଶୋକ କୁମାରଙ୍କ ସାଥୀ ଖେଳାଳି ଅସଲାମ ସେର୍‌ ଖାନ୍‌ କହିଛନ୍ତି ଯେ କ୍ରୀଡ଼ା କ୍ଷେତ୍ରରୁ ଯଦି କେହି ପ୍ରଥମେ ଏହି ସମ୍ମାନ ପାଇବା କଥା ସେ ହେଉଛନ୍ତି ଧ୍ୟାନଚାନ୍ଦ। ତାଙ୍କ ନାମରେ ଷ୍ଟାଡିୟମ୍ ରହିଛି ଏବଂ ଜାତୀୟ କ୍ରୀଡ଼ା ପୁରସ୍କାର ବି ପ୍ରଦାନ କରାଯାଉଛି କିନ୍ତୁ ଭାରତ ରତ୍ନ ଦେବା ଲାଗି ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ଅସଲାମ୍ ପ୍ରଶ୍ନ କରିଛନ୍ତି। ଏବେ ଅଲିମ୍ପିକ୍ ପଦକ ବିଜେତା ରାଜ୍ୟବର୍ଧନ ସିଂହ ରାଠୋର କ୍ରୀଡ଼ାମନ୍ତ୍ରୀ ଥିବାବେଳେ ଧ୍ୟାନଚାନ୍ଦଙ୍କ ସୁପାରିସ୍ କାଟ ଖାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଶୋକ କୁମାର କହିଛନ୍ତି। କେବଳ ଧ୍ୟାନଚାନ୍ଦ ନୁହଁନ୍ତି ବଲବିର ସିଂହ ସିନିଅର (ଧ୍ୟାନଚାନ୍ଦଙ୍କ ପରେ ଏକମାତ୍ର ଭାରତୀୟ ଭାବେ ୩ ଅଲିମ୍ପିକ୍ ସ୍ବର୍ଣ୍ଣ ବିଜୟୀ), କେଡି ସିଂହ ବାବୁ ମଧ୍ୟ ଏଭଳି ସମ୍ମାନ ପାଇଁ ହକ୍‌ଦାର। ସରକାର କ୍ରୀଡ଼ା ଦୁନିଆର ମାନସିକତାକୁ କୁଠାରଘାତ କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି ଦିଲୀପ ତିର୍କି।

ସମ୍ବନ୍ଧିତ ଖବର